ପଶ୍ଚିମବଙ୍ଗରେ ୬ରୁ ୭; ତାମିଲନାଡୁ, କେରଳ ଏବଂ ପୁଡୁଚେରୀରେ ୧ ଓ ଆସାମରେ ୨ରୁ ୩ ପର୍ଯ୍ୟାୟରେ ହୋଇପାରେ ନିର୍ବାଚନ!

ପଶ୍ଚିମବଙ୍ଗ ସମେତ ତାମିଲନାଡ଼ୁ, କେରଳ, ଆସାମ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରି ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ଯେ କୌଣସି ମୁହୂର୍ତ୍ତରେ ବିଜ୍ଞପ୍ତି ପ୍ରକାଶ ପାଇପାରେ। ବିଜ୍ଞପ୍ତି ପ୍ରକାଶ ପୂର୍ବରୁ ଏବେ କମିଶନର ସଦସ୍ୟମାନେ ଏହି ସମସ୍ତ ରାଜ୍ୟକୁ ଗସ୍ତ କରିବା ସହ ସେଠାର ସ୍ଥିତି ଅନୁଧ୍ୟାନ କରୁଛନ୍ତି।

ତେବେ, ବିଶ୍ୱସ୍ତ ସୂତ୍ରରୁ ଯାହା ଜାଣିବା ପାଇଁ ମିଳିଛି ସମ୍ଭବତଃ ପଶ୍ଚିମବଙ୍ଗରେ ୬ରୁ ୭ ପର୍ଯ୍ୟାୟରେ ନିର୍ବାଚନ କରାଇବା ପାଇଁ କମିଶନ ଚିନ୍ତା କରୁଛନ୍ତି। ସେହିପରି ତାମିଲନାଡୁ, କେରଳ ଏବଂ ପୁଡୁଚେରୀରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ କରାଇବାକୁ ସର୍ବୋଚ୍ଚ ନିର୍ବାଚନ ସଂସ୍ଥା ମଧ୍ୟ ଆଲୋଚନା କରୁଛନ୍ତି। ଆସାମରେ ୨ରୁ ୩ ପର୍ଯ୍ୟାୟରେ ନିର୍ବାଚନ ହୋଇପାରେ। ତେବେ, କେଉଁଠି କେତେ ପର୍ଯ୍ୟାୟରେ ନିର୍ବାଚନ ହେବ ସେ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି କମିଶନ ଫେବ୍ରୁଆରି ୧୫ ପରେ ହିଁ ନେବେ।ଆଜି (ବୁଧବାର) ଠାରୁ ନିର୍ବାଚନ ଆୟୋଗର ସଦସ୍ୟମାନେ ତାମିଲନାଡୁ, ପୁଡୁଚେରୀ ଏବଂ କେରଳ ଗସ୍ତ କରି ନିର୍ବାଚନ ପ୍ରସ୍ତୁତିର ଆକଳନ କରୁଛନ୍ତି। ପୂର୍ବରୁ ଆୟୋଗର ସଦସ୍ୟମାନେ ଆସାମ ଏବଂ ପଶ୍ଚିମବଙ୍ଗ ଗସ୍ତ କରିସାରିଛନ୍ତି।

ଚାରିଟି ରାଜ୍ୟର ବିଧାନସଭା ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ବିଧାନସଭାର କାର୍ଯ୍ୟକାଳ ମେ ଏବଂ ଜୁନ୍‌ ମାସର ବିଭିନ୍ନ ତାରିଖରେ ଶେଷ ହେବ ଏବଂ ଏହି ସମସ୍ତ ସ୍ଥାନରେ ଏପ୍ରିଲରେ ନିର୍ବାଚନ ହେବାର ସମ୍ଭାବନା ରହିଛି।

ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ଏବଂ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ର ଏବଂ ରାଜୀବ କୁମାରଙ୍କୁ ନେଇ ଗଠିତ କମିଶନ ଫେବ୍ରୁଆରି ୧୦ ଏବଂ ୧୧ରେ ତାମିଲନାଡୁରେ ରହିବେ। ସେମାନେ ଫେବ୍ରୁଆରି ୧୨ରେ ପଡୋଶୀ ପୁଡୁଚେରୀ ଏବଂ ଫେବ୍ରୁଆରି ୧୩ ଓ ୧୪ରେ କେରଳ ପରିଦର୍ଶନ କରିବେ ଏବଂ ନିର୍ବାଚନ ପ୍ରସ୍ତୁତିର ଆକଳନ କରିବାକୁ ରାଜ୍ୟର ଅଧିକାରୀ ତଥା ନାଗରିକ ତଥା ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିବେ। ଏହି ଅବସରରେ ଆୟୋଗ ସେଠାରେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦଙ୍କ ସହ ମଧ୍ୟ ଆଲୋଚନା କରିବେ।

Spread the love