ଏପ୍ରିଲ ୧୭ରେ ପିପିଲି ଉପନିର୍ବାଚନ

ଏପ୍ରିଲ ୧୭ରେ ପିପିଲି ଉପନିର୍ବାଚନ ଅନୁଷ୍ଠିତ ହେବ ବୋଲି ନିର୍ବାଚନ କମିସନ ପକ୍ଷରୁ ଘୋଷଣା କରାଯାଇଛି । ଏଥି ପାଇଁ ମାର୍ଚ୍ଚ ୨୩ରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ।ଉପନିର୍ବାଚନ ଲାଗି  ନାମାଙ୍କନ ଦାଖଲର ଶେଷ ତାରିଖ ମାର୍ଚ୍ଚ ୩୦ ରଖାଯାଇଛି । ସେହିପରି ପ୍ରାର୍ଥୀମାନଙ୍କର ନାମାଙ୍କନଗୁଡ଼ିକ ଯାଂଚ ଚଳିତ ମାସ ୩୧ ତାରିଖରେ କରାଯିବ । ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଏପ୍ରିଲ ୩ ତାରିଖ ରଖାଯାଇଛି। ମେ’ ୨ ତାରିଖରେ ଭୋଟ ଗଣତି ସହ ଫଳାଫଳ ମଧ୍ୟ ପ୍ରକାଶ ପାଇବ।

ସୂଚନାଯୋଗ୍ୟ, ବିଧାୟକ ପ୍ରଦୀପ ମହରାଥୀଙ୍କ ପରଲୋକ ପରେ ଏହି ଆସନ ଖାଲି ପଡ଼ିଥିଲା। ତେବେ ଗତ କିଛି ଦିନ ହେବ ପିପିଲି ଉପନିର୍ବାଚନ ତାରିଖ ଘୋଷଣା ନେଇ ନେଇ ରାଜନୈତିକ ଉତ୍ସୁକତା ପ୍ରକାଶ ପାଇଥିଲା। ବିଭିନ୍ନ ରାଜନୈତିକ ଦଳ ପୂର୍ବ ପ୍ରସ୍ତୁତି ମଧ୍ୟ ଆରମ୍ଭ କରି ଦେଇଥିଲେ।

ନିର୍ବାଚନ ଆୟୋଗଙ୍କ ବିଜ୍ଞପ୍ତି ଅନୁସାରେ ତାମିଲନାଡୁ, କେରଳ, ଆସାମ, ପଶ୍ଚିମବଙ୍ଗ ରାଜ୍ୟ ସହିତ ପୁଡୁଚେରି ବିଧାନସଭା ପାଇଁ ନିର୍ବାଚନ ହେଉଛି। ଏଥି ସହ ଦେଶର ୨ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଓ ୧୪ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ହେବ। ତେବେ ଉପନିର୍ବାଚନଗୁଡ଼ିକ ଏପ୍ରିଲ ୧୭ ତାରିଖରେ ଅନୁଷ୍ଠିତ ହେବ ବୋଲି ନିର୍ବାଚନ ଆୟୋଗ ପକ୍ଷରୁ ଆଜି ତାରିଖ ଘୋଷଣା ହୋଇଛି।

Spread the love