ଆଜି ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ଶୁଣାଣି

ଦୀର୍ଘ ୧୯ ବର୍ଷ ପରେ ଓଡିଶା ହାଇକୋର୍ଟରେ ଆଜି ହେବ ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ଶୁଣାଣି । ୨୨ ବର୍ଷ ତଳେ ୧୯୯୯ ମସିହାରେ ବାରଙ୍ଗରେ ଘଟିଥିବା ଏହି ଲୋମହର୍ଷକାରୀ ଦୁଷ୍କର୍ମ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଗିରଫ ପରେ ପୁଣି ଚର୍ଚ୍ଚାକୁ ଫେରିଛି । ବିବନକୁ ଗିରଫ କରିବାରେ ସିବିଆଇ ବିଫଳ ହେବା ଓ ତଦନ୍ତରେ ଶିଥିଳତା ଅଭିଯୋଗ କରି ପୀଡ଼ିତା ଅଞ୍ଜନା ମିଶ୍ର ୨୦୦୨ ମସିହାରେ ମାମଲା ଦାୟର କରିଥିଲେ ।ଦୁଷ୍କର୍ମ ଘଟଣାରେ ସିଧାସଳଖ ଜଡିତ ଓ ଘଟଣା ପଛରେ ହାତଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରାର୍ଥନା କରି ଏହି ମାମଲା ରୁଜୁ କରିଥିଲେ ଅଞ୍ଜନା । ସେତେବେଳେ ସିବିଆଇକୁ ନୋଟିସ ହେବା ସହ ସିବିଆଇ ମଧ୍ୟ ଜବାବ ଦାଖଲ କରିଥିଲା । ସିବିଆଇ ସତ୍ୟପାଠରେ ବିବନ ବିଶ୍ୱାଳକୁ ଗିରଫ କରାଯାଇ ନଥିବା ଓ ଏଥିପାଇଁ ସିବିଆଇ ଉଦ୍ୟମ ଜାରି ରଖିଥିବା ଉଲ୍ଲେଖ କରିଥିଲା ।

ବିବନ ସମ୍ପର୍କରେ ତଥ୍ୟ ପ୍ରଦାନକାରୀଙ୍କୁ ପୁରସ୍କାର ରାଶି ପ୍ରଦାନ ପାଇଁ ଉଲ୍ଲେଖ ରହିଥିଲା । ଏହା ପରେ ମାମଲାର ଶୁଣାଣି ଆଉ ବଢି ପାରି ନଥିଲା । ବିବନ ଗିରଫ ହେବା ପରେ ସଂଯୋଗବଶତ ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ଓ ବିଚାରପତି ଜଷ୍ଟିସ ବି ପି ରାଉତରାୟଙ୍କୁ ନେଇ ଖଣ୍ଡପୀଠରେ ପୁଣି ଏହି ମାମଲା ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି ।

Spread the love