ସିବିଏସଇ ପରୀକ୍ଷା ସୂଚୀ ଫେବୃଆରୀ ୨ରେ ପ୍ରକାଶ ପାଇବ

ମେ ୪ ତାରିଖରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସଇ) ଦ୍ୱାରା ପରିଚାଳିତ ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ। ତେବେ ଆସନ୍ତା ଫେବୃଆରୀ ୨ରେ ପରୀକ୍ଷା ପାଇଁ ସୂଚୀ ପ୍ରକାଶ ପାଇବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡ. ରମେଶ ପୋଖରିଆଲ ନିଶଙ୍କ ଏହି ଘୋଷଣା କରିଛନ୍ତି।
ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସହିତ ଆଲୋଚନା କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି, ସିବିଏସ‌ଇ ଛାତ୍ରଛାତ୍ରୀଙ୍କ ୪୫ ବର୍ଷର ରେକର୍ଡ(ତଥ୍ୟ)କୁ ଡିଜିଟାଲାଇଜ୍ କରାଯିବ। କରୋନା ମହାମାରୀ ସମୟରେ ସଫଳତାର ସହିତ ସିବିଏସଇ ଛାତ୍ରଛାତ୍ରୀଙ୍କୁ ଅନ‌ଲାଇନ୍‌ କ୍ଲାସ୍‌ କରି ଶିକ୍ଷା ଦିଆଯାଇ ପାରିଛି। ଜେଇଇ ମେନ୍ ଏବଂ ନିଟ୍‌ ପରୀକ୍ଷା କରି ସଫଳତାର ସହ ଫଳ ପ୍ରକାଶ କରାଯାଇ ପାରିଛି। ସିବିଏସଇ ପାଠ୍ୟକ୍ରମରେ ୬ଷ୍ଠ ଶ୍ରେଣୀରୁ ଛାତ୍ରଛାତ୍ରୀଙ୍କୁ ଧନ୍ଦାମୂଳକ ଶିକ୍ଷା ଦିଆଯିବା ନିମନ୍ତେ ଲକ୍ଷ୍ୟ ରଖାଯାଇଛି। ଛାତ୍ରଛାତ୍ରୀ ଧନ୍ଦାମୂଳକ ଶିକ୍ଷା ପାଇବା ଦ୍ୱାରା ପାଠପଢ଼ା ସରିବା ପରେ ନିଜର ଜ୍ଞାନ ଓ ଅଭିଜ୍ଞତାକୁ ପ୍ରୟୋଗ କରି ରୋଜଗାରକ୍ଷମ ହୋଇପାରିବେ। ଏହାଦ୍ୱାରା ବିଦ୍ୟାର୍ଥୀଙ୍କ ମଧ୍ୟରେ ମୂଲ୍ୟବୋଧ ବୃଦ୍ଧି ପାଇବ।
ଜାତୀୟ ଶିକ୍ଷାନୀତି (ଏନ‌ଇପି) ସମସ୍ତ ବିଦ୍ୟାଳୟରେ ସମାନ ଭାବେ କାର୍ଯ୍ୟକାରୀ କରାଯିବ। ଗତବର୍ଷ ଡିସେମ୍ବର ୩୧ରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ନିଶଙ୍କ ସିବିଏସ‌ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ତାରିଖ ଘୋଷଣା କରିଥିଲେ। ମେ’ ୪ରୁ ପରୀକ୍ଷା ଆରମ୍ଭ ହୋଇ ଜୁନ୍ ୧୦ରେ ସରିବ। ଜୁଲାଇ ୧୫ ତାରିଖ ସୁଦ୍ଧା ଫଳ ପ୍ରକାଶ କରିବାକୁ ସିବିଏସଇ ଲକ୍ଷ୍ୟଧାର୍ଯ୍ୟ ରଖିଛି। ସେହିପରି ମାର୍ଚ୍ଚ ପହିଲାରୁ ଉଭୟ ଶ୍ରେଣୀର ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବ।

Spread the love