ଜମି ମାଫିଆଙ୍କୁ ସୁରକ୍ଷା ଦେବା ପାଇଁ ବଦଳିଗଲା କି ବସ୍ ଟର୍ମିନାଲ୍ ଠିକଣା?

ଗୋପାଳପୁରରେ ବସ୍‌ ଟର୍ମିନାଲ୍ ନିର୍ମାଣ ପାଇଁ ହଁ କହିଥିଲେ ସରକାର। ସେଥିପାଇଁ ଜମି ଅଧିଗ୍ରହଣ ମଧ୍ୟ କରିଥିଲେ। ଏହା ସତ୍ତ୍ୱେ ଖାନନଗରରେ କାହିଁକି ଟର୍ମିନାଲର ଶିଳାନ୍ୟାସ କରାଗଲା? ଜମି ମାଫିଆଙ୍କୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାର ତାଙ୍କ ନିଷ୍ପତ୍ତି ବଦଳାଇ ନାହାନ୍ତି ତ ? ଆଜି ଏପରି ଅଭିଯୋଗ ଆଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ସାଲେପୁର ବିଧାୟକ ତଥା ବିଜେପି ନେତା ପ୍ରକାଶ ବେହେରା।

ପ୍ରକାଶ ବେହେରା କହିଛନ୍ତି-“୨୦୧୩ ମସିହାରେ ଗୋପାଳପୁର-ବାଲିକୁଦାରେ ୪୩ ଏକର ଜମିରେ ବସ୍‌ ଚର୍ମିନାଲ୍ ନିର୍ମାଣ ପାଇଁ ରାଜ୍ୟ ସରକାର ଶିଳାନ୍ୟାସ କରିଥିଲେ। ୪୩ ଏକର ଜମିରୁ ଜିଲ୍ଲା ପ୍ରଶାସନ ୩୦ ଏକର ଜମି ନିଜ କବ୍‌ଜାକୁ ନେଇଥିଲା। ବାକି ୧୩ ଏକର ଜମି ନିଜ କବ୍‌ଜାକୁ ନେଇ ପାରିନଥିଲେ। କାରଣ ଏହି ଜମିକୁ ରାଜ୍ୟ ସରକାରଙ୍କ ଅଧିକାରୀ ଓ ଜମି ମାଫିଆମାନେ ମାଡ଼ି ବସିଛନ୍ତି। ସେମାନଙ୍କୁ ସରକାର ଉଠାଇ ପାରୁନାହାନ୍ତି। ସେମାନଙ୍କୁ ସୁରକ୍ଷା ଦେବା ପାଇଁ ଖାନନଗରରେ ବସ୍‌ ଟର୍ମିନାଲ୍ ନିର୍ମାଣ କରାଯାଉନି ତ? ବର୍ତ୍ତମାନ ଖାନନଗରରେ ୧୦ରୁ ୧୧ ଏକର ଜମିରେ ବସ୍‌ ଟର୍ମିନାଲ୍ ନିର୍ମାଣ କରିବାକୁ ଯୋଜନା କରାଯାଉଛି, ଯାହା ପର୍ଯ୍ୟାପ୍ତ ନୁହେଁ। ଏହା ସମସ୍ତେ ଜାଣିଛନ୍ତି। ଗୋପାଳପୁରରେ ୪୩ରୁ ୧୩ ଏକର ଜାଗା ମିଳୁନଥିବାରୁ ନିଷ୍ପତ୍ତି ବଦଳାଇଲେ କି ସରକାର? ଏଥିରୁ ଗୋଟିଏ କଥା ସ୍ପଷ୍ଟ ଭାବେ ଜଣାପଡ଼ୁଛି, ମୁଖ୍ୟମନ୍ତ୍ରୀ ବୋଧହୁଏ ଗୋପାଳପୁରରେ ପ୍ରସ୍ତାବିତ ବସ୍‌ ଟର୍ମିନାଲ୍ ସଂପର୍କରେ ଜାଣିନାହାନ୍ତି।”ସେ ଆହୁରି କହିଛନ୍ତି-“ଆସନ୍ତା ପୌର ନିର୍ବାଚନକୁ ଲକ୍ଷ୍ୟ ରଖାଯାଇ ଏହା ହେଉଛି ମୁଖ୍ୟମନ୍ତ୍ରୀ ଭେଳିକି। ନିର୍ବାଚନ ଆସିଲେ ରାଜ୍ୟ ସରକାରଙ୍କର ବିକାଶ କଥା ମନେ ପଡ଼େ। ଶିଳାନ୍ୟାସ ନାଁରେ କଟକ ସହରରେ ପୋତା ଯାଇଛି ଶହଶହ ଫଳକ। ନିର୍ବାଚନ ଆସିଲେ ଏହି ଫଳକ କଥା ମନେପଡ଼େ। ଏଥିରୁ ଜଣାପଡ଼ୁଛି ରାଜ୍ୟରେ ମିଛୁଆ ସରକାର ଚାଲିଛି। ଫଳକ ଲଗାଇବା ସରକାର ଚାଲିଛି।”

Spread the love