କନ୍ୟାକିରଣ’ ପକ୍ଷରୁ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ କନ୍ୟା ସନ୍ତାନ ଦିବସ ପାଳିତ
ଭୁବନେଶ୍ୱର : କିଟ୍ ଓ କିସର ଅନନ୍ୟ ପ୍ରୟାସ ‘କନ୍ୟାକିରଣ’ ପକ୍ଷରୁ ରବିବାର ରାଜ୍ୟର ୩୦ ଜିଲ୍ଲା ସଦର ମହକୁମା ସମେତ ୩୪ଟି ସ୍ଥାନରେ ‘ରାଷ୍ଟ୍ରୀୟ କନ୍ୟା କିରଣ ଦିବସ’ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ୟା କିରଣର ଚଳିତବର୍ଷର ବିଷୟବସ୍ତୁ ‘ମୁଁ ପଢ଼ିବି-ମୁଁ ବଢ଼ିବି’ ଉପରେ ଭୁବନେଶ୍ୱରରେ ଏକ ଭର୍ଚୁଆଲ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ‘ପ୍ରଜ୍ୱାଳା’ର ପ୍ରତିଷ୍ଠାତା ଡ. ସୁନୀତା କ୍ରିଷ୍ଣନ୍, ‘ସମ୍ପର୍କ’ର ମୁଖ୍ୟ ତଥା ଆଇଆଇଏମ୍ ଅହମ୍ମଦାବାଦର ସହାୟକ ପ୍ରଫେସର ଡଃ ସ୍ମିତା ପ୍ରେମଚନ୍ଦର ଏବଂ ବିଶିଷ୍ଟ ଡେଭଲପମେଣ୍ଟ ପ୍ରଫେସନାଲ୍ ସୂର୍ଯ୍ୟମଣି ରାଉଳ ଓ ଦୌଡ଼ରାଣୀ ତଥା କିଟ୍ ଛାତ୍ରୀ ଦୂତୀ ଚାନ୍ଦ ପ୍ରମୁଖ ବକ୍ତା ଭାବେ ଯୋଗ ଦେଇ ମହିଳା ଓ ପୁରୁଷଙ୍କ ପାଇଁ ଏକ ସମାନ ସମାଜ ଗଠନ କରିବା ଉପରେ ଆଲୋକପାତ କରିଥିଲେ। ଡଃ କ୍ରିଷ୍ଣନ୍ ତାଙ୍କ ବକ୍ତବ୍ୟରେ ଶିକ୍ଷା ମାଧ୍ୟମରେ ଉଭୟ ମହିଳା ଓ ପୁରୁଷଙ୍କ ପାଇଁ ଏକ ସମାନ ସମାଜ ସୃଷ୍ଟି କରାଯାଇପାରିବ, ଯେଉଁଠି ପ୍ରତ୍ୟେକ ବ୍ୟକ୍ତି ନିଜର ସ୍ୱପ୍ନକୁ ସାକାର କରିପାରିବେ ବୋଲି ଗୁରୁତ୍ୱାରୋପ କରିଥିଲେ। ସେହିପରି ପୁରୁଷ କୈନ୍ଦ୍ରୀକ ସମାଜରେ ମହିଳା ଓ ପୁରୁଷଙ୍କ ମଧ୍ୟରେ ଯେଉଁ ବୈଷମ୍ୟ ରହିଛି ତାହାକୁ ଭାଙ୍ଗିବା ଶିକ୍ଷାର ଲକ୍ଷ୍ୟ ହେବା ଉଚିତ ବୋଲି ଡଃ ପ୍ରେମଚନ୍ଦର କହିଥିଲେ।
କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରି କିଟ୍, କିସ୍ ଓ କନ୍ୟାକିରଣର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଥିଲେ ଯେ, ଶିକ୍ଷା ମାଧ୍ୟମରେ କନ୍ୟା ସନ୍ତାନଙ୍କ ସଶକ୍ତିକରଣ ଓ ପ୍ରୋତ୍ସାହିତ କରିବା ତଥା ମହିଳାଙ୍କ ସୁରକ୍ଷା ଦିଗରେ ‘କନ୍ୟା କିରଣ’ ହେଉଛି ଏକ ଅନନ୍ୟ ପ୍ରୟାସ। ଶିକ୍ଷା ବିନା କନ୍ୟା ସନ୍ତାନ ଓ ମହିଳାମାନଙ୍କ ସଶକ୍ତିକରଣ ଓ ସୁରକ୍ଷା କଥା ଚିନ୍ତା କରାଯାଇ ନ ପାରେ। ତେଣୁ ଶିକ୍ଷା ହେଉଛି ଶିଶୁମାନଙ୍କ ତୃତୀୟ ନୟନ ବୋଲି ଶ୍ରୀ ସାମନ୍ତ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ କିଟ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି, କିସ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ ଏବଂ କିସ୍ ବିଶ୍ୱବିଦ୍ୟାଳୟର କୁଳସଚିବ ଡଃ ପିକେ ରାଉତରାୟ ପ୍ରମୁଖ ଯୋଗଦେଇ ସଶକ୍ତ ସମାଜ ଗଠନ ନିମନ୍ତେ ମହିଳା ଓ କନ୍ୟା ସନ୍ତାନଙ୍କ ସଶକ୍ତିକରଣର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ କରିଥିଲେ। କିଟ୍ ବିଶ୍ୱବିଦ୍ୟାଳୟର କୁଳସଚିବ ପ୍ରଫେସର ଜ୍ଞାନରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ଅଭିଲିପ୍ସା ଭୋଳ, ସୁଶ୍ରୀ ଦିବ୍ୟଦର୍ଶିନୀ, ଯଶୋଦା ପାଣ୍ଡେ ଓ ସରିତା କୋଲାକାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ପ୍ରତ୍ୟେକ ଜିଲ୍ଲାରେ ୨୦୨୦ ଶିକ୍ଷାବର୍ଷରେ ମାଟ୍ରିକ୍ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରୀ, ସଫଳ କନ୍ୟା ସନ୍ତାନଙ୍କୁ ସମ୍ବର୍ଦ୍ଧିନା ଓ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା।