ରାଜ୍ୟରେ ରେଳ ଭିତିଭୂମି ସୁଦୃଢ କରିବା ସହ ଯାତ୍ରୀ ସୁବିଧାକୁଗୁରୁତ୍ୱ ଦେଉଛନ୍ତି ମୋଦି ସରକାର – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର, ୪/୨/ ୨୦୨୧: ଓଡିଶାର ରେଳ ଭିତିଭୂମିର ବିକାଶ ପାଇଁ ଚଳିତ ୨୦୨୧-୨୨ ଆର୍ଥିକ ବର୍ଷରେ କେନ୍ଦ୍ର ରେଳ ବଜେଟରେ ଓଡିଶାକୁ ୬୯୯୫ କୋଟି ୫୮ ଲକ୍ଷ ଟଙ୍କା ଅନୁଦାନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ରେଳମନ୍ତ୍ରୀ ପିୟୂଷ ଗୋୟଲ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ବିପୁଳ ଅର୍ଥ ଅନୁଦାନ ମାଧ୍ୟମରେ ରାଜ୍ୟରେ ରେଳ ପ୍ରକଳ୍ପକୁ ଶୀଘ୍ର ସାରିବା ପାଇଁ ବଜେଟ୍‌ରେ ଗୁରୁତ୍ୱ ଦିଆଯିବା ସହ
ରାଜ୍ୟରେ ରେଳ ଭିତିଭୂମି ଓ ରେଳ ସଂଯୋଗ ସ୍ଥାପନକୁ ସୁଦୃଢ କରିବା ଓ ଯାତ୍ରୀଙ୍କ ସୁବିଧା ବଢାଇବାକୁ ମଧ୍ୟ ପ୍ରଧାନ୍ୟ ଦିଆଯାଇଛି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶା ତଥା ପୂର୍ବ ଭାରତର ବିକାଶ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରାଥମିକତାରେ ରହିଛି। ମୋଦି ସରକାରରେ ବିଗତ ୬ ବର୍ଷରେ ରେଳବାଇ କ୍ଷେତ୍ରରେ ଓଡିଶା ପ୍ରତି ଦୀର୍ଘ ଦିନର ଅବହେଳାକୁ ଦୂର କରାଯାଇ ରାଜ୍ୟକୁ ପ୍ରଚୁର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ପୂର୍ବ ବର୍ଷ ତୁଳନାରେ ଏ ବର୍ଷ ରେଳର ଅନୁଦାନ ବଢିଛି। ମିଶନ ପୂର୍ବଦୋୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କଳ୍ପନା କରାଯାଇଥିବା ବେଳେ ଦେଶର ବିକାଶ ପୂର୍ବ ଭାରତର ନେତୃତ୍ୱ ଦ୍ୱାରା ସମ୍ଭବ ବୋଲି ଏହା ସୁନିଶ୍ଚିତ କରୁଛି । ଓଡିଶାରେ ୬୧ ହଜାର ୯୪୯ କୋଟି ଟଙ୍କା ବ୍ୟୟରେ ୪,୮୭୭ କିମିର ୩୯ଟି ରେଳ ପ୍ରକଳ୍ପ ବିଭିନ୍ନ ପର୍ଯ୍ୟାୟରେ କ୍ରିୟାନ୍ୱିତ ହେଉଛି। ମୋଦି ସରକାର ଓଡିଶାକୁ ଅଧିକ ପ୍ରାଥମିକତା ଦେଉଛନ୍ତି। କଂଗ୍ରେସସରକାରରେ ୨୦୦୯-୧୪ ମଧ୍ୟରେ ଓଡିଶାକୁ ରେଳ ଅନୁଦାନ ବାବଦକୁ ବାର୍ଷିକ ହାରାହାରି ମାତ୍ର ୮୩୮ କୋଟି ଟଙ୍କା ଦିଆଯାଇଥିଲା । ମାତ୍ର ମୋଦି ସରକାରରେ ୨୦୧୪-୧୯ ମଧ୍ୟରେ ୩୯୨ ପ୍ରତିଶତ ବୃଦ୍ଧି ପାଇ ବାର୍ଷିକ ହାରାହରି ୪,୧୨୬ କୋଟି ଟଙ୍କା ଦିଆଯାଉଛିା ପୂର୍ବଦୋୟର ବିକାଶ ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ ମତବ୍ୟକ୍ତ କରିଛନ୍ତି । ଚଳିତ କେନ୍ଦ୍ରର ରେଳ ବଜେଟରେ ୨୮୯ କିମି ଖୋର୍ଦ୍ଧା ରୋଡ- ବଲାଙ୍ଗୀର ରେଳ ଲାଇନ ପାଇଁ ୧୦୦୦.୫୦ କୋଟି ଟଙ୍କା ଅନୁଦାନ ଦିଆଯାଇଥିବା ବେଳେ ରାଜ୍ୟ ସରକାର ରାଜ୍ୟର ତିନୋଟି ଜିଲ୍ଲା ସୋନପୁର, ବୌଦ୍ଧ ଓ କନ୍ଧମାଳରେ ଚାଲିଥିବା ରେଳ କାମରେ ରାଜ୍ୟ ସରକାର ଜମି ଅଧିଗ୍ରହଣ କଲେ ଏହି କାମ ତ୍ୱରାନ୍ୱିତ ହେବ। ଏହାବ୍ୟତିତ ବଜେଟରେ ୯୮.୭ କିମିର ଅନୁଗୁଳ-ସୁକିନ୍ଦା ରୋଡ୍ ଲାଇନ ପାଇଁ
୪୦୦ କୋଟି ଟଙ୍କା ,୮୨ କିମି ହରିଦାସପୁର-ପାରାଦୀପ ରେଳ ଲାଇନ ପାଇଁ ୧୦୦ କୋଟି ଟଙ୍କା ଦିଆଯାଇଛି ।

ଏହା ଦ୍ୱାରା ଏହି ପ୍ରକଳ୍ପର କାମ ତ୍ୱରାନ୍ୱିତ ହେବ। ଏହାସହ ସମ୍ବଲପୁର- ତାଳଚେରର ୧୭୪.୧୧ କିମି ରେଳ ଲାଇନ ଦୋହରୀକରଣ ପାଇଁ ୧୭୩.୮୨ କୋଟି ଟଙ୍କା, ସମ୍ବଲପୁର –
ଟିଟିଲାଗଡ ୧୮୨.୧୧ କିମି ରେଳ ଲାଇନର ଦୋହରୀକରଣ ପାଇଁ ୨୦୦ କୋଟି ଟଙ୍କା, ଟିଟିଲାଗଡରୁ ବିଜୟନଗରମ୍ ୨୬୪.୬ କିମି ତୃତୀୟ ଲାଇନ ପାଇଁ ୩୦୦ କୋଟି ଟଙ୍କା ରାଉରକେଲାରୁ ଝାରସୁଗୁଡା ତୃତୀୟ ଲାଇନ ପାଇଁ ୨୩୦ କୋଟି ଟଙ୍କା ଦିଆଯାଇଛି । ଚଳିତ ଆର୍ଥିକବର୍ଷ ପାଇଁ ନୂଆ ଲାଇନର କାର୍ଯ୍ୟ ପାଇଁ ୧୫୫୩.୬୦ କୋଟି ଟଙ୍କା ଅନୁଦାନ ଦିଆଯାଇଛି ।
ସେହିପରି ରାଜ୍ୟରେ ରେଳଲାଇନର ଦୋହରୀକରଣପାଇଁ ୧୭୦୨.୪୯ କୋଟି ଟଙ୍କା ଦିଆଯାଇଛି। ଯାତ୍ରୀ ସୁବିଧା ପାଇଁ ୨୦୨୦-୨୧ ଆର୍ଥିକ ବର୍ଷରେ ୯୦.୮ କୋଟି ଟଙ୍କା ଦିଆଯାଇଥିଲା ମାତ୍ର ୨୦୨୧ -୨୨ ଆର୍ଥିକ ବର୍ଷ ପାଇଁ ଏହାକୁ ବୃଦ୍ଧି କରାଯାଇ ୩୦୦.୮ କୋଟି ଟଙ୍କା କରାଯାଇଛି । ଅନୁଗୁଳ
ଇଲେକ୍ଟ୍ରିକ୍ ଲୋକୋ ସେଡ୍ ହୋଲ୍ଡିଂ କାପାସିଟିକୁ ୧୦୦ ଇଞ୍ଜିନରୁ ବୃଦ୍ଧି କରାଯାଇ ୧୫୦ ଇଞ୍ଜିନକୁ କରାଯାଇଛି। ଏହାଦ୍ୱାରା ପୂର୍ବ ଭାରତରେ ଅନୁଗୁଳକୁ ରେଳ ଇଞ୍ଜିନ ଲୋକୋସେଡ୍‌ରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପାଇବ। କଳାହାଣ୍ଡିରେ ବିଦ୍ୟୁତ୍ ଇଞ୍ଜିନ୍ କାରଖାନା ମଧ୍ୟ ପ୍ରତିଷ୍ଠା କରିବା ନେଇ ବଜେଟରେ ଘୋଷଣା କରାଯାଇଛି ।

Spread the love