ଅନୁପ୍ରବେଶ ଉଦ୍ୟମ ବେଳେ ଜଣେ ସନ୍ଧିଗ୍ଧକୁ ଗୁଳିକରି ହତ୍ୟା କଲେ ବିଏସ୍ଏଫ୍ ଯବାନ

ଜାମ୍ମୁ-କାଶ୍ମୀରର ସାମ୍ବା ଅଞ୍ଚଳରେ ପାକିସ୍ତାନର ଆଉ ଏକ ଚାଲକୁ ଭଣ୍ଡୁର କରିଛି ଭାରତୀୟ ସେନା। ଯବାନମାନେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀକୁ ଗୁଳିକରି ହତ୍ୟା କରିଥିବା ସୂଚନା ମିଳିଛି । ନିହତ ହୋଇଥିବା ଯୁବକର ମୃତଦେହକୁ ମଧ୍ୟ ଜବତ କରାଯାଇଛି । ମୃତକର ପରିଚୟ ମିଳିନଥିବା ବେଳେ ସର୍ଚ୍ଚଅପରେସନ୍‌ ଜାରି ରହିଛି ।

ସୂଚନା ଅନୁସାରେ, ଜାମ୍ମୁର ସାମ୍ବା ସେକ୍ଟରରେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀକୁ ଠାବ କରିଥିଲେ ଭାରତୀୟ ଯବାନ । ତାକୁ ଅନେକ ଥର ଚେତାବନୀ ଦେବାପରେ ମଧ୍ୟ ସେ ଅନୁପ୍ରବେଶକାରୀଜଣକ ସନ୍ଦେହଜନକ ଅବସ୍ଥାରେ ସେଠାରେ ବୁଲୁଥିଲା । ଏହା ପରେ ବାଧ୍ୟ ହୋଇ କାର୍ଯ୍ୟାନୁଷ୍ଠାନ ନେଇଥିଲା ବିଏସ୍ଏଫ୍। ଯବାନଙ୍କ ଗୁଳିରେ ନିହତ ହୋଇଥିଲା ସନ୍ଧିଗ୍ଧ ବ୍ୟକ୍ତି ।

ସୂଚନାଯୋଗ୍ୟ, ସେଠାରେ ପୂର୍ବରୁ ଗତ ୨୩ ଅଗଷ୍ଟ ୨୦୨୦ରେ ମଧ୍ୟ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀକୁ ଗୁଳିକରିଥିଲେ ଯବାନ । ସେହି ଅଞ୍ଚଳରୁ ଏକ ସୁଡଙ୍ଗକୁ ମଧ୍ୟ ଠାବ କରାଯାଇଥିଲା । କିଛି ଦିନ ପୂର୍ବରୁ ହୀରାନଗରର ପାନସରରୁ ଏକ ସୁଡଙ୍ଗ ଠାବ କରିଥିଲେ ଯାହାର ଲମ୍ବ ଥିଲା ପ୍ରାୟ ୧୫୦ ମିଟର । ପାକିସ୍ତାନର ଗୁପ୍ତ ବିଭାଗ ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବା ପାଇଁ ଉକ୍ତ ସୁଡଙ୍ଗ ନିର୍ମାଣ କରିଥିଲା ।

Spread the love