ବିଧାନସଭା ବେଳେ ଆତ୍ମହୂତି ଉଦ୍ୟମ କଲେ ଗିରଫ କରି ଜେଲ୍ ପଠାଯିବ

ଭୁବନେଶ୍ୱର:ବିଗତ ବିଧାନସଭା ଅଧିବେସନ ସମୟରେ ୩ଟି ଆତ୍ମହୂତି ଉଦ୍ୟମ ଦେଖିବାକୁ ମିଳିଥିଲା। ପୁଲିସ ଓ ପ୍ରଶାସନ ଶୁଣୁନଥିବା ଯୋଗୁଁ ସେମାନେ ବିଧାନସଭା ବାହାରେ ଆତ୍ମହୂତି ଦେବାକୁ ଆସିଥିଲେ। ହେଲେ ଏହା ଏବେ ନୂଆ ଟ୍ରେଣ୍ଡରେ ପରିଣତ ହୋଇଯାଇଛି। ଥାନାସ୍ତରରେ ଯାହାର ଅଭିଯୋଗ ଶୁଣାଯାଉନି, ସେ ଉପରସ୍ତରକୁ ନଯାଇ ସିଧା ଆତ୍ମହୂତି ଦେବାକୁ ଚାଲିଆସୁଛନ୍ତି। ତେଣୁ ଏହାକୁ ରୋକିବା ପାଇଁ କମିଶନରେଟ୍ ପୁଲିସ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି। ବିଧାନସଭା ସମୟରେ ଯିଏ ଆତ୍ମହୂତି ଉଦ୍ୟମ କରିବ, ତାଙ୍କୁ ଗିରଫ କରି ଜେଲ୍ ପଠାଇ ଦିଆଯିବ ବୋଲି ପୁଲିସ କମିଶନର ଡ.ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି।
ସେ ଆହୁରି କହିଛନ୍ତି ଯେ, ଆତ୍ମହୂତି ଉଦ୍ୟମ କରିବା ଏକ ଅପରାଧ। ଯିଏ ଏଭଳି କରିବ ତାଙ୍କୁ ଗିରଫ କରାଯିବ। ଗଣତାନ୍ତ୍ରିକ ବ୍ୟବସ୍ଥାରେ ଯାହାର କିଛି ଅଭିଯୋଗ ରହିଛି, ସିଏ ଗଣମାଧ୍ୟମ ପାଖକୁ ଯାଇପାରିବେ, ପୁଲିସ ଅଭିଯୋଗ ପ୍ରକୋଷ୍ଠ, ନିର୍ବାଚିତ ନେତା, ରାଜନୈତିକ ଦଳ କିମ୍ବା ହାଇକୋର୍ଟ ଓ ସୁପ୍ରିମ୍କୋର୍ଟ ଯାଇପାରିବେ। ଯଦି ଏଭଳି ନକରି କେହି ଆତ୍ମହୂତି କରୁଛନ୍ତି, ତା’ହେଲେ ଏହାକୁ ଗଣମାଧ୍ୟମ କିମ୍ବା ଦାୟିତ୍ୱବାନ ବ୍ୟକ୍ତି ପ୍ରଶୟ ଦେବା ଉଚିତ୍ ନୁହେଁ ବୋଲି ସିପି କହିଛନ୍ତି।
ଅନ୍ୟପକ୍ଷରେ କିରୋସିନି, ପେଟ୍ରୋଲ କିମ୍ବା ଡିଜେଲ ଢ଼ାଳି ହୋଇ ଆତ୍ମହୂତି ଉଦ୍ୟମ କରୁଥିବା ଲୋକଙ୍କୁ ରକ୍ଷା କରିବା ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି। ବିଧାନସଭା ମୁଖ୍ୟ ଫାଟକ ସାମ୍ନା, ରବିନ୍ଦ୍ର ମଣ୍ଡପ ପାର୍ଶ୍ୱର୍ରେ ୨ଟି ଟେଣ୍ଟ୍ ହୋଇଛି। ସେଠାରେ ପ୍ରର୍ଯ୍ୟାପ୍ତ ପରିମାଣରେ ପାଣି ରଖାଯିବ। କମ୍ବଳ କିମ୍ବା ସାଲ ଗଚ୍ଛିତ ରହିଛି। ଯାହାକି କିରୋସିନି କିମ୍ବା ଦହନଶୀଳ ପଦାର୍ଥରୁ ସୁରକ୍ଷା ଦେବ। ସୁରକ୍ଷା କର୍ମୀମାନେ ମୁତୟନ ରହିବେ। ସନ୍ଧିଗ୍ଧଙ୍କ ଗତିବିଧି ଉପରେ ତୀକ୍ଷ୍ମ ନଜର ରଖାଯିବ ବୋଲି ସୂଚନା ମିଳିଛି। ପୁଲିସ ସେବା ଭବନ-ରବିନ୍ଦ୍ରମଣ୍ଡପ ରାସ୍ତା ସମ୍ପୂର୍ଣ୍ଣ ସିଲ୍ ରହିବ। ଏହି ପାଶ୍ୱର୍ରୁ ଗାଡି ଯିବା ଆସିବା କରିପାରିବେନାହିଁ। ସେହିପରି ନ’ ତାଲା ରାସ୍ତାରେ ଯାଉଥିବା ଲୋକଙ୍କ ଉପରେ ତୀକ୍ଷ୍ମ ନଜର ରଖାଯିବ। ଏହାବାଦ ଆଖାପାଖ ଅଞ୍ଚଳରେ ଲୋକଙ୍କ ଗତିବିଧି ଉପରେ ତୀକ୍ଷ୍ମ ନଜର ରଖାଯିବ। ବିଶେଷ କରି ଚାଲିକି ଓ ସାଇକେଲରେ ଯାଉଥିବା ଲୋକଙ୍କୁ ଗୁରୁତ୍ୱ ଦିଆଯିବ। ଯେଉଁମାନେ ଚାଦର କିମ୍ବା ବ୍ୟାଗ୍ ଧରି ଯାଉଥିବେ ସେମାନଙ୍କୁ ଅଟକାଯାଇ ଯାଞ୍ଚ କରାଯିବ।
ସୂଚନା ଅନୁଯାୟୀ, ଗତବର୍ଷ ଶୀତଅଧିବେସନ ନଭେମ୍ବର ୨୪ ତାରିଖରେ ଆତ୍ମହୂତି ଅଭିଯାନର ଆରମ୍ଭ ହୋଇଥିଲା। ନୟାଗଡ଼ ସଦର ଥାନା ଯଦୁପୁର ଗାଁର ଅଶୋକ ସାହୁ ଓ ତାଙ୍କ ପତ୍ନୀ ସୌଦାମିନୀ ସାହୁଙ୍କ କୁନି ଝିଅ ପରୀ ହତ୍ୟା ବିରୋଧ କରି ବିଧାନସଭା ସାମ୍ନାରେ ସେମାନେ କିରାସିନି ଢ଼ାଳି ହୋଇ ଆତ୍ମହୂତି ଉଦ୍ୟମ କରିଥିଲେ। ଏହି ଘଟଣା ଘଟିବା ପରେ ପୁରା ବିଧାନସଭାରେ ହୋହହ୍ଲା ହୋଇଥିଲା। ପରେ ସରକାର ଏସଆଇଟି ଗଠନ କରି ଘଟଣାର ପର୍ଦ୍ଦାଫାସ କରିଛନ୍ତି।

Spread the love