କଳିଙ୍ଗ ଷ୍ଟୁଡିଓର ହେବ ନବୀକରଣ : ନିଯୁକ୍ତି ସୃଷ୍ଟିକାରୀ ୟୁନିଟରେ ପରିଣତ କରିବା ସରକାରଙ୍କ ଲକ୍ଷ୍ୟ

ଭୁବନେଶ୍ୱର: କଳିଙ୍ଗ ଷ୍ଟୁଡିଓର ହେବ ନବୀକରଣ । ରାଜ୍ୟ ସରକାର କଳିଙ୍ଗ ଷ୍ଟୁଡ଼ିଓକୁ ନୂଆ ରୂପ ଦେବାପାଇଁ ପଦକ୍ଷେପ ନେଇଛନ୍ତି। କଳିଙ୍ଗ ଷ୍ଟୁଡିଓରେ ‘ଷ୍ଟେଟ୍ ଅଫ୍ ଦି ଆର୍ଟ’ ଆଧୁନିକ ସିନେମା ଷ୍ଟୁଡିଓ ପ୍ରତିଷ୍ଠା ହେବ। ରାଜ୍ୟ ସରକାର ଷ୍ଟୁଡ଼ିଓକୁ ଏକ ନିଯୁକ୍ତି ସୃଷ୍ଟିକାରୀ ୟୁନିଟରେ ପରିଣତ କରିବା ଲାଗି ଲକ୍ଷ୍ୟ ରଖିଛନ୍ତି । ସେହିଭଳି ପ୍ରତିଯୋଗିତାମୂଳକ ଓ ବ୍ୟବସାୟୀକ ଢଙ୍ଗରେ ଷ୍ଟୁଡ଼ିଓକୁ ବିକଶିତ କରାଯିବ। ଷ୍ଟୁଡିଓକୁ ପର୍ଯ୍ୟଟକ ଓ ସାମାଜିକ କେନ୍ଦ୍ର ଭାବେ ବିକଶିତ କରାଯିବା ପାଇଁ ଲକ୍ଷ ରଖାଯାଇଛି। ଉଚ୍ଚସ୍ତରୀୟ ବୈଠକରେ ପୁନର୍ବିନ୍ୟାସ ଯୋଜନାକୁ ଅନୁମତି ମଳିିବ।
କଳିଙ୍ଗ ଷ୍ଟୁଡ଼ିଓର ବିକାଶ ଲାଗି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ବୈଠକ ଅନୁଷ୍ଠିତ ହୋଇଥିଲା। ସମୀକ୍ଷା ବୈଠକ ପୂର୍ବରୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଗତ ରବିବାର କଳିଙ୍ଗ ଷ୍ଟୁଡ଼ିଓ ପରିଦର୍ଶନ କରିଥିଲେ। ସେଠାରେ ସେ ଫିଲ୍ଡର ପରିସ୍ଥିତି ଉପରେ ସମୀକ୍ଷା କରିଥିଲେ। ଏଥି ସହିତ ଶ୍ରୀ ମହାପାତ୍ର ଶିଳ୍ପ ବିଭାଗକୁ ପୁନର୍ବିନ୍ୟାସ ଯୋଜନା ଦିଗରେ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନୂତନ ଅତ୍ୟାଧୂନିକ ଷ୍ଟୁଡ଼ିଓରେ ମୁଖ୍ୟତଃ ତିନିଟି ଜୋନ୍ ପ୍ରସ୍ତୁତ କରିବା ନିମନ୍ତେ ବୈଠକରେ ସ୍ଥିର ହୋଇଥିଲା । ଜୋନ୍-୧ ରେ ଇନଡୋର ସୁଟିଂ ଫ୍ଲୋର, ସୁଟିଂ ମୁଖଶାଳା, ଫିଲ୍ମ-ଟେକ୍ ଜୋନ୍, ବ୍ୟବସାୟିକ ସ୍ଥାନ, ଖୋଲା ଅଗଣା ଆଦି ରହିବ । ଜୋନ୍-୨ ରେ ଆଉଟ-୍ ଡୋର ସୁଟିଂ ସୁବିଧା, ବିଷୟ ଭିତ୍ତିକ ସୁଟିଂ ଉଦ୍ୟାନ, ପିଲାଙ୍କ ଜୋନ୍, ଦୁର୍ଗଦୃଶ୍ୟ, ବରଫ ଜୋନ୍ ଏବଂ ସାହସିକତା ପ୍ରଦର୍ଶନ କାର୍ଯ୍ୟକ୍ରମର ସ୍ଥାନ ଆଦି ରହିବ। ସେହିପରି ଜୋନ୍-୩ ରେ ଖାଦ୍ୟ ପ୍ରାଙ୍ଗଣ, ଫିଲ୍ମ କଳାକାରମାନଙ୍କ ନିମନ୍ତେ ରହିବା ଖାଇବା ସୁବିଧା, ସାମାଜିକ କାର୍ଯ୍ୟକ୍ରମ କେନ୍ଦ୍ର ଆଦି ରହିବ ।ସେହିପରି ଶିଳ୍ପ ସଚିବ ହେମନ୍ତ ଶର୍ମା କହିଛନ୍ତି ଯେ ଏବେ କଳିଙ୍ଗ ଷ୍ଟୁଡିଓଟି ସହରର ମଧ୍ୟଭାଗରେ ୨୬ଏକର ଜମିରେ ଅବସ୍ଥିତ। ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହାକୁ ଆଧୁନିକ ଫିଲ୍ମ ସେଣ୍ଟର ଭାବେ ବିକଶିତ କରାଯାଇପାରିବ। ୨୦୧୪-୧୫ରେ ଏହି ଷ୍ଟୁଡ଼ିଓର ସାମାନ୍ୟ ମରାମତି କାର୍ଯ୍ୟ ହୋଇଥିଲା। ୨୦୨୦ ସେପ୍ଟେମ୍ବର ମାସ ପରଠୁ ଏହି ଷ୍ଟୁଡ଼ିଓ ମାସକୁ ୪ଲକ୍ଷ ଟଙ୍କା ରାଜସ୍ୱ ସଂଗ୍ରହ କରୁଛି। ବର୍ତ୍ତମାନ ରହିଥିବା କେତେକ ମୁଖ୍ୟ ଗୃହ ଏବଂ ସୁବିଧା ଆଦିକୁ ଷ୍ଟୁଡ଼ିଓର ଐତିହ୍ୟ ନିମନ୍ତେ ସୁରକ୍ଷିତ ରଖାଯିବ ବୋଲି ମଧ୍ୟ ଶ୍ରୀ ଶର୍ମା ଜଣାଇଥିଲେ । ପୁନବିନ୍ୟାଶ ଯୋଜନାକୁ ଇଡ୍କୋ ମାଧ୍ୟମରେ କାର୍ଯ୍ୟକାରୀ କରାଯିବ । ତୁରନ୍ତ ଏହାର ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରି ବର୍ଷାଦିନ ପର୍ବରୁ ମାଟିକାମ ଆଦିସାରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଚଳଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ, ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଶଳ୍ପି ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ଅର୍ଥବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ଇଡ୍କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ନିତୀନ୍ ଭାନୁଦାସ ଜାୱାଲେ, ଶିଳ୍ପ ବିଭାଗ ଯୁଗ୍ମ ଶାସନ ସଚବି ଶୁଭେନ୍ଦ୍ର କୁମାର ନାୟକଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love