ପୁଣି ବଢିଲା ବସ୍ ଭଡା

ରାଜ୍ୟରେ ପୁଣି ବଢିଲା ବସ୍‌ ଭଡ଼ା । ଲଗାତର ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେବା ପରେ ରାଜ୍ୟରେ ପୁଣି ଥରେ ବସ୍ ଭଡା ବୃଦ୍ଧି କରାଯାଇଛି । ଏ ନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ବୁଧବାର ସୂଚନା ପ୍ରଦାନ କରାଯାଇଛି। ଅଟୋମେକାନିଜମ୍ ବ୍ୟବସ୍ଥା ମାଧ୍ୟମରେ ଏହି ଭଡା ବୃଦ୍ଧି କରାଯାଇଛି । ଖାସ୍‌ କରି ଗତ କିଛି ଦିନ ହେଲା ଯେପରି ଡିଜେଲ୍‌ ଦର ବୃଦ୍ଧି ପାଇବାରେ ଲାଗିଥିଲା ବସ୍ ଭଡା ବୃଦ୍ଧି ହେବ ବୋଲି ଆଶଙ୍କା କରାଯାଉଥିଲା। ବସ୍ ଭଡା ଦର ବୃଦ୍ଧି ଏବେ ସାଧାରଣଲୋକଙ୍କ ଉପରେ ପଡିବାକୁ ଯାଉଛି।

ବର୍ଦ୍ଧିତ ଭଡା ଅନୁଯାୟୀ , ସାଧାରଣ ଓ ଏକ୍ସପ୍ରେସ ବସ୍ ଭଡା ଏକ ପଇସା ଲେଖାଏଁ ବଢିଛି । ସାଧାରଣ ବସ୍ ଭଡା ୭୩ ପଇସାରୁ ୭୪କୁ ବୃଦ୍ଧି କରାଯାଇଛି । ସେହିପରି ଏକ୍ସପ୍ରେସ୍‌ ବସ୍ ଭଡା ୭୬ ପଇସାରୁ ୭୭ ପଇସାକୁ ବୃଦ୍ଧି ପାଇଛି । ସେହିପରି ଡିଲକ୍ସ ଓ ଏସି ଡିଲକ୍ସ ଭଡା ଦୁଇ ପଇସା ଲେଖାଏଁ ବୃଦ୍ଧି କରାଯାଇଛି। ଡିଲକ୍ସ ବସ୍ ଭଡା ୧ ଟଙ୍କା ୭ ପଇସାରୁ ୧ ଟଙ୍କା ୯ ପଇସାକୁ ବୃଦ୍ଧି ପାଇଥିବା ବେଳେ  ଏସି ଡିଲକ୍ସ ବସ ଭଡା ୧ ଟଙ୍କା ୨୯ ପଇସାରୁ ୧ ଟଙ୍କା ୩୧ ପଇସା ବୃଦ୍ଧି କରାଯାଇଛି । 

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଡିସେମ୍ବର ୭ରେ ବସ୍ ଭଡା ବୃଦ୍ଧି କରାଯାଇଥିଲା। ସେହି ସମୟରେ ସାଧାରଣ ବସ୍ ଓ ଏକ୍ସପ୍ରେସ୍ ବସ ଭଡା ଏକ ପଇସା ଲେଖାଏଁ ବୃଦ୍ଧି କରାଯାଇଥିଲା। ସେହି ପରି ଡିଲକ୍ସ ଓ ଏସି ଡିଲକ୍ସ ଭଡା ଦୁଇ ପଇସା ଲେଖାଏଁ ବୃଦ୍ଧି କରାଯାଇଥିଲା।

Spread the love