ଗବେଷଣାକୁ ପ୍ରୋତ୍ସାହନ : ପଟ୍ଟାମୁଣ୍ଡାଇ କଲେଜ ଓ ସୋଆ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଗବେଷଣାକୁ ଦେଇଛି ପ୍ରୋତ୍ସାହନ । ଏହି ଦିଗରେ ନେଇଛି ନୂଆ ପଦକ୍ଷେପ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ କଲେଜ ସହ ଗୁରୁବାର ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣା ଫଳରେ କଲେଜର ଅଧ୍ୟାପକ/ଅଧ୍ୟାପିକାମାନେ ପୂର୍ଣ୍ଣକାଳୀନ ଏବଂ ସାମୟିକ ଭାବେ ସୋଆରେ ଗବେଷଣା ଏବଂ ପିଏଚ୍‌ଡି କରିପାରିବେ । ସେହିପରି କଲେଜର ଛାତ୍ରଛାତ୍ରୀ ଏବଂ କର୍ମଚାରୀମାନେ ସୋଆରେ ବିଭିନ୍ନ ସୁବିଧା ଏବଂ ଲାଇବ୍ରେରୀ ବ୍ୟବହାର ପାଇଁ ସୁଯୋଗ ପାଇପାରିବେ । ସେହିପରି ସୋଆର ଅଧ୍ୟାପକମାନେ ପଟ୍ଟାମୁଣ୍ଡାଇ କଲେଜର ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ‘ଆଡ ଅନ୍‌’ କୋର୍ସର ସୁବିଧା ଯୋଗାଇଦେବେ । କମ୍ପ୍ୟୁଟର ଶିକ୍ଷା କ୍ଷେତ୍ରରେ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବ ।

ରାଷ୍ଟ୍ରୀୟ ମୂଲ୍ୟାୟନ ଏବଂ ଅନୁମୋଦନ ପରିଷଦ (ନାକ୍‌)ସମେତ ବିଭିନ୍ନ ସ୍ୱୀକୃତି ନିମନ୍ତେ ସୋଆ ପକ୍ଷରୁ କଲେଜକୁ ପ୍ରସ୍ତୁତ କରାଯିବ । ସୋଆ ପକ୍ଷରୁ କଲେଜର ଛାତ୍ରଛାତ୍ରୀମାନଙ୍କର ପ୍ଲେସ୍‌ମେଣ୍ଟ୍‌ ନିମନ୍ତେ ତାଲିମ କାର୍ଯ୍ୟକ୍ରମ କରାଯିବ । ସୋଆ ସହଯୋଗରେ ଏନ୍‌ଏସ୍‌ଏସ୍‌ ଏବଂ ଯୋଗ ସମ୍ୱନ୍ଧୀୟ କାର୍ଯ୍ୟ ପରିଚାଳନା କରାଯିବ । କଲେଜରେ ଯୋଗ ଏବଂ ସ୍ୱାସ୍ଥ୍ୟ ସଚେତନତା ସମ୍ୱନ୍ଧୀୟ ଏକ ଉତ୍କର୍ଷ କେନ୍ଦ୍ର ମଧ୍ୟ ଆରମ୍ଭ କରାଯିବ । ସେହିପରି ସୋଆ ପକ୍ଷରୁ କଲେଜର ଛାତ୍ରଛାତ୍ରୀ ଏବଂ କର୍ମଚାରୀମାନଙ୍କ ନିମନ୍ତେ ସ୍ୱାସ୍ଥ୍ୟ ଶିବିର ଆୟୋଜନ ସହିତ ସ୍ଥାନୀୟ ବରିଷ୍ଠ ନାଗରିକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯିବ ।

ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକଙ୍କ ଉପସ୍ଥିତିରେ ପ୍ରୋ-ଭାଇସଚାନ୍‌ସେଲର ପ୍ରଫେସର ପି.କେ. ନନ୍ଦ ଏବଂ ପଟ୍ଟାମୁଣ୍ଡାଇ କଲେଜର ଅଧ୍ୟକ୍ଷ ପ୍ରଫେସର ଅଧିକାରୀ ଲକ୍ଷ୍ମୀନାରାୟଣ ଦାସ ଏହି ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୋଆ ରେଜିଷ୍ଟ୍ରାର୍‌ ପ୍ରଫେସର ବିଭୁତି ଭୂଷଣ ପ୍ରଧାନ, ଛାତ୍ରମଙ୍ଗଳ ଡିନ୍‌ ପ୍ରଫେସର ଜ୍ୟୋତିରଞ୍ଜନ ଦାସ, ମୁଖ୍ୟ ପ୍ରଶାସନିକ ଅଧିକାରୀ(ଚିଫ୍‌ ଆଡମିନିଷ୍ଟ୍ରେଟିଭ୍‌ ଅଫିସର୍‌) ପି.କେ. ପଣ୍ଡାଙ୍କ ସମେତ ପ୍ରଫେସର ଲକ୍ଷ୍ମୀଧର ମହାରଣା, ଡଃ ଚିନ୍ମୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ପଟ୍ଟାମୁଣ୍ଡାଇ କଲେଜ ପକ୍ଷରୁ ଡଃ ଦୁଃଶାସନ ପରିଡା, ପ୍ରଫେସର ଦିଲୀପ କୁମାର ଭୂୟାଁ, ପ୍ରଫେସର ଅରବିନ୍ଦ ପାଣ୍ଡବ ଉପସ୍ଥିତ ଥିଲେ ।

Spread the love