ଦେଶରେ ୨୪ଘଣ୍ଟା ମଧ୍ୟରେ କେହି ନୂଆ କରୋନା ଷ୍ଟ୍ରେନ ଦ୍ବାରା ଆକ୍ରାନ୍ତ ହୋଇନାହାନ୍ତି

କିଛି ମାସ ହେଲାଣି ବ୍ରିଟେନରୁ ଚିହ୍ନଟ ହୋଇଥିବା କରୋନାର ନୂଆ ଷ୍ଟ୍ରେନ ବିଶ୍ବବାସୀଙ୍କ ଚିନ୍ତା ବଢ଼ାଇଛି। ଏହା ପୁରୁଣା ଷ୍ଟ୍ରେନଠାରୁ ଅଧିକ ସଂକ୍ରାମକ ବୋଲି ଜଣା ପଡ଼ିବା ସହ ବ୍ରିଟେନ ସମେତ ଅନେକ ଦେଶକୁ ଏହା ବ୍ୟାପିଯାଇଛି। ଭାରତରେ କରୋନାର ନୂଆ ଷ୍ଟ୍ରେନ ଦ୍ବାରା ୯୦ଜଣ ଆକ୍ରାନ୍ତ ହୋଇଥିବା ବେଳେ ଗତ ୨୪ଘଣ୍ଟା ମଧ୍ୟରେ କେହି ନୂଆ ଷ୍ଟ୍ରେନ ଦ୍ବାରା ଆକ୍ରାନ୍ତ ହୋଇନଥିବା ଜଣାପଡ଼ିଛି।

ଜାନୁଆରି ୬ରେ ଦେଶରେ ଏହି ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ୭୩ ଥିଲା। ଏବେ ଏହି ସଂଖ୍ୟାରେ ବୃଦ୍ଧି ଘଟିଛି। ସମସ୍ତ ସଂକ୍ରମିତଙ୍କୁ  ସିଙ୍ଗଲ୍‌ ରୁମ୍‌ ଆଇସୋଲେସନ୍‌ରେ ରଖାଯାଇଛି। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନେ ମଧ୍ୟ କ୍ବାରାଣ୍ଟିନ୍‌‌ରେ ରହିଛନ୍ତି। ଅନ୍ୟପକ୍ଷରେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ୧୮, ୬୪୫ ଜଣ ସଂକ୍ରମିତଙ୍କୁ ମିଶାଇ ଦେଶରେ ସମୁଦାୟ କୋଭିଡ୍‌-୧୯ଦ୍ୱାରା ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୧୦,୪୫୦,୨୮୪ରେ ପହଞ୍ଚିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ରବିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୮,୬୪୫ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୨୦୧ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ୨୦୧ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୧,୫୦,୯୯୯ରେ ପହଞ୍ଚିଛି।

ଗତ ୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହୋଇଥିବା ୧୯,୨୯୯ ସଂକ୍ରମିତଙ୍କୁ ମିଶାଇ ଏବେ ଦେଶରେ ସମୁଦାୟ ସୁସ୍ଥତାସଂଖ୍ୟା ୧,୦୦,୭୫,୯୫୦ରେ ପହଞ୍ଚିଛି। ସମ୍ପ୍ରତି ଦେଶରେ ସୁସ୍ଥତାହାର ୯୬.୪୨% ବୋଲି କେନ୍ଦ୍ର ସରକାର କହିଛନ୍ତି।

Spread the love