ରେଳବାଇର ଘରୋଇକରଣ ହେବନି, ରେଳମନ୍ତ୍ରୀ ଗୋୟଲ ସ୍ପଷ୍ଟ କଲେ

ରେଳବାଇର ‌କେବେବି ଘରୋଇକରଣ ହେବନାହିଁ ବୋଲି ଆଜି ରେଳମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି। ଲୋକସଭାରେ ରେଳ ମନ୍ତ୍ରଣାଳୟ ଖର୍ଚ୍ଚଦାବି ଉପରେ ହୋଇଥିବା ଆଲୋଚନାରେ ଅଂଶଗ୍ରହଣ କରି ସେ କହିଛନ୍ତି ଯେ ରେଳବାଇର ଘରୋଇକରଣ ହେବନି, କିନ୍ତୁ ଘରୋଇ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରାଯିବ। ଘରୋଇ ପୁଞ୍ଜି ଆସିଲେ ରେଳବାଇ ଆହୁରି ଭଲ ଭାବେ ପରିଚାଳିତ ହୋଇପାରିବ। ସେ କହିଛନ୍ତି ଯେ ଭାରତୀୟ ରେଳର‌ କେବବି ଘରୋଇକରଣ ହେବନାହିଁ।

ଏହା ପ୍ରତି ଭାରତୀୟଙ୍କ ସମ୍ପତ୍ତି ଓ ତାହା ସେମାନଙ୍କର ହୋଇରହିବ। ଯେତେବେଳେ ଉଭୟ ସରକାର ଓ ଘରୋଇ କ୍ଷେତ୍ର ମିଳିତ ଭାବେ କାର୍ଯ୍ୟ କରନ୍ତି ସେହି ସମୟରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୁଏ ବୋଲି ସେ କହିଛନ୍ତି। ରେଳବାଇକୁ ଅଧିକ ସୁଦୃଢ଼ କରିବା ଲାଗି ୨୦୨୧-୨୨ ଆର୍ଥିକ ବର୍ଷରେ ୨.୧୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରିବାକୁ ଲକ୍ଷ୍ୟ ରଖାଯାଇଛି। ଯାତ୍ରୀମାନଙ୍କ ସୁରକ୍ଷା ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି। ଦୁଇ ବର୍ଷ ଭିତରେ ରେଳ ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କ ମୃତ୍ୟୁ ହୋଇନାହିଁ ବୋଲି ଶ୍ରୀ ଗୋୟଲ ସୂଚନା ଦେଇଛନ୍ତି। ଶେଷ ଥର ଲାଗି ୨୦୧୯ ମାର୍ଚ୍ଚରେ ଟ୍ରେନ୍ ଦୁର୍ଘଟଣାରେ ଯାତ୍ରୀମାନେ ପ୍ରାଣ ହରାଇଥିଲେ। ଘରୋଇ ସଂସ୍ଥାଗୁଡ଼ିକୁ ଟ୍ରେନ୍ ଚଲାଇବାର ଅନୁମତି ପ୍ରଦାନ କରାଯିବା ପରେ ରେଳବାଇର ଘରୋଇକରଣ ଉପରେ ସରକାର ବିଚାର କରୁଥିବା ନେଇ ଚର୍ଚ୍ଚା ହୋଇଥିଲା।

ସବୁ ବ୍ୟାଙ୍କ ବିକ୍ରି ହେବନି: ନିର୍ମଳା
ନୂଆଦିଲ୍ଲୀ: ସରକାରଙ୍କ ଘରୋଇକରଣ ନୀତିକୁ ନେଇ ୟୁନାଇଟେଡ୍‌ ଫୋରମ୍ ଅଫ୍‌ ବ୍ୟାଙ୍କ ୟୁନିୟନ୍ (ୟୁବିଏଫ୍‌ୟୁ) ଦୁଇଦିନିଆ ଧର୍ମଘଟ କରିଥିବା ବେଳେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସେ କହିଛନ୍ତି ଯେ ସବୁ ବ୍ୟାଙ୍କର ଘରୋଇକରଣ କରିବା ନେଇ ସରକାରଙ୍କ କୌଣସି ଯୋଜନା ନାହିଁ। ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ସ୍ବାର୍ଥ ରକ୍ଷା ପାଇଁ ସରକାର ଯତ୍ନାବନ ଅଛନ୍ତି। ସେଥିପାଇଁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ।

ବେତନ ହେଉ କିମ୍ବା ପେନ୍‌ସନ୍ ସରକାର ସବୁ କିଛିର ଦାୟିତ୍ବ ନେବେ। ନିର୍ମଳା କହିଛନ୍ତି ଯେ ଏବେ ଯେଉଁ କିଛି ବ୍ୟାଙ୍କ ରହିଛି ସେମାନଙ୍କ ମଧ୍ୟରୁ କିଛି ଭଲ ପ୍ରଦର୍ଶନ କରୁଥିବା ବେଳେ ଅନ୍ୟମାନଙ୍କ ପ୍ରଦର୍ଶନ ଠିକ୍‌ଠାକ୍ ରହିଛି। ସେମାନଙ୍କୁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ପଡ଼ିବ ‌। ଏଥିରେ କୌଣସି ଦ୍ବନ୍ଦ୍ବ ନାହିଁ। କିନ୍ତୁ ଆମକୁ ଏଭଳି ବ୍ୟାଙ୍କ ଦରକାର ଯାହା ସମ୍ପ୍ରସାରିତ ହୋଇପାରିବ ବୋଲି ସେ କହିଛନ୍ତି।

Spread the love