୩୦୦୦ ‘ମୋ ସେବା କେନ୍ଦ୍ର’ ଲୋକାର୍ପିତ

ବିଜୁ ବାବୁଙ୍କ ୧୦୫ ତମ ଜନ୍ମ ଜୟନ୍ତୀ ଅବସରରେ ଆଜି ରାଜ୍ୟରେ ଆରମ୍ଭ ହୋଇଛି ୩୦୦୦ରୁ ଅଧିକ ମୋ ସେବା କେନ୍ଦ୍ର ଓ ଓଡ଼ିଶା ୱାନ୍ ପୋର୍ଟାଲ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପିତ କରିଛନ୍ତି । ମୋ ସେବା କେନ୍ଦ୍ର ଦ୍ୱାରା ସାଧାରଣ ଲୋକ ନିଜ ଘର ପାଖରେ ବିଭିନ୍ନ ପ୍ରକାର ସରକାରୀ ସୁବିଧା ପାଇପାରିବେ । ଫଳରେ ସେମାନଙ୍କୁ ଆଉ ବାରମ୍ବାର ଅଫିସ୍ ଦୌଡ଼ିବାକୁ ପଡ଼ିବନି । ସେହିଭଳି ସହରବାସୀ ତଥା କମ୍ପ୍ୟୁଟର ଜାଣିଥିବା ଲୋକମାନଙ୍କୁ ସେବା ଯୋଗାଇବାରେ ଓଡ଼ିଶା ୱାନ୍ ପୋର୍ଟାଲ୍ ସହାୟକ ହେବ ।
ଆଗାମୀ ଦିନରେ ରାଜ୍ୟର ସବୁ ପଞ୍ଚାୟତରେ ଗୋଟିଏ ଗୋଟିଏ ମୋ ସେବା କେନ୍ଦ୍ର ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହାଦ୍ୱାରା ୮୦୦ ଯୁବକ ଯୁବତୀ ଆତ୍ମନିଯୁକ୍ତିର ସୁଯୋଗ ପାଇବେ ।
ମୁଖ୍ୟମନ୍ତ୍ରୀ କହିଥିଲେ, ସେବା ଓ ସମ୍ମାନ ହେଉଛି ତାଙ୍କ ସରକାରର ମୂଳମନ୍ତ୍ର । ଗଣତନ୍ତ୍ରରେ ଲୋକ ହେଉଛନ୍ତି ମାଲିକ । ଲୋକଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କୁ ସମ୍ମାନର ସହ ସେବା ଯୋଗାଇଦେବା ସହିତ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ଏହି ଲକ୍ଷ୍ୟ ନେଇ ୫-ଟି ଓ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସାଧାରଣ ଲୋକ ଯେପରି ସୁବିଧାରେ ଓ ସହଜରେ ବିଭିନ୍ନ ସରକାରୀ ସେବା ପାଇପାରିବେ ତାହା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି ।

ମୋ ସେବା କେନ୍ଦ୍ରର ସୁବିଧା ନେଇଥିବା କୋଣାର୍କ. ହିଞ୍ଜିଳି, ଅତାବିରା, ନବରଙ୍ଗପୁର, ଭଦ୍ରକ ଓ ଗଜପତିର ହିତାଧିକାରୀମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ମତ ବିନିମୟ କରିଥିଲେ ।

କାର୍ଯ୍ୟକ୍ରମରେ ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଭାଗୀୟ ଉପଦେଷ୍ଟା ଅନୁଭବ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଆଇଟି ସଚିବ ମନୋଜ ମିଶ୍ର ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।

Spread the love