ମେ’ ସୁଦ୍ଧା ସବୁ ବ୍ଲକ୍, ପଞ୍ଚ‌ାୟତକୁ ଇଣ୍ଟର୍‌ନେଟ୍

ପ୍ରଶାସନିକ କାର୍ଯ୍ୟରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବ୍ୟାପକ ବ୍ୟବହାର ଉପରେ ସରକାର ଗୁରୁ୍ତ୍ବାରୋପ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ସବୁ ଗ୍ରାମପଞ୍ଚାୟତକୁ ହାଇ ସ୍ପିଡ୍‌ ଇଣ୍ଟର୍‌ନେଟ୍‌ ସଂଯୋଗର ଜରୁରି ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି କ୍ଷେତ୍ର ସ୍ତରରେ ଇଣ୍ଟର୍‌ନେଟ୍‌ ସଂଯୋଗ କାର୍ଯ୍ୟକୁ ଠିକ୍ ସମୟରେ ଶେଷ କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରତି ସ୍ତରରେ ସମୟସୀମା ଧାର୍ଯ୍ୟ କରିଛନ୍ତି। ଆସନ୍ତା ମେ’ ମାସ ସୁଦ୍ଧା ସମସ୍ତ କାର୍ଯ୍ୟ‌ ‌େଶଷ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟରେ ଭାରତ ନେଟ୍‌ ପ୍ରକଳ୍ପର ଅଗ୍ରଗତି ନେଇ ଆଜି ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଥିଲା। ଲୋକସେବା ଭବନରୁ ଡିଜିଟାଲ୍‌ ମୋଡ୍‌ରେ ପ୍ରକଳ୍ପର ସମୀକ୍ଷା କରି ‌ମୁଖ୍ୟ ଶାସନ ସଚିବ କହିଥିଲେ ଯେ ବର୍ତ୍ତମାନ ସମୟରେ ଗ୍ରାମାଞ୍ଚଳରେ ବିକାଶକୁ ତ୍ବରାନ୍ବିତ କରିବା ପାଇଁ ଇଣ୍ଟର୍‌ନେଟ୍‌ ସଂଯୋଗ ଏକ ମୌଳିକ ଆବଶ୍ୟକତା ହେ‌ାଇଯାଇଛି। ଏହା ଲୋକଙ୍କୁ ସଶକ୍ତୀକରଣ କରିବା ସହ ଦକ୍ଷତା ବୃଦ୍ଧି ପ୍ରକ୍ରିୟାରେ ସାହାଯ୍ୟ କରିବ ଏବଂ ଶିକ୍ଷା ଓ ସ୍ବାସ୍ଥ୍ୟ ସେବାର ଗୁଣାତ୍ମକ ମାନ ବୃଦ୍ଧି କରିବ। ଅନ୍‌ଲାଇନ୍ ମୋଡ୍‌ରେ ଦିଆଯାଉଥିବା ବିଭିନ୍ନ ସେବାକୁ ଲୋକମାନେ ସହଜରେ ପାଇପାରିବେ। ଗ୍ରାମପଞ୍ଚ‌ାୟତଗୁଡ଼ିକ ମଧ୍ୟ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଯୋଡ଼ାଯାଇପାରିବ।

ସ୍କୁଲ୍‌, ହସ୍ପିଟାଲ, ବ୍ୟାଙ୍କ ଓ କମନ୍ ସର୍ଭିସ୍ ସେଣ୍ଟର୍‌ ସମେତ ସବୁ ସରକାରୀ କାର୍ଯ୍ୟାଳୟକୁ ବ୍ରଡ୍‌ ବ୍ୟାଣ୍ଡ୍‌ ସଂଯୋଗ ଦିଆଯିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଟେଲି ମେଡିସିନ୍ କେନ୍ଦ୍ର ଓ କୃଷି କିଓସ୍କଗୁଡ଼ିକୁ ସ୍ବାସ୍ଥ୍ୟ ସେବା, କୃଷି ବାଣିଜ୍ୟ ଆଦି ସେବା ସୁରୁଖୁରୁରେ ଯୋଗାଇବା ପାଇଁ ମଧ୍ୟ ବ୍ରଡ୍‌ବ୍ୟାଣ୍ଡ୍‌ ସଂଯୋଗ ଦିଆଯିବ। ବୈଠକରେ ଇ ଆଣ୍ଡ୍‌ ଆଇଟି ସଚିବ ମନୋଜ କୁମାର ମିଶ୍ର ସୂଚନା ଦେଇଥିଲେ ଯେ କାମ ଶେଷ ହେଲେ ରାଜ୍ୟର ଦୁର୍ଗମ ଅଞ୍ଚଳରେ ଓକାକ୍ ମୁଖ୍ୟ ସେବାପ୍ରଦାନକାରୀ ସଂସ୍ଥା ଭାବେ ଦାୟିତ୍ବରେ ରହିବ। କ୍ଷେତ୍ର ସ୍ତରରେ କାମ ତ୍ବରାନ୍ବିତ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୩୯୪୫ ବ୍ଲକ୍‌ ଓ ପଞ୍ଚାୟତକୁ ସଂଯୋଗ ଦିଆସରିଛି। ଦ୍ବିତୀୟ ପର୍ଯ୍ୟାୟରେ ଅବଶିଷ୍ଟ ବ୍ଲକ୍‌ ଓ ପଞ୍ଚାୟତକୁ ଟାର୍ଗେଟ୍‌ ରଖାଯାଇଛି। ଓକାକ୍, ଓପିଟିସିଏଲ୍‌ ଓ ତାରାସଫ୍ଟ ମିଳିତ ଭାବେ ଦ୍ବିତୀୟ ପର୍ଯ୍ୟାୟ ପ୍ରକଳ୍ପକୁ କାର୍ଯ୍ୟକାରୀ କରୁଛନ୍ତି। ଏହି ଭିତ୍ତିଭୂମି ସବୁ ପଞ୍ଚାୟତକୁ ସ୍ବାନ୍‌ ନେଟ୍‌ୱାର୍କ ପରିସରକୁ ଆଣିବ।

ବୈଠକରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଭାରତ ନେଟ୍‌ ପ୍ରକଳ୍ପ ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ୧୮ଟି ଜିଲ୍ଲାର ୩୮୧୦ ପଞ୍ଚାୟତ ଓ ୧୮୧ ବ୍ଲକ୍‌ରେ କାର୍ଯ୍ୟ ହାତକୁ ନିଆଯାଇଥିଲା। ବର୍ତ୍ତମାନ ସୁଦ୍ଧା ୩୭୭୦ ପଞ୍ଚାୟତ ଓ ୧୭୫ ବ୍ଲକ୍‌କୁ ହାଇସ୍ପିଡ୍‌ ଇଣ୍ଟର୍‌ନେଟ୍‌ ସଂଯୋଗ ଦିଆସରିଛି। ଦ୍ବିତୀୟ ପର୍ଯ୍ୟାୟରେ ଆଉ ୧୨ଟି ଜିଲ୍ଲାର ୨୯୫୪ ପଞ୍ଚାୟତ ଓ ୧୩୩ ବ୍ଲକ୍‌ରେ ଇଣ୍ଟର୍‌ନେଟ୍‌ ସଂଯୋଗ କାର୍ଯ୍ୟ ହାତକୁ ନିଆଯାଇଛି। ଏହି ପର୍ଯ୍ୟାୟରେ ପ୍ରାୟ ୨୦ ହଜାର କିମି ଏରିଏଲ୍‌ ଅପ୍ଟିକାଲ୍‌ ଫାଇବର୍‌ ବିଛାଯାଉଛି। ଏହା ମଧ୍ୟରୁ ୧୩,୪୦୦ କିମି କେବଲ୍‌ କାମ ସମ୍ପୂର୍ଣ୍ଣ ହୋଇଛି। ମୋଟ୍‌ ୩୦୮୭ କନେକ୍ସନ୍ ପଏଣ୍ଟ ମଧ୍ୟରୁ ୧୬୩୦ ପଏଣ୍ଟ୍‌ରେ ଟେଷ୍ଟିଂ କାର୍ଯ୍ୟ ସଫଳତାର ସହ ଶେଷ ହୋଇଛି।

ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରା, ଶକ୍ତି ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ, ଓପିଟିସିଏଲ୍‌ ଅଧ୍ୟକ୍ଷ ସୌରଭ ଗର୍ଗ, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଦେଓ ରଞ୍ଜନ କୁମାର ସିଂହ, ଆଇଟି ବିଭାଗର ସ୍ବତନ୍ତ୍ର ସଚିବ ମନୋଜ ପଟ୍ଟନାୟକ ପ୍ରମୁଖ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

Spread the love