ପୁଲୱାମା ଆକ୍ରମଣକୁ ପୁରିଛି ୨ ବର୍ଷ

ନୂଆଦିଲ୍ଲୀ, ୧୪/୨: ପୁଲୱାମା ଆକ୍ରମଣକୁ ପୁରିଛି ୨ ବର୍ଷ । ଆଜିର ଦିନ ଅର୍ଥାତ ଫେବ୍ରୁଆରୀ ୧୪ ତାରିଖରେ ଜାମ୍ମୁ କାଶ୍ମୀର ପୁଲୱାମରେ ହୋଇଥିଲା ଭୟଙ୍କର ଆତଙ୍କବାଦୀ ଆକ୍ରମଣ । ଏଥିରେ ୪୦ ଜଣ ବୀର ସିଆରପିଏଫ୍ ଯବାନ ସହିଦ ହୋଇଥିଲେ। ଏହି ଆକ୍ରମଣ ପଛରେ ଆତଙ୍କବାଦୀ ସଙ୍ଗଠନର ହାତ ଥିବା ସ୍ପଷ୍ଟ ହୋଇଥିଲା । ଭାରତ ମଧ୍ୟ ଦେଇଥିଲା ଜବାବ । ପ୍ରତିଶୋଧରେ ନିଆଁରେ ଜଳୁଥିବା ଦେଶବାସୀଙ୍କ ଇଚ୍ଛା ପୂରଣ ହୋଇଥିଲା । ଭାରତ ପକ୍ଷରୁ ହୋଇଥିଲା ଏୟାରଷ୍ଟ୍ରାଇକ୍ ।

ପ୍ରକାଶ ଯେ, ୨୦୧୯ ଫେବ୍ରୁଆରୀ ୧୪ ରେ ପୁଲୱାମା ରାଜପଥରେ ଲମ୍ବା ଲାଇନ୍ ହୋଇ ସିଆରପିଏଫ୍ ଯବାନଙ୍କ କାଫିଲା ଚାଲିଥିଲା । ୭୮ଟି ବସରେ ଟ୍ରାଂଜିଟ୍ କ୍ୟାମ୍ପରୁ ଫେରୁଥିଲେ ପ୍ରାୟ ଅଢ଼େଇ ହଜାର ଯବାନ । ହଠାତ୍ ଯବାନଙ୍କ ବସ୍ କୁ ଧକ୍କା ଦେଇଥିଲା ଆରଡିଏକ୍ସ ବୋଝେଇ କାର୍ । ଆଉ ପିଛୁଳାରେ ସବୁ ଖିନଭିନ୍ ହୋଇଯାଇଥିଲା । ଆତଙ୍କବାଦୀଙ୍କ ଆତ୍ମଘାତୀ ବିସ୍ଫୋରଣରେ ଘଟଣାସ୍ଥଳରେ ହିଁ ଟଳିପଡିଲେ ସିଆରପିଏଫର ୪୦ ଯବାନ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଖଣ୍ଡ ଖଣ୍ଡ ହୋଇ ଯାଇଥିଲା ଯବାନଙ୍କ ଶରୀର । ରକ୍ତରେ ଭିଜିଯାଇଥିଲା ରାଜରାସ୍ତା । ଏହି ଘଟଣା ପରେ ଶୋକରେ ବୁଡ଼ିଯାଇଥିଲା ସାରା ଦେଶ ।

ଏହି ଘଟଣା ଭିଆଇଥିବା ଆତଙ୍କବାଦୀ ସଂଗଠନ ଜୈସ୍-ଇ-ମହମ୍ମଦ ଉପରେ ଆକ୍ରମଣ ପାଇଁ ଆରମ୍ଭ ହୋଇଥିଲା ଅପରେସନ । ଆତଙ୍କବାଦୀ ଆକ୍ରମଣ ଘଟଣାର ୧୨ ଦିନ ପରେ ଅର୍ଥାତ୍ ଫେବୃଆରୀ ୨୬ରେ ଭାରତୀୟ ବାୟୁସେନା ପାକ୍ ଅଧିକୃତ କାଶ୍ମୀରର ବାଲାକୋଟ୍ ରେ ଥିବା ଜୈସ୍-ଏ-ମହମ୍ମଦର ବିଭିନ୍ନ ଆଡ୍ଡା ଉପରେ ଆକ୍ରମଣ କରିଥିଲା । ଯେଉଁଥିରେ ପାଖାପାଖି ୩୦୦ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା। ଫେବୃଆରୀ ୨୭ ତାରିଖରେ ପାକ୍ ବାୟୁସେନା ଜମ୍ମୁକାଶ୍ମୀରର ସୈନ୍ୟ ଶିବିର ଉପରେ ଆକ୍ରମଣ ପାଇଁ ଯୋଜନା କରିଥିଲା । ମାତ୍ର ଭାରତୀୟ ବାୟୁସେନା ସେହି ଉଦ୍ୟମକୁ ବିଫଳ କରିଦେଇଥିଲା । ଓ୍ବିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ମିଗ୍ ୨୧ ବିମାନ ପାକ୍ ବାୟୁସେନାର ଏଫ-୧୬କୁ ଧ୍ୱଂସ କରିଥିଲେ ।

Spread the love