ଆସନ୍ତାକାଲିଠୁ ସାରା ଦେଶରେ ଖୋଲିବ ସିନେମାହଲ୍, କିନ୍ତୁ ମାନିବାକୁ ହେବ ଏହି ନିୟମ

ନୂଆଦିଲ୍ଲୀ, ୩୧/୧: ଆସନ୍ତା କାଲି ଠାରୁ ସାରାଦେଶରେ ଖୋଲିବ  ସିନେମା ହଲ। ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ କରୋନା ମହାମାରୀ ବିସ୍ତାର ରୋକିବାକୁ ସିନେମାହଲ ପାଇଁ ନୂଆ ଏସଓପି ଜାରି କରିଛନ୍ତି। ନୂଆ ଏସଓପି ଅନୁସାରେ ଫେବୃଆରୀ ୧ ତାରିଖରୁ ସାରା ଦେଶରେ ୧୦୦ ପ୍ରତିଶତ କ୍ଷମତା ସହ ସିନେମାହଲ ଖୋଲାଯାଇ ପାରିବ।

କରୋନା ମହାମାରୀ ଆରମ୍ଭ ସମୟରୁ ଗତ ମାର୍ଚ୍ଚ ମାସରୁ ସାରା ଦେଶରେ ସିନେମାହଲ, ଥିଏଟର, ମଲ୍ଟିପ୍ଲେକ୍ସ ଆଦି ବନ୍ଦ ରହିଥିଲା। ବର୍ତ୍ତମାନ ଏସଓପି ପାଳନ କରି ସିନେମାହଲ ଓ ମଲ୍ଟିପ୍ଲେକ୍ସରେ ବସିବା କ୍ଷମତା ୫୦ ପ୍ରତିଶତରୁ ବଢ଼ାଇ ୧୦୦ ପ୍ରତିଶତ କରିବାକୁ ଅନୁମତି ଦିଆଯାଇଛି। ରବିବାର ସନ୍ଧ୍ୟା ସୁଦ୍ଧା ବିସ୍ତୃତ ସୂଚନା ଜାରି କରାଯିବ।

ପ୍ରକାଶ ଜାବଡେକର ଏ ସମ୍ବନ୍ଧରେ ସୂଚନା ଦେଇ କହିଛନ୍ତି ଯେ, ସିନେମାପ୍ରେମୀଙ୍କ ପାଇଁ ଖୁସି ଖବର। ଫେବୃଆରୀ ମାସରେ ୧୦୦ ପ୍ରତିଶତ କ୍ଷମତା ସହ ସିନେମାହଲ ଖୋଲିବ। ତେବେ ଅନଲାଇନ ବୁକିଂ ଉପରେ ଅଧିକ ଜୋର ଦିଆଯିବ। ତେବେ ଦୁଇଟି ଶୋ’ ମଧ୍ୟରେ ଅନ୍ତର ରଖାଯିବ ଯେପରି ଅଧିକ ଭିଡ ନ ହେବ। କରୋନା କଟକଣା ବର୍ତ୍ତମାନ ଶେଷ ହେବାରେ ଉପରେ। ଲୋକେ ଖାଇବା ସାମଗ୍ରୀ ନେଇ ସିନେମାହଲ ଭିତରକୁ ଯାଇପାରିବେ ବୋଲି ସେ କହିଛନ୍ତି।

ମନ୍ତ୍ରାଳୟ ଜାରି କରିଥିବା ଗାଇଡଲାଇନ ଯାହା ପାଳନ କରିବା ବାଧ୍ୟତାମୂଳକ

୧. ସଭା, ସାଧାରଣ କ୍ଷେତ୍ରରେ ଅତିକମରେ ୬ ଫୁଟ ଦୂରତା ଅନିବାର୍ଯ୍ୟ

୨. ସିନେମାହଲକୁ ଯାଉଥିବା ଦର୍ଶକ ମାସ୍କ ଲଗାଇବା ଅନିବାର୍ଯ୍ୟ

୩. ସିନେମାହଲର କମନ ଏରିଆ, ଏଣ୍ଟ୍ରି ଓ ଏକଜିଟ ସ୍ଥାନରେ ସାନିଟାଇଜର ରଖିବା ଅନିବାର୍ଯ୍ୟ

୪. ସାଧାରଣ ସ୍ଥାନରେ ଛେପ ପକାଇବା ବର୍ଜନ କରାଯାଇଛି

୫. ସିନେମାହଲ ଆସୁଥିବା ଦର୍ଶକ ମୋବାଇଲରେ ଆରୋଗ୍ୟ ସେତୁ ଆପ ଡାଉନଲୋଡ଼ କରିବା ଅନିବାର୍ଯ୍ୟ

Spread the love