ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ମିଶନର କୋଷ୍ଟାଲ ହାଇୱେ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ, ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ମଙ୍ଗଳବାର ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଥିବା ବୈଠକରେ ପ୍ରଧାନମନ୍ତ୍ରୀଙ୍କ
ପୂର୍ବୋଦୟ ମିଶନର କୋଷ୍ଟାଲ ହାଇୱେ ନେଇ ଥିବା ସମସ୍ୟା ତଥା ଗୋପାଳପୁରରୁ ସାତପଡ଼ା ପାଇଁ ପ୍ରକଳ୍ପର କାମ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରିବା ତଥା ଅନୁମତି ଦେବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଶ୍ରୀ ପ୍ରଧାନଧନ୍ୟବାଦ ଜଣାଇବା ସହ କହିଛନ୍ତି ଯେ ଓଡିଶାର ବିଭିନ୍ନ ରାଜପଥ ପ୍ରକଳ୍ପକୁ ନେଇ ବିଚାରବିମର୍ଷ ହୋଇଯାଇଥିବା ଏହି ବୈଠକରେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ମନ୍ତ୍ରୀ ନିତୀନ ଗଡକରୀଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ବିଶେଷ ଭାବରେ ଭାରତମାଳା ପରିଯୋଜନାରେ ଦୀଘା-ଗୋପାଳପୁର ଉପକୂଳ ରାଜପଥ ପ୍ରକଳ୍ପର ବିକାଶର କାମକୁ ତ୍ୱରାନ୍ୱିତ କରିବା ଦିଗରେ ଆଲୋଚନା ହୋଇଛି । ୯ ହଜାର କୋଟି ଟଙ୍କା ଖର୍ଚ୍ଚରେ ଓଡ଼ିଶାର ଉପକୂଳବର୍ତୀ ଅଂଚଳର ଲାଇଫଲାଇନ୍ ହେବାକୁ ଯାଉଥିବା ଏହି କୋଷ୍ଟାଲ ହାଇୱେର ଆଲାଇନମେଂଟ ତଥା ଏହାର ଅଗ୍ରଗତି ନେଇ ଆଲୋଚନା ହୋଇଥିବା ବେଳେ ଗୋପାଳପୁରରୁ ସାତପଡ଼ା ପାଇଁ ପ୍ରକଳ୍ପର କାମ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରିବା ତଥା ଅନୁମତି ଦେବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି । ଓଡ଼ିଶାର ସର୍ବବୃହତ ରାଜପଥ
ପ୍ରକଳ୍ପ କୋଷ୍ଟାଲ ହାଇୱେ ସମ୍ପୂର୍ଣ୍ଣ ହେଲେ ଏହା ପର୍ଯ୍ୟଟନ ଶିଳ୍ପକୁ ତ୍ୱରାନ୍ୱିତ କରିବା ସଙ୍ଗେସଙ୍ଗେ ମତ୍ସ୍ୟ ଚାଷ, ଖାଦ୍ୟ ପ୍ରକ୍ରିୟାକରଣ, ଲଜିଷ୍ଟିକୁ ସୁବିଧା ଦେବା ସହ ପଣ୍ୟାଗାର ପରିବହନରେ ବିଶେଷ ଭାବରେ ସହାୟକ ହେବ ।

ଏହି ବୈଠକରେ ଭୁବନେଶ୍ୱର ରିଙ୍ଗ୍ ରୋଡ ପ୍ରକଳ୍ପ ନେଇ ଆଲୋଚନା ହୋଇଥିଲା । ଏହା ସହ ବିଶେଷ ଭାବରେ ଏହି ବୈଠକରେ ପାରାଦୀପ ଠାରୁ ବଡ଼ବିଲ ମଧ୍ୟରେ ପ୍ରସ୍ତାବିତ ୮ ଲେନ୍ ବିଶିଷ୍ଟ ୩୦୦ କିମି ଲମ୍ବ ଅର୍ଥନୈତିକ କୋରିଡ଼ର ଉପରେ ଆଲୋଚନା କରାଯାଇଥିଲା । ଏହି ରାସ୍ତା ପାରାଦୀପରୁ ଆରମ୍ଭ ହୋଇ ଚଣ୍ଡିଖୋଲ- ଡ଼ୁବୁରି- କେନ୍ଦୁଝର- ରିମୁଳି- ବଡରସାହୀ ଦେଇ ବଡବିଲରେ ଶେଷ ହେବ । ଏହି ପ୍ରସ୍ତାବିତ ଅର୍ଥନୈତିକ କୋରିଡ଼ର ଚଣ୍ଡିଖୋଲ ସମେତ ଦେଶର ସବୁଠୁ ବଡ଼ କଳିଙ୍ଗନଗର ଇସ୍ପାତ୍ କ୍ଲଷ୍ଟରର ବିକାଶ କରିବାରେ ବଡ଼ ଭୂମିକା ଗ୍ରହଣ କରିବ । ଏହି ରାଜପଥ ଡ଼ୁବୁରି ପାର୍ଶ୍ୱବର୍ତୀ ଅଂଚଳ ତଥା ଇସ୍ପାତ୍‌, କୋଇଲା, ଲୁହା ଓ ଆଲୁମିନିୟମ କ୍ଷେତ୍ର ପାଇଁ ମଧ୍ୟ ଅନେକ ସମ୍ଭାବନାର ସମ୍ଭାର ଆଣିବ । ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ଼ କରିବା ସଙ୍ଗେସଙ୍ଗେ ଯୁବକଙ୍କ ପାଇଁ ରୋଜଗାରର ସୁଯୋଗ ମଧ୍ୟ ସୃଷ୍ଟି କରିବାରେ ବଡ଼ ଭୂମିକା ଗ୍ରହଣ କରିବ । ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ପରିକଳ୍ପନାରେ ଓଡ଼ିଶାରେ ବନ୍ଦର ଆଧାରିତ ଶିଳ୍ପାୟନର ଦ୍ରୁତ ଅର୍ଥନୀତିର ବିକାଶକୁ ପ୍ରାଥମିକତା ଦିଆଯାଉଛି । ଏହି ପରିପ୍ରେକ୍ଷୀରେ ଧାମରାରେ ବନ୍ଦର ଆଧାରିତ ବିକାଶ କରିବା ନେଇ ଧାମରାକୁ ସଂଯୋଗ କରୁଥିବା ପ୍ରସ୍ତାବିତ ରାଜପଥ ପ୍ରକଳ୍ପ ଗୁଡ଼ିକ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଗୋପାଳପୁର ବନ୍ଦର, ସବର୍ଣ୍ଣରେଖା ପ୍ରସ୍ତାବିତ ବନ୍ଦରକୁ ସଂଯୋଗ କରୁଥିବା ରାସ୍ତା ଗୁଡ଼ିକ ଉପରେ ମଧ୍ୟ ଏହି ବୈଠକରେ ଆଲୋଚନା କରାଯାଇଥିଲା ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।

Spread the love