ଓଲଟିଲା ବସ୍, 13 ଯାତ୍ରୀ ଆହତ

ଚଳନ୍ତା ବସ୍‌ରେ ଚେତା ହରାଇଲେ ଡ୍ରାଇଭର । ହଠାତ ଷ୍ଟିୟରିଂ ଉପରେ ମୁଣ୍ଡ ଝୁଙ୍କାଇ ପଡ଼ିଗଲେ। ଗାଡ଼ିରେ ଥିଲେ ପ୍ରାୟ 40ରୁ ଅଧିକ ଯାତ୍ରୀ । ଆଗକୁ ରାସ୍ତା ବୁଲାଣି ଥିଲା । ଆଗ ସିଟ୍‌ରେ ଥିବା କେତେକ ଯାତ୍ରୀ ଭୟଭୀତ ହୋଇ ପାଟିକରି ଉଠିଲେ । ତେବେ କେହି କିଛି ଭାବିବା ପୂର୍ବରୁ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିପଡ଼ିଲା । ଏଥିରେ 13 ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଅନ୍ୟମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଆକୁଳ ପଞ୍ଚାୟତ ମଲଣ୍ଡା ଗ୍ରାମରେ ଆଜି ସକାଳ 7ଟା ବେଳେ ଏଭଳି ଅଭାବନୀୟ ଦୁର୍ଘଟଣା ଘଟିଛି । ଖବର ଅନୁସାରେ ଓଆର 09 କ୍ୟୁ 2723 ନମ୍ବରବିଶିଷ୍ଟ ଅମ୍ବା ନାମକ ଏକ ଘରୋଇ ବସ୍‌ ଆଜି କଙ୍କଡ଼ାହାଡ଼ରୁ ଯାତ୍ରୀଙ୍କୁ ନେଇ ଗନ୍ତବ୍ୟସ୍ଥଳ କେନ୍ଦୁଝର ଅଭିମୁଖେ ବାହାରିଥିଲା । ପ୍ରତ୍ୟକ୍ଷଦର୍ଶୀ ଯାତ୍ରୀଙ୍କ କହିବା ଅନୁସାରେ ଗାଡ଼ି ଚାଲିଥିବା ସମୟରେ ମଲଣ୍ଡା ନିକଟରେ ଡ୍ରାଇଭର ହଠାତ ଚେତାଶୂନ୍ୟ ହୋଇ ଷ୍ଟିୟରିଂ ଉପରେ ଢଳିପଡ଼ିଥିଲେ । ବେଗ କମ ଥିଲେ ମଧ୍ୟ ବସ୍‌ଟି ରାସ୍ତାପାର୍ଶ୍ବକୁ ଓଲଟି ପଡ଼ିଥିଲା ।

ଆହତ ଯାତ୍ରୀମାନେ ହେଲେ ଟାଙ୍ଗିରୀର ପାର୍ବତୀ ମହାନ୍ତ (38), ମଦନ ପୂର୍ତ୍ତି (40), ନମକାନୀ କ୍ଷୀରମଣି ଚାମ୍ପିଆ(54), ଗଙ୍ଗାଧର ତିରିଆ(36), ଗୋଳାବନ୍ଧ ସୁରିଆ ବେହେରା(45), କମଳାଙ୍ଗ ବନୀତା ପଲେଇ(55), ଜୀରା ନାୟକ(56), ପ୍ରଶାନ୍ତ ପ୍ରଧାନ(42) ଓ ଯୋଡ଼ାର ବିଶ୍ବନାଥ ପ୍ରଧାନ। ଗୁରୁତର 3 ଜଣ ହେଲେ ତେଲକୋଇ ଥାନା ରାଣୀବେଡ଼ାର ଭବାନୀ ମହାକୁଡ଼ (16), ଗୋଡ଼ାର ବିଶ୍ବନାଥ ବେହେରା(55), ଖଜୁରିଆର ପ୍ରଫୁଲ୍ଲ ଜୁଆଙ୍ଗ(48) । ଖବରପାଇ ଘଟଣାସ୍ଥଳରେ ସମାଜସେବୀ ଦୀପକ ମାରାଣ୍ଡି, ଶିକ୍ଷକ ବିକ୍ରମାଦିତ୍ୟ ବେହେରା, ଡାକ୍ତର ନାୟକ, ଅପୁ ନାୟକ, ସୁଦାମ ନାୟକ, ଥବୀର ନାୟକ ପହଞ୍ଚି ବସ୍‌ର କାଚ ଭାଙ୍ଗି ସମସ୍ତଙ୍କୁ ଉଦ୍ଧାର କରି ତେଲକୋଇ ଡାକ୍ତରଖାନା ପଠାଇଥିଲେ ।

Spread the love