କୃଷକଙ୍କ ସହିତ ସବୁବେଳେ ରହିବି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବରରେ ଆରମ୍ଭ ହୋଇଛି ୫ ଦିନିଆ ରାଜ୍ୟସ୍ତରୀୟ କୃଷି ସମ୍ମିଳନୀ ‘କୃଷି ଓଡ଼ିଶା-୨୦୨୧’ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହାକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ସେ ସବୁବେଳେ ଚାଷୀଙ୍କ ସହ ରହିଛନ୍ତି ଓ ରହିଥିବେ । ବର୍ତ୍ତମାନ ସୁଦ୍ଧା ରାଜ୍ୟ ଚାଷୀଙ୍କୁ ୨୦ ହଜାର କୋଟି ଟଂକା ଋଣ ଦିଆଯାଇଛି ।

ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ଫିକି ଆନୁକୂଲ୍ୟରେ ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଆୟୋଜିତ ଏହି ମେଗା କୃଷି ପ୍ରଦର୍ଶନୀ ମାର୍ଚ୍ଚ ୧୫ରୁ ୧୯ ଯାଏଁ ଚାଲିବ ।

ଏହି କାର୍ଯ୍ୟକ୍ରମରେ ୧୦ଟି ବିଷୟବସ୍ତୁକୁ ନେଇ ପାଠଶାଳା ଆୟୋଜନ କରାଯିବ। ଚାଷୀ, କୃଷି ଉଦ୍ୟୋଗୀ ଏବଂ କୃଷି ବିଜ୍ଞାନୀମାନଙ୍କୁ ନେଇ ଆଲୋଚନାଚକ୍ର ଅନୁଷ୍ଠିତ ହେବ। କୃଷି ଓଡ଼ିଶାରେ ଏଥର ୧୬୦ଟି ମଣ୍ଡପରେ କୃଷି, ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ, ଜଳଛାୟା ମିଶନ, ପ୍ରାଣୀ ଓ ମତ୍ସ୍ୟ ସମ୍ପଦ ଆଦି ବିଭାଗ ପକ୍ଷରୁ ପ୍ରଦର୍ଶନୀ କରାଯାଉଛି। ଏଥର କୃଷି ଓଡ଼ିଶାରେ ମିଲେଟ୍ ମିଶନ୍ ଏବଂ ମିଶନ ଶକ୍ତି ପକ୍ଷରୁ ସ୍ୱତନ୍ତ୍ର ପ୍ରଦର୍ଶନୀ କରାଯାଉଛି।

ବୈଷୟିକ ଜ୍ଞାନକୌଶଳ, ନୂଆ ନୂଆ କୃଷି ଯନ୍ତ୍ରପାତି ଏବଂ ବଜାର ସୁବିଧା ସମ୍ପର୍କରେ ସୂଚନା ଦେବା ପାଇଁ ପ୍ରତିବର୍ଷ ‘କୃଷି ଓଡ଼ିଶା’ ଆୟୋଜନ କରାଯାଉଛି। ଏବର୍ଷ କୃଷି ଓଡ଼ିଶାର ଥିମ୍ – ସମନ୍ୱିତ ଚାଷ : ଚାଷୀଙ୍କ ବିକାଶ ରହିଥିବା ବେଳେ ମାସ୍କଟ୍ ରହିଛି ‘ପାଳଛତୁ’।

Spread the love