ମାଟ୍ରିକ୍‌ ବିଦ୍ୟାର୍ଥୀଙ୍କୁ ମିଳିବ ‘ଶିକ୍ଷା ଦର୍ପଣ’

ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଦିଆଯିବ ‘ଶିକ୍ଷା ଦର୍ପଣ’। ବିଦ୍ୟାର୍ଥୀଙ୍କୁ ଏହି ପୁସ୍ତିକା ଦେବାକୁ ସବୁ ଜିଲ୍ଲାରୁ ତଥ୍ୟ ସଂଗ୍ରହ ଆରମ୍ଭ ହୋଇଛି। କେଉଁ ଜିଲାରେ ‌କେତେ ଛାତ୍ରଛାତ୍ରୀ ଏଥର ମାଟ୍ରିକ୍‌ ପରୀକ୍ଷା ଦେବେ ତାହାର ତଥ୍ୟ ମଗାଯାଇଛି। ଆସନ୍ତା ୨୨ ତାରିଖ ସୁଦ୍ଧା ତଥ୍ୟ ଦେବାକୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ପଢ଼ୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ତଥ୍ୟ ଦାଖଲ କରିବାକୁ କୁହାଯାଇଛି। ତଥ୍ୟ ମିଳିବା ପରେ ‘ଶିକ୍ଷା ଦର୍ପଣ’ ଛପାଯାଇ ବିଦ୍ୟାର୍ଥୀଙ୍କୁ ବଣ୍ଟନ କରାଯିବ।
‘ଶିକ୍ଷା ଦର୍ପଣ’ରେ ପ୍ରଶ୍ନପତ୍ର ସହ ଉତ୍ତର ରହିବ। ଏହା ବିଦ୍ୟାର୍ଥୀଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତି କରିବାରେ ସହାୟକ ହେବ। ଏହାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। କରୋନା ଯୋଗୁଁ ପାଠପଢ଼ା ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଛି। ବିଭାଗ ପକ୍ଷରୁ ୬ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଏହି ପୁସ୍ତକ ଛାପିବାକୁ ନିଷ୍ପତ୍ତି ନିଆଯାଇଛି।

Spread the love