ଜଙ୍ଗଲ ଭିତରେ ମହିଳା ନକ୍ସଲ ପାଳିଲେ ଅନ୍ତର୍ଜାତୀୟ ମହିଳା ଦିବସ, ପ୍ରଜାମେଳି ସହ ବାହାରିଲା ବିରାଟ ଶୋଭାଯାତ୍ରା

ଜଙ୍ଗଲ ଭିତରେ ମହିଳା ନକ୍ସଲ ବି ପାଳିଲେ ଅନ୍ତର୍ଜାତୀୟ ମହିଳା ଦିବସ । ମାଓ ସଂଗଠନରେ ଅଧିକରୁ ଅଧିକ ମହିଳାମାନଙ୍କୁ ସାମିଲ କରାଯାଇ କିଭଳି ସଂଗଠନକୁ ମଜବୁତ୍ କରାଯାଇପାରିବ ସେନେଇ ମହିଳା କମାଣ୍ଡରମାନେ ଘଞ୍ଚ ଜଙ୍ଗଲ ଭିତରେ ବିରାଟ ଶୋଭାଯାତ୍ରା କରିବା ସହ ପ୍ରଜାମେଳି କରିଛନ୍ତି। ଯାହାର ଭିଡିଓ ଏବେ ଭାଇରାଲ୍ କରିଛି ଲାଲ୍ ବାହିନୀ ।
ଅନ୍ତରାଷ୍ଟ୍ରୀୟ ମହିଳା ଦିବସ…. ଜିନ୍ଦାବାଦ୍…. ଜିନ୍ଦାବାଦ୍…. । ନିକଟରେ ବିଶ୍ବ ମହିଳା ଦିବସ ଅବସରରେ ଇଏ ଥିଲା ମାଓ ସଂଗଠନର ମହିଳା କ୍ୟାଡ୍ରଙ୍କ ସ୍ଲୋଗାନ୍ । ଘଞ୍ଚ ଜଙ୍ଗଲ ଭିତରେ ଚାଲିଥିଲା ବିରାଟ ଶୋଭାଯାତ୍ରା ସହ ପ୍ରଜାମେଳି । ମାଲକାନଗିରି-ଛତିଶଗଡ଼ ସୀମାନ୍ତରେ ମାଓବାଦୀମାନେ ପାଳନ କରିଥିଲେ ମହିଳା ଦିବସ । ଯାହାର ଭିଡିଓ ଏବେ ଭାଇରାଲ୍ କରିଛି ଲାଲ୍ ବାହିନୀ ।
ଦିନକୁ ଦିନ ନକ୍ସଲ ସଂଗଠନ ଦୁର୍ବଳ ହେଉଥିବା ଏବଂ ସଂଗଠନରେ ପୁରୁଷ କ୍ୟାଡରଙ୍କ ସଂଖ୍ୟା କମୁଥିବା ବେଳେ ଅଧିକରୁ ଅଧିକ ମହିଳାଙ୍କୁ ସଂଗଠନରେ ସାମିଲ କରି ଶକ୍ତି ବୃଦ୍ଧି ପାଇଁ ଯୋଜନା କରିଛି ଲାଲ୍ ବାହିନୀ। ଖାସ୍ ସେଇଥି ପାଇଁ ଯେତେବେଳେ ସାରା ବିଶ୍ବ ମହିଳା ସଶକ୍ତିକରଣକୁ ନେଇ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରୁଥିଲା ସେତେବେଳେ ନକ୍ସଲ ସଂଗଠନ ପ୍ରତି ମହିଳାଙ୍କୁ ଆକୃଷ୍ଟ କରିବା ସହ ସେମାନଙ୍କୁ ସଂଗଠନରେ ସାମିଲ କରିବାକୁ ଏଭିଳ ପ୍ରୟାସ ଚଳାଇଛି ଲାଲ ବାହିନୀ ।

ସଂଗଠନର ମହିଳା କ୍ୟାଡରମାନେ ପ୍ରଜାମେଳି କରିବା ସହ ମହିଳା ସଶକ୍ତିରଣର ଦ୍ବାହି ଦେଇ ସଂଗଠନ ଶକ୍ତି ବୃଦ୍ଧି କରିବାକୁ ଚାଲ୍ ଚଳାଇଛନ୍ତି । ଶହ ଶହ ମହିଳା ନାଲି ପତାକା ଓ ପ୍ଲା-କାର୍ଡ଼ ଧରି ଶୋଭାଯାତ୍ରା କରିଛନ୍ତି। ଆଉ ପ୍ରଜାମେଳିରେ ଏକଜୁଟ୍ ହୋଇଥିବା ମହିଳାମାନଙ୍କୁ ନକ୍ସଲ ସଂଗଠନର କାର୍ଯ୍ୟ ସମ୍ପର୍କରେ ବୁଝାଉଥିଲେ ମହିଳା କ୍ୟାଡର ।

ମାଲକାନଗିରି ଛତିଶଗଡ ସୀମାନ୍ତରେ ଆୟୋଜିତ ମାଓବାଦୀଙ୍କ ଏହି ମହିଳା ସମାବେଶ ଅନେକ କିଛି ସୁଚନା ଦେଉଛି । ଲାଲ୍ ବାହିନୀକୁ ମୁଳପୋଛ କରିବା ଲାଗି ସୁକୁମା ଓ ଦାନ୍ତେୱାଡା ଜିଲ୍ଲାରେ ମହିଳା କମାଣ୍ଡୋମାନଙ୍କୁ ନେଇ ଦନ୍ତେଶ୍ବରୀ ବାହିନୀ ଗଠନ କରାଯାଇଥିବା ବେଳେ ନକ୍ସଲ ମଧ୍ୟ ଏହାର ମୁକାବିଲା ପାଇଁ ସଂଗଠନରେ ମହିଳା କ୍ୟାଡରଙ୍କ ସଂଖ୍ୟା ବଢ଼ାଇବାକୁ ଯୋଜନା କରିଛନ୍ତି ।ସୀମାନ୍ତ ମାଲକାନଗିରି ଜିଲ୍ଲାରେ ପୁର୍ବରୁ ମାଓ ସଂଗଠନରେ ଅନେକ ଆଦିବାସୀ ମହିଳା ଯୋଗ ଦେଇଥିବା ବେଳେ ସେମାନଙ୍କୁ ନେଇ ପୁର୍ବରୁ ଜନନାଟ୍ୟ ମଣ୍ଡଳି ଗଠନ କରାଯାଇଥିଲା ଆଉ ଏବେ ଗରିଲା ଯୁଦ୍ଧରେ ପୁଣି ଥରେ ମହିଳା ମାଓବାଦିଙ୍କୁ ମଧ୍ୟ ଦେଖିବାକୁ ମିଳିପାରେ । ଲାଲ୍ ବାହିନୀର ଏଭଳି ଷ୍ଟ୍ରାଟେଜି ମାଓ ଦମନ ଅପରେସନ ପାଇଁ ନୂଆ ଚାଲେଂଜ୍ ସୃଷ୍ଟି କରିବ ବୋଲି କୁହାଯାଉଛି ।

ଗୋଟେପଟେ ମାଓବାଦୀଙ୍କ ମୂଳପୋଛ ପାଇଁ ନକ୍ସଲ ଦମନ ଅପରେସନ ସହ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ ଅନ୍ୟପଟେ ଘଞ୍ଚ ଜଙ୍ଗଲ ଭିତରେ ସଂଗଠନ ବଞ୍ଚାଇବାକୁ ଉଦ୍ୟମ ଚଳାଇଛନ୍ତି ନକ୍ସଲ । ଆଉ ଏଭଳି ଷ୍ଟ୍ରାଟେଜିର ଭାର କାନ୍ଧକୁ ନେଇଛନ୍ତି ସଂଗଠନର ମହିଳା କମାଣ୍ଡର ।

Spread the love