ଘରୋଇ ସ୍କୁଲରେ ଗରିବ ପିଲାଙ୍କ ପାଇଁ ୨୫% ସ୍ଥାନ ସଂରକ୍ଷଣକୁ ବାଧ୍ୟତାମୂଳକ କଲେ ରାଜ୍ୟ ସରକାର
ଘରୋଇ ସ୍କୁଲରେ ଲାଗୁ ହେବ ସଂରକ୍ଷଣ ବ୍ୟବସ୍ଥା । ରାଜ୍ୟର ଘରୋଇ ସ୍କୁଲରେ ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କ ପାଇଁ ୨୫ ପ୍ରତିଶତ ସିଟ୍ ସଂରକ୍ଷଣ ରହିବ ଏବଂ ଇଡବ୍ଲୁଏସ କୋଟାରେ ସେମାନେ ଅନଲାଇନରେ ନାମ ଲେଖାଇପାରିବେ । ଏହି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଅନଲାଇନରେ ନାମ ଲେଖାଇବା ସୁବିଧା କରାଗଲେ ସଂରକ୍ଷଣ ବ୍ୟବସ୍ଥାରେ ସ୍ୱଚ୍ଛତା ଆସିବ । ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଏହାକୁ ଲୋକାର୍ପିତ କରିବେ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ସେହିଭଳି ଆସନ୍ତା ଶିକ୍ଷାବର୍ଷରୁ ଓଡିଶାର ସବୁ ଆଦର୍ଶ ବିଦ୍ୟାଳୟରେ ବାଣିଜ୍ୟ ଷ୍ଟ୍ରିମ ଖୋଲିବ । ଏଣିକି ରାଜ୍ୟ ସରକାରଙ୍କ ଆଦର୍ଶ ବିଦ୍ୟାଳୟରେ ବାଣିଜ୍ୟ ପାଠ ପଢିବେ ଛାତ୍ରଛାତ୍ରୀ । ତେବେ ସରକାରୀ ଆଦର୍ଶ ବିଦ୍ୟାଳୟର ସଫଳତା ପରେ ଏହି ନିଷ୍ପତ୍ତି ହୋଇଥିବା ମନ୍ତ୍ରୀ ସମୀର ଦାଶ କହିଛନ୍ତି।
ଆର୍ଥିକ ଅନଗ୍ରସର ପିଲାଙ୍କ ପାଠପଢା ପାଇଁ ୨୫ ପ୍ରତିଶତ ସିଟ୍ ସଂରକ୍ଷଣ ରଖିବାକୁ ବାଧ୍ୟ ହେବେ ଘରୋଇ ସ୍କୁଲ । ପୂର୍ବରୁ ଏହି ସଂରକ୍ଷଣ ବ୍ୟବସ୍ଥା ଥିଲେ ବି କିଛି ଘରୋଇ ସ୍କୁଲ ବିଭିନ୍ନ ଆଳ ଦେଖାଇ ଏହାକୁ ମାନୁ ନଥିଲେ । ଏ ନେଇ ଅଭିଯୋଗ ଆସିବା ପରେ ବଡ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏଥିଲାଗି ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ପୋର୍ଟାଲ ପ୍ରସ୍ତୁତ କରାଯିବ। ପୋର୍ଟାଲ ଜରିଆରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ନାମ ଲେଖାଇବା ପାଇଁ ନାମ ପଞ୍ଜିକରଣ କରିପାରିବେ ଛାତ୍ରଛାତ୍ରୀ । ବିଦ୍ୟାଳୟ ଠାରୁ ୧ କିଲୋମିଟର ଦୂରରେ ଥିବା ଯୋଗ୍ୟ ଛାତ୍ରଛାତ୍ରୀ ଅନଲାଇନରେ ନାମ ଲେଖାଇ ପାରିବେ । ସେହିପରି ୩ କିଲୋମିଟରରୁ ୧୦ କିଲୋମିଟର ଭିତରେ ଥିବା ପିଲାଙ୍କ ପାଇଁ ଲଟେରି ବ୍ୟବସ୍ଥା କରାଯିବ । ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀ ଏହି ପୋର୍ଟାଲର ଲୋକାର୍ପଣ କରିବେ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।