ବେଙ୍ଗଲ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା

ବିଧାନସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗ ଉଠୁଛି ପଡ଼ୁଛି। ନିର୍ବଚନ ତାରିଖ ଯେତିକି ପାଖଉଛି ସସ୍‌ପେନ୍ସ ସେତିକି ବଢ଼ୁଛି। ଏହାରି ଭିତରେ ଦଳ ଗୁଡ଼ିକ ନିଜ ନିଜର ପ୍ରାର୍ଥୀଙ୍କ ନାଁ ଘୋଷଣା କରୁଛନ୍ତି। ଶନିବାର ବିଜେପି ପ୍ରାର୍ଥୀ ଘୋଷଣା କରିଥିବା ବେଳେ କଂଗ୍ରେସ ନିଜର ୧୩ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ସେଥିମଧ୍ୟରୁ ୫ ଆଶାୟୀ ପ୍ରଥମ ଚରଣରେ ଲଢ଼ିବାକୁ ଥିବା ବେଳେ ୮ ଜଣ ଦ୍ବିତୀୟ ଚରଣ ନିର୍ବାଚନରେ ଲଢ଼ିବେ।

କଂଗ୍ରେସ ପୂର୍ବରୁ ବିଜେପି ୫୭ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା। ଏହି ଲିଷ୍ଟରେ ହାଇ ପ୍ରୋଫାଇଲ ବିଧାନସଭା ସିଟ୍‌ ନନ୍ଦିଗ୍ରାମ ପାଇଁ ଶୁଭେନ୍ଦୁ ଅଧିକାରୀଙ୍କ ନାଁ ଘୋଷଣା କରିଥିବା ବେଳେ ଏହି ସିଟ୍‌ରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲଢ଼ିବେ ବୋଲି ଘୋଷଣା କରିସାରିଛନ୍ତି। କଂଗ୍ରେସ ମୋୟନା ସିଟରେ ମାଣିକ ଭୌମିକଙ୍କୁ ଟିକେଟ୍‌ ଦେଇଛି। ଏହି ସିଟ୍‌ରେ ବିଜେପି ପୂର୍ବତନ କ୍ରିକେଟର ଅଶୋକ ଡିଣ୍ଡାଙ୍କୁ ପ୍ରାର୍ଥୀ କରିଛି।

ବାଘୁମୁଣ୍ଡି ସିଟରେ କଂଗ୍ରେସର ପ୍ରାର୍ଥୀ ନେପାଳ ମହତୋ ହୋଇଥିବା ବେଳେ ବିଜେପି ଏହି ସିଟ୍‌କୁ ଆଜସୁ ପାଇଁ ଛାଡ଼ିଛି। ପଶ୍ଚିମବଙ୍ଗରେ କଂଗ୍ରେସ, ବାମ ମୋର୍ଚ୍ଚା ସହ ମିଶି ନିର୍ବାଚନ ଲଢ଼ିବ। ବାମ ମୋର୍ଚ୍ଚା ଆବଣ୍ଟିତ ସିଟ୍‌ଗୁଡ଼ିକ ପାଇଁ ନିଜ ପ୍ରାର୍ଥୀ ମଧ୍ୟ ଘୋଷଣା କରିଛି। ସେପଟେ କିଛି ସିଟ୍‌ରେ ଭାଗ ଛିଡ଼ିନଥିବା ବେଳେ ପରେ ଆଲୋଚନା ହେବ। ଏନେଇ ପ୍ରାର୍ଥୀ ଘୋଷଣା ପରେ ହେବ ବୋଲି ବାମ ମୋର୍ଚ୍ଚା ଅଧ୍ୟକ୍ଷ ବିମାନ ବୋଷ କହିଛନ୍ତି। ଏହି ସିଟ୍‌ ମଧ୍ୟରେ ନନ୍ଦିଗ୍ରାମ ସାମିଲ ଅଛି।

Spread the love