ପୁଣି କଡ଼ାକଡ଼ି ହେବ କୋଭିଡ୍ କଟକଣା

ମହାରାଷ୍ଟ୍ର ଓ କେରଳରେ କରୋନା ପୁଣି କାୟାବିସ୍ତାର କଲାଣି। ଏହାକୁ ନଜରରେ ରଖି ଓଡ଼ିଶା ସରକାର ଅଣ୍ଟା ଭିଡ଼ିଛନ୍ତି। ବର୍ତ୍ତମାନ ଭୁବନେଶ୍ବର ସ୍ଥିତି ଦେଖିଲେ ଲାଗୁଛି ଯେମିତି କରୋନା ଆଉ କରୋନା ନାହିଁ। କରୋନା କଟକଣାକୁ ସବୁ ନିୟମକୁ ଦଳିମକଚି ଦେଉଛନ୍ତି ସ୍ମାର୍ଟସିଟି ବାସିନ୍ଦା।

ଏହାଦେଖି କମିଶନରେଟ୍‌ ପୁଲିସ୍‌ ପୁଣି ଆକ୍ସନ୍‌ ମୋଡ଼କୁ ଆସିଛି। ଆଜିଠାଣୁ କରୋନା ନିୟମ ପୁଣି କଡ଼ାକଡ଼ି ହେବ ବୋଲି କହିଛନ୍ତି ଡିସିପି ଉମା ଶଙ୍କର। କରୋନାର ସବୁ ନିୟମ ଚୁଲିକି ଗଲାଣି। ଯିଏ ଯୁଆଡ଼େ ପାରୁଛନ୍ତି ବୁଲୁଛନ୍ତି। ବଜାରଘାଟରେ ହାଉଯାଉ ଗହଳି କରୁଛନ୍ତି। ଅଧିକାଂଶ ମାସ୍କ ପିନ୍ଧୁ ନାହାନ୍ତି। ନା ପୁଲିସ ଫୋର୍ସ ରୋକୁଛି ନା କେହି ନିଜ ଆଡ଼ୁ ମାନିବାକୁ ପ୍ରସ୍ତୁତ ଅଛନ୍ତି।

ସହରରେ ଏମିତି ଭିଡ଼ ହେଲାଣି ଯେ, ସତେ ଯେମିତି କରୋନା ଛାଡ଼ି କୁଆଡ଼େ ପଳାଇଛି। ସେପଟେ ରାସ୍ତାଘାଟ ଜଗିବା ଛାଡ଼ି ବଜାରଘାଟ ଗଳିକନ୍ଦିରେ ସାମାଜିକ ଦୂରତ୍ବକୁ ଫୋକସ୍‌ ଦେବା ପାଇଁ ଟୁଇନ୍‌ସିଟିରେଗଢ଼ା ଯାଇଥିଲା ‘ସୋସିଆଲ୍‌ ଡିଷ୍ଟାନ୍ସ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ଼’। କିଛି ଦିନ ପାଇଁ ଏହି ଟମ ଚୁପ୍‌ ବସିଥିଲା।

ଆଜିଠାରୁ ପୁଣି ସହରର ସବୁ ଗଳିକନ୍ଦିରେ ବୁଲିବ। ଲୋକଙ୍କୁ ସଚେତନ କରାଇବ। ଏହାସହ ନିୟମ ଖିଲାପକାରୀଙ୍କ ଉପରେ ଆକ୍ସନ ବି ନେବ ବୋଲି କମିଶନରରେଟ୍‌ ପୁଲିସର ବିରିଷ୍ଠ ଅଧିକାରୀମାନେ କହିଛନ୍ତି।

ଜନ ଗହଳିପୂର୍ଣ୍ଣ ସହିଦନଗର, ଜନପଥ, ବାପୁଜୀ ନଗର, ଅଶୋକ ନଗର, ନୂଆପଲ୍ଲୀ ଆଇଡି ମାର୍କେଟ, କୋଚିଲାଖାଇ ହାଟ, ଚନ୍ଦ୍ରଶେଖରପୁରର ବିଭିନ୍ନ ମାର୍କେଟ୍‌ରେ ନାହିଁ ନଥିବା ଭିଡ ଜମୁଛି । ହାତ ଗଣତି ଲୋକଙ୍କୁ ଛାଡ଼ି ଦେଲେ, ଅନ୍ୟ ସବୁଠି ବେପରୱା ଭିଡ଼ ଜମାଉଛନ୍ତି। ପରିବା ମାର୍କେଟ କଥା ନ କହିବା ଭଲ।

ସହରର ପ୍ରମୁଖ ରାସ୍ତା କଟକ ରୋଡ୍‌, ସଚିବାଳୟ ମାର୍ଗ, ଜୟଦେବବିହାର-ନନ୍ଦନକାନନ ରାସ୍ତାରେ ସକାଳୁ ସଞ୍ଜ ଯାଏ ଅହରହ ଗାଡି଼ ଗଡୁଛି। ରସୁଲଗଡ଼ରୁ ଖଣ୍ଡଗିରି ପର୍ଯ୍ୟନ୍ତ ଫ୍ଲାଏଓଭରରେ ତଳେ ପୁଲିସ୍‌ ହେଲ୍‌ମେଟ୍‌ ଚେକିଂ କରୁଛି। ହେଲେ ମାସ୍କ ନ ପିନ୍ଧି ବୁଲୁଥିବା ଲୋକ ପ୍ରତି କାର୍ଯ୍ୟାନୁଷ୍ଠାନ ନାହିଁ । ଯଦି ସହରବାସୀ ସଚେତନ ନହେବେ ଆଗକୁ ସ୍ଥିତି ବିସ୍ଫୋରକ ହେବ।

ଭୟାନକ ଭୂତାଣୁ ରୂପକ ଏହି ଅଦୃଶ୍ୟ ଶତ୍ରୁ ସହ ଲଢ଼େଇରେ ହାତ ବଢ଼ାଇବା ବଦଳରେ ସହରବାସୀଙ୍କ ଏମିତି କାରନାମା ଚିନ୍ତା ବଢ଼ାଇ ଦେଇଛି। ପୁଲିସ୍‌ କମିଶନର ସହରବାସୀଙ୍କୁ ଅନୁରୋଧ କରିଛନ୍ତି, କରୋନା ପ୍ରତିଷେଧକ ନିୟମ ମାନି ଚଳିବା ପାଇଁ। ନିୟମ ଖିଲାପକରୀ ପୁଲିସ୍‌ ହାତରେ ଧରାପଡ଼ିଲେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ଜେଲ୍‌ ଯିବାର ସମ୍ଭାବନା ରହିଛି।

Spread the love