‘ଜୟ ଶ୍ରୀରାମ’ କହି ମମତାଙ୍କୁ ଚିଡ଼ାଇଦେଲେ ଜନତା, କହିଲେ ଦେବି ନାହିଁ ଭାଷଣ

ଆଜି କୋଲକାତାଠାରେ ଅନୁଷ୍ଠିତ ନେତାଜୀ ଜୟନ୍ତୀ ସମୋରୋହରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାଷଣ ଦେବାବେଳେ ଜନତାଙ୍କ ମଧ୍ୟରୁ ଜୟ ଶ୍ରୀରାମ ଧ୍ବନି ଦିଆଯିବାରୁ ସେ ଭାଷଣ ଦେବାକୁ ମନାକରିଦେଇଥିଲେ ।ଜନନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଉପଲକ୍ଷେ ଅନୁଷ୍ଠିତ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ । ମୋଦୀଙ୍କ ଭାଷଣ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିବାର ଥିଲା । କିନ୍ତୁ ସେ କହିବା ପୂର୍ବରୁ ଲୋକମାନଙ୍କ ମଧ୍ୟରୁ କେତେକ ଜୟ ଶ୍ରୀରାମ ଓ ମୋଦୀ ମୋଦୀ ଧ୍ବନି ଦେବା ପରେ ମମତା ରାଗିଯାଇଥିଲେ ଓ ଭାଷଣ ଦେବାକୁ ମନା କରିଦେଇଥିଲେ ।ସ୍ଲୋଗାନ ଦେଉଥିବା ଲୋକମାନଙ୍କୁ ସେ କହିଥିଲେ ଯେ ଏହା ଏକ ରାଜନୈତିକ କାର୍ଯ୍ୟକ୍ରମ ନୁହେଁ, ଏହା ଏକ ସରକାରୀ କାର୍ଯ୍ୟକ୍ରମ । ଏଣୁ ଯେଉଁମାନେ ଏଠାକୁ ଆମନ୍ତ୍ରିତ ହୋଇ ଆସୁଛନ୍ତି, ସେମାନେ ଏହାର ଗାରିମା ରକ୍ଷା କରିବା ଉଚିତ ।“ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରୁଛି । କିନ୍ତୁ ଜଣକୁ ଅତିଥିଭାବେ ଆମନ୍ତ୍ରିତ କରି ତାକୁ ଅପମାନିତ କରିବା ଉଚିତ ନୁହେଁ । ଏଣୁ ଏହାର ପ୍ରତିବାଦ କରି ମୁଁ ଭାଷଣ ନ ଦେବାକୁ ନିଷ୍ପତ୍ତି ନେଇଛି । ଜୟ ହିନ୍ଦ୍, ଜୟ ବଙ୍ଗଳା ।“  ସେ କହିଥିଲେ ଓ ବସିପଡ଼ିଥିଲେ ।

Spread the love