ଫେବ୍ରୁଆରି ୮ରୁ ଆରମ୍ଭ ହେବ ନବମ ଓ ଏକାଦଶ ଶ୍ରେଣୀ ପାଠପଢ଼ା

ଭୁବନେଶ୍ବର: ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ଆଜି ବଡ ଘୋଷଣା କରିଛନ୍ତି। ଦଶମ ଓ ଦ୍ବାଦଶ ଶ୍ରେଣୀ ପାଠ ପଢ଼ା ଆରମ୍ଭ ହେବା ପରେ ଏବେ ଫେବ୍ରୁଆରି ୮ ତାରିଖରୁ ନବମ ଓ ଏକାଦଶ ଶ୍ରେଣୀର ପିଲା ସ୍କୁଲ ଯିବେ । କୋଭିଡ୍ କଟକଣା ଭିତରେ ପିଲାମାନେ ସ୍କୁଲ ଆସି ପାଠ ପଢିବେ ।

୯ମ ଏବଂ ୧୧ଶ ଶ୍ରେଣୀ ବିଦ୍ୟାର୍ଥୀଙ୍କ ପାଠପଢା ସୋମବାର ଠାରୁ ଶନିବାର ସକାଳ ୮.୩୦ରୁ ୧୦.୩୦ ପର୍ଯ୍ୟନ୍ତ  ହେବ ଏବଂ ରବିବାର ବନ୍ଦ ରହିବ। ପୂର୍ବ ସୂଚି ଅନୁସାରେ ୧୦ମ ଏବଂ ୧୨ଶ ଶ୍ରେଣୀ ପିଲାଙ୍କ ପାଠପଢ଼ା ଜାରି ରହିବ। ତେବେ ୧୦ମ ଶ୍ରେଣୀ ପିଲାଙ୍କ ପାଠପଢ଼ା ଦିନ ୧୧ଟାରୁ ୪ଟା ପର୍ଯ୍ୟନ୍ତ ହେବ।

ପ୍ରଧାନଶିକ୍ଷକ ଓ ଅଧ୍ୟକ୍ଷଙ୍କ ଦ୍ବାରା ନିର୍ଦ୍ଧାରିତ ସମୟ ଅନୁସାରେ ସକାଳ ସିଫ୍ଟରେ ଆସୁଥିବା ଶିକ୍ଷକ/ଅଧ୍ୟାପକମାନେ ନବମ ଓ ଦଶମ ଶ୍ରେଣୀର ପିଲାଙ୍କୁ ପଢ଼ାଇବା ପରେ ଅପରାହ୍ନ ୧ଟା ୩୦ରେ ଘରକୁ ଫେରିଯିବେ। କିନ୍ତୁ ଦ୍ବିତୀୟ ସିଫ୍ଟରେ ସ୍କୁଲ ଆସୁଥିବା ଶିକ୍ଷକ/ଅଧ୍ୟାପକମାନେ ୪ଟା ପର୍ଯ୍ୟନ୍ତ ସ୍କୁଲରେ ରହିବେ।

ଆସନ୍ତା ମାର୍ଚ୍ଚ ଦ୍ବିତୀୟ ସପ୍ତାହରେ ନବମ ଓ ଏକାଦଶ ଶ୍ରେଣୀର ପିଲାଙ୍କ ପାଇଁ ଏକ ୟୁନିଟ ଟେଷ୍ଟ ହେବ। ବାର୍ଷିକ ଶ୍ରେଣୀ ପରୀକ୍ଷା ୨୦୨୧ ଏପ୍ରିଲ ଶେଷ ସପ୍ତାହରେ ହେବ।

୯ମ ଏବଂ ୧୧ଶ ଶ୍ରେଣୀ ବିଦ୍ୟାର୍ଥୀଙ୍କ ପାଠପଢା ଏପ୍ରିଲ୍ ୩୦ ତାରିଖ ପର୍ଯ୍ୟନ୍ତ କ୍ଲାସ୍ ଚାଲିବ। ଏନେଇ ସୋମବାର ଗଣଶିକ୍ଷା ବିଭାଗର ସଚିବ ସୂଚନା ଦେଇଛନ୍ତି । ତେବେ ପାଠ ପଢା ସମୟରେ ପିଲାମାନଙ୍କୁ କୋଭିଡ୍ ଗାଇଡଲାଇନ୍ ପାଳନ କରିବାକୁ ପଡ଼ିବ । ଶ୍ରେଣୀଗୃହରେ ପିଲାମାନେ ସାମାଜିକ ଦୂରତା ପାଳନ କରି ବସିବେ ବୋଲି କୁହାଯାଇଛି ।

Spread the love