ଭବିଷ୍ୟତରେ ବିଶ୍ୱର ଗଣମାଧ୍ୟମ କ୍ଷେତ୍ରରେ ପରିବର୍ତନ ଆଣିବ ଡିଜିଟାଲାଇଜେସନ୍‌

ଭୁବନେଶ୍ୱର,୩୦/୧ : ଶନିବାର ଦିନ ଓଡ଼ିଶାର ଅଗ୍ରଣୀ ଇଂରାଜୀ ନ୍ୟୁଜ ପୋର୍ଟାଲ୍ ଡବ୍ଲୁଡବ୍ଲୁଡବ୍ଲୁ.ପ୍ରମେୟନ୍ୟୁଜ୍‌.କମ୍ ପାଳନ କରିଛି ତା’ର ପ୍ରଥମ ବାର୍ଷିକ ଉତ୍ସବ। ଏହି ଅବସରରେ ବରିଷ୍ଠ ସାମ୍ବାଦିକମାନେ ଡିଜିଟାଲାଇଜେସନ୍ ଦ୍ୱାରା ଭବିଷ୍ୟତରେ ବିଶ୍ୱର ଗଣମାଧ୍ୟମର ପରିଭାଷାରେ ପରବର୍ତନ ହେବ ବୋଲି ମତ ପ୍ରକାଶ କରିଥିଲେ ।


ଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ବିଶ୍ୱବ୍ୟାପୀ ଜନସାଧାରଣ ଏବେ ଡିଜିଟାଲ୍ ମୁହାଁ ଏବଂ  ସ୍ମାର୍ଟଫୋନ୍ ଖବର ସଂଗ୍ରହର ପ୍ରମୁଖ ମାଧ୍ୟମ ପାଲଟିଛି ବୋଲି ମତ ବ୍ୟକ୍ତ କରିଛନ୍ତି ଲୋକପ୍ରିୟ ଓଡ଼ିଆ ଦୈନିକ ସମ୍ବାଦପତ୍ର ‘ପ୍ରମେୟ’ର ପ୍ରତିଷ୍ଠାତା ପ୍ରଫେସର (ଡଃ) ମନୋଜରଞ୍ଜନ ନାୟକ। ପ୍ରଫେସର ନାୟକ ସୁମା ରିଅଲ୍ ମିଡିଆ ପ୍ରାଇଭେଟ ଲିମିଟେଡ୍ ଡିଜିଟାଲ୍ ୱିଙ୍ଗ ଟିମ୍‌କୁ ଶୁଭେଚ୍ଛା ଜଣାଇବା ସହ ଖୁବ୍ କମ୍ ସମୟ ମଧ୍ୟରେ ଏହି ଟିମ୍ ସଫଳତାର ଶିଖରକୁ ଛୁଇଁଛି ବୋଲି କହିଛନ୍ତି । ଲୋକାଭିମୁଖୀ ଓ ତଥ୍ୟ ଆଧାରିତ ସମ୍ବାଦ
ଉପରେ ଅଧିକ ଗୁରୁତ୍ୱ ଦେବାକୁ ପ୍ରଫେସର ନାୟକ ଟିମ୍‌ର ସଦସ୍ୟମାନଙ୍କୁ ଉପଦେଶ ଦେଇଥିଲେ। ଅଧିକଲୋକ ଏବେ ଖବର ଜାଣିବା ପାଇଁ ମୋବାଇଲ ଫୋନ୍‌କୁ ଭରସା କରୁଛନ୍ତି। କାରଣ ବର୍ତମାନ ଡିଜିଟାଲ୍ ଯୁଗରେ ହାତ ପାହାନ୍ତାରେ ସମସ୍ତ ଖବର ଉପଲବ୍ଧ ହୋଇପାରୁଛି ବୋଲି କହିଥିଲେ ପ୍ରମେୟ ଓ ନ୍ୟୁଜ ୭ର ଗ୍ରୁପ୍ ଏଡିଟର୍ ଶ୍ରୀ ଗୋପାଳକୃଷ୍ଣ ମହାପାତ୍ର ଏବଂ ପ୍ରମେୟ-ନ୍ୟୁଜ ୭ ଗ୍ରୁପ୍‌ର କନ୍‌ସଲ୍‌ଟିଂ ଏଡିଟର୍ (ଡିଜିଟାଲ୍‌) ଶ୍ରୀ ସୁବ୍ରତ ଦାସ । ଖବର ଅନ୍ୱେଷଣ କରିବା ଉପରେ ଅଧିକ ଗୁରୁତ୍ୱ ଦେଇ ଶ୍ରୀ ମହାପାତ୍ର କହିଥିଲେ ଯେ ବର୍ତମାନ ଏହି ପ୍ରକ୍ରିୟା ପ୍ରାୟତଃ ଦେଖିବାକୁ ମିଳୁନାହିଁ କାରଣ ଖୁବ୍ ସହଜରେ ଖବର ମିଳୁଯାଉଛି। ପ୍ରମେୟନ୍ୟୁଜ୭.କମ୍ ଟିମ୍‌କୁ ତଥ୍ୟଭିତିକ ଏବଂ ତାଜା ଖବର ଦେବା ପାଇଁ ସେ ଉପଦେଶ ଦେଇଥିଲେ ।

ଏହି ଅବସରରେ ସୁମା ରିଅଲ୍ ମିଡିଆ ପ୍ରାଇଭେଟ୍ ଲିମିଟେଡର ସିଇଓ ଶ୍ରୀ ସୁନୀଲ୍ ଦାସ ସୁଚନା ଦେଇଥିଲେ ଯେ ଗତ ଏପ୍ରିଲ୍ ଏବଂ ମେ ମାସ ମଧ୍ୟରେ କୋଭିଡ-୧୯ ସମ୍ବନ୍ଧୀୟ ଖବର ସମେତ ମହାମାରୀ ସମ୍ପର୍କିତ ବିସ୍ତୃତ ଖବର ପ୍ରସାରଣ ଯୋଗୁଁ ଇଂରାଜୀ ପୋର୍ଟାଲ୍‌ର ପାଠକଙ୍କ ସଂଖ୍ୟ ୩ ଗୁଣା ବୃଦ୍ଧି ପାଇଛି । ନ୍ୟୁଜ୍ ୭ର କାର୍ଯ୍ୟକାରୀ ସମ୍ପାଦକ ଦେବନାରାୟନ ସେଠୀ ପ୍ରମେୟନ୍ୟୁଜ୍‌.କମ୍‌ର ଟିମ୍ ସ୍ପିରିଟ୍‌କୁ ଶୁଭେଚ୍ଛା ଜଣାଇବା ସହ ଭବିଷ୍ୟତରେ ଏହି ପ୍ରକ୍ରିୟା ଜାରୀ ରହିବ ବୋଲି ଆଶା ପ୍ରକାଶ କରିଥିଲେ । 

ପ୍ରମେୟ ନ୍ୟୁଜ୍‌.କମ୍ ଟିମ୍ କୋଭିଡ-୧୯ ମହାମାରୀ ଏବଂ ଲକ୍‌ଡାଉନ୍ ସମୟରେ ଖୁବ୍ ଉଚ୍ଚକୋଟୀର କାର୍ଯ୍ୟ କରିଛନ୍ତି ।
ଆମେ କହିପାରିବୁ ନାହିଁ ଯେ ଆମେ ବହୁ କିଛି ହାସଲ କରିଛୁ ତେବେ ଲୋକଙ୍କ ନିକଟରେ ପହଂଚିବା ପାଇଁ ଆମ ପ୍ରଚେଷ୍ଟା ଜାରୀ ରହିବ ବୋଲି ଶ୍ରୀ ସୁବ୍ରତ ଦାସ କହିଥିଲେ। ପୋର୍ଟାଲ୍‌ର ସଫଳତା ପାଇଁ ସେ ତୃଣମୂଳ ସ୍ତରର ସମସ୍ତ ରିପୋର୍ଟରମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରମେୟନ୍ୟୁଜ୍‌୭.କମ୍ ଏବଂ ପ୍ରମେୟ.କମ୍‌ର ମୁଖ୍ୟ  ଅମରେଶ ଦାସ, ପ୍ରମେୟ.କମ୍‌ର କନ୍‌ଟେନ୍‌ଟ କୋଅର୍ଡିନେଟର୍ ଜୀତ୍ ପଟ୍ଟନାୟକ, ଗ୍ରୁପ୍ ଟେକ୍ନିକାଲ୍ କନ୍‌ସଲ୍‌ଟାଂଟ  ଜୁବାନାଶ୍ୱ ମିଶ୍ର, ଏଚ୍‌.ଆର୍‌ ମ୍ୟାନେଜର  ପିନାକୀ ନାୟକ, ସେଲ୍ସ ମୁଖ୍ୟ  ସିଦ୍ଧାର୍ଥ ରାୟ ଏବଂ ପୋର୍ଟାଲ୍‌ର ଅନ୍ୟ ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Spread the love