ଓଡିଶା ବିକାଶରେ ବାଧକ ନସାଜି ବାଦ ବିବାଦରୁ ଉପରକୁ ଉଠି ରାଜ୍ୟ ସରକାର ବିକାଶମୁଖୀ କାମ କରନ୍ତୁ:ଗୋଲକ ମହାପାତ୍ର

ଭୁବନେଶ୍ୱର, : କେନ୍ଦ୍ରରେ ମୋଦି ସରକାର ଆସିବା ପରେ ବିଗତ ୭ ବର୍ଷରେ ରେଳବାଇ ବିକାଶ କ୍ଷେତ୍ରରେ ଓଡିଶା ପ୍ରତି ଦୀର୍ଘଦିନର ଅବହେଳାକୁ ଦୂର କରି ରାଜ୍ୟକୁ ପ୍ରଚୁର ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି । ମାତ୍ର ରାଜ୍ୟ ସରକାରଙ୍କ ସ୍ଥାଣୁତା ଓ ଅପାରଗତା କାରଣରୁ ଜମି ଅଧିଗ୍ରହଣରେ ଅହେତୁକ ବିଳମ୍ବ ଓ ଆଇନଶୃଙ୍ଖଳା ପରିସ୍ଥିତି ସମସ୍ୟା ଯୋଗୁଁ ରେଳ ପ୍ରକଳ୍ପ କାମ ଦୀର୍ଘ ଦିନ ଅଟକି ରହୁଛି । ଓଡିଶାରେ ରେଳବାଇର ବିକାଶ ପାଇଁ ୨୦୨୧-୨୨ ଆର୍ଥିକ ବର୍ଷରେ କେନ୍ଦ୍ର ରେଳ ବଜେଟରେ ଓଡିଶାକୁ ୬ ହଜାର ୯୯୫.୫୮ କୋଟି ଟଙ୍କା ଅନୁଦାନ ଦିଆଯାଇଛି । ଗତ ବର୍ଷ ରାଜ୍ୟକୁ ରେଳ ବଜେଟର ମିଳିଥିବା ଅନୁଦାନର ଏହା ୬୦ପ୍ରତିଶତ ଅଧିକା ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର କହିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ରେଳ ମନ୍ତ୍ରୀ ପୀୟୁଷ ଗୋୟଲ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀ ମହାପାତ୍ର କହିଛନ୍ତି ଯେ, ଖୋର୍ଦ୍ଧା- ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ପାଇଁ ଗତ ବର୍ଷ ୫୨୦ କୋଟି ଅର୍ଥ ଦିଆଯାଇଥିବାବେଳେ ଚଳିତ ବର୍ଷ ଏହି ପ୍ରକଳ୍ପ ପାଇଁ ୧୦୦୦.୫୦ କୋଟି ବ୍ୟୟ ବରାଦ ହୋଇଛି ,ଯାହାକି ୯୨.୪ ପ୍ରତିଶତ ଅଧିକା ା ବଂଶପାଣି-ଦୈତାରୀ-ତୋମକା-ଜାଖପୁରା ଦୋହରୀକରଣ ରେଳ ଲାଇନ ପାଇଁ ଗତ ବର୍ଷ ୮୦କୋଟି ଟଙ୍କା ଅନୁଦାନ ମିଳିଥିବା ସମୟରେ ଚଳିତବର୍ଷ ୨୨୮ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି,ଯାହାକି ୧୮୫ ପ୍ରତିଶତ ଅଧିକା । ବୃନ୍ଦାମାଳ-ଝାରସୁଗୁଡା ପ୍ଲାଏ ଓଭର ପାଇଁ ୨୦କୋଟି, ଭଦ୍ରକ – ନିଙ୍ଗୁଣ୍ଡି ତୃତୀୟ ରେଳ ଲାଇନ ପାଇଁ ୨୨୯ କୋଟି, ବୁଢାପଙ୍କ-ଶାଳଙ୍ଗା ପାଇଁ ୨୧୫ କୋଟି, ରାଉରକେଲା – ଝାରସୁଗୁଡା ତୃତୀୟ ଲାଇନ ପାଇଁ ୨୩୦ କୋଟି, ନାରାୟଣଗଡ- ଭଦ୍ରକ ତୃତୀୟ ଲାଇନ ପାଇଁ ୨୨୫ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ସେହିପରି ରେଳ ଯାତ୍ରୀଙ୍କ ସୁବିଧା ପାଇଁ ୪୨୯ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ମୋଦି ସରକାରରେ ଓଡିଶାକୁ ରେଳବାଇ କ୍ଷେତ୍ରରେ ଐତିହାସିକ ଭାବେ ଅର୍ଥ ବରାଦ ହୋଇଛି । ୧୦ ବର୍ଷର ଉପା ସରକାରରେ ଓଡିଶାକୁ ମାତ୍ର ୪୨୩୨ କୋଟି ଟଙ୍କା ଦିଆଯାଇଥିଲା । ମୋଦିି ସରକାର ୭ ବର୍ଷରେ ମୋଟ ୩୬ ହଜାର ୧୦୭ କୋଟି
ଟଙ୍କା ରେଳ ବଜେଟରେ ଅନୁଦାନ ଦେଇଛନ୍ତି । ଓଡିଶାର ରେଳ ଭିତିଭୂମିର ବିକାଶ ପାଇଁ ଗତ ବର୍ଷ ୨୦୨୦-୨୧ କେନ୍ଦ୍ର ରେଳ ବଜେଟରେ ଓଡିଶାକୁ ୪ ହଜାର ୩୭୩ କୋଟି ଟଙ୍କା ଅନୁଦାନ ଦିଆଯାଇଥିଲା । ୧୦ ବର୍ଷର ୟୁପିଏ ଶାସନରେ ବାର୍ଷିକ କେବେ ବି
୧ ହଜାର କୋଟି ଟଙ୍କାରୁ ଉପରକୁ ଉଠି ନଥିବା ବେଳେ ମୋଦି ୪ ହଜାର କୋଟି ଟଙ୍କାରୁ କମ୍ ଦେଇନାହାନ୍ତି । ରେଳମନ୍ତ୍ରୀ ପିୟୂଷ ଗୋଏଲ ୧୫ ଜୁନ ୨୦୧୯ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଓଡିଶାରେ ରେଳ ପ୍ରକଳ୍ପ ଆଗକୁ ଯିବା ମାମଲାରେ ଥିବା ସମସ୍ୟା ଗୁଡିକର ବିସ୍ତୁତ ଆଲୋଚନା କରିଥିଲେ । ରାଜ୍ୟରେ ଜମି ଅଧିଗ୍ରହଣ ଓ ଆଇନ
ଶୃଙ୍ଖଳା ପରିସ୍ଥିତି ପାଇଁ ବିଭିନ୍ନ ପ୍ରକଳ୍ପ ଅଟକିକି ରହିଛି । ରାଜ୍ୟ ସରକାର ଏହି ସମସ୍ୟା ଗୁଡିକର ସମାଧାନ ପାଇଁ କଣ ପଦକ୍ଷେପ ନେଇଛନ୍ତି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି । ସେହିପରି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗୃହ କମିଟି ରେଳମନ୍ତ୍ରୀ ପିୟୂଷ ଗୋୟଲଙ୍କୁ ଭେଟିବା ଅବସରରେ ରାଜ୍ୟରେ ‘ଜମି ଅଧିଗ୍ରହଣ ତ୍ୱରାନ୍ୱିତ କଲେ ଅର୍ଥର ଅଭାବ ରହିବ ନାହିଁ’ ବୋଲି ରେଳମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏଠି ରାଜ୍ୟ ସରକାର ଜମି ଅଧିଗ୍ରହଣ କରିବାରେ ବିଫଳ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଜୀ ପୂର୍ବ ଭାରତ ତଥା ପୂର୍ବ ଭାରତର ପ୍ରମୁଖ ରାଜ୍ୟ ଓଡିଶାର ବିକାଶ ପାଇଁ ବଦ୍ଧ ପରିକର । ଓଡିଶା ବିକାଶରେ ବାଧକ ନସାଜି ବାଦ ବିବାଦରୁ ଉପରକୁ ଉଠି ରାଜ୍ୟ ସରକାର ବିକାଶମୁଖୀ କାମ କରନ୍ତୁ ଏବଂ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦିଅନ୍ତୁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । 

Spread the love