ଆଜି ବିଶ୍ବ ନିଦ୍ରା ଦିବସ
ଆର୍ଥିକ ସଙ୍କଟ ଏବଂ କୋଭିଡ୍ ପାଇଁ ପ୍ରତି ୪ ଜଣରେ ଜଣେ ଭାରତୀୟ ଶୋଇପାରୁନାହାନ୍ତି। ବାର୍ଷିକ ‘ଫିଲିପ୍ସ ଗ୍ଲୋବାଲ୍ ସ୍ଲିପ୍ ସର୍ଭେ’ ରିପୋର୍ଟରୁ ଏହା ଜଣାପଡ଼ିଛି। ବିଶ୍ବ ନିଦ୍ରା ଦିବସ ଥିବା ବେଳେ ଆଜି ଏହି ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ସର୍ଭେରେ ସାମିଲ ହୋଇଥିବା ୩୭ ପ୍ରତିଶତ ଭାରତୀୟ କହିଛନ୍ତି, ସେମାନେ ଠିକ୍ରେ ଶୋଇପାରୁନାହାନ୍ତି। ୨୭ ପ୍ରତିଶତ ଭାରତୀୟଙ୍କ ଅନୁଯାୟୀ ସେମାନଙ୍କୁ ନିଦ ଲାଗୁଥିଲେ ମଧ୍ୟ ଠିକ୍ରେ ଶୋଇବା ସମ୍ଭବ ହେଉନାହିଁ। ୩୯ ପ୍ରତିଶତ ଭାରତୀୟଙ୍କର ରାତ୍ରୀରେ ବାରମ୍ବାର ନିଦ୍ରାଭଙ୍ଗ ହେଉଥିବା ସ୍ବୀକାର କରିଛନ୍ତି। ମୋଟ୍ ଉପରେ ୬୭ ପ୍ରତିଶତ ଭାରତୀୟ କହିଛନ୍ତି, ନିଦ ନେଇ ସେମାନେ ସନ୍ତୁଷ୍ଟ ଅଛନ୍ତି। ଗତବର୍ଷ ହୋଇଥିବା ସର୍ଭେରେ ୭୬ ପ୍ରତିଶତ ଭାରତୀୟ ସେମାନଙ୍କୁ ଠିକ୍ ନିଦ ହେଉଥିବା କହିଥିଲେ। ଉକ୍ତ ୨ଟି ଯାକ ସର୍ଭେରେ ୧୦୦୦ ଜଣ ସାମିଲ ହୋଇଥିଲେ।
ସର୍ଭେରେ ସାମିଲ ହୋଇଥିବା ୬୩ ପ୍ରତିଶତ କହିଛନ୍ତି, ଆର୍ଥିକ ସଙ୍କଟ ସେମାନଙ୍କ ନିଦ୍ରାକୁ ପ୍ରଭାବିତ କରିଛି। ୫୯ ପ୍ରତିଶତ କହିଛନ୍ତି, କରୋନା ମହାମାରୀର ଚାପରେ ସେମାନଙ୍କ ନିଦ୍ରା ପ୍ରଭାବିତ ହୋଇଛି। ସେହିପରି ସର୍ଭେରେ ସାମିଲ ହୋଇଥିବା ୮୪ ପ୍ରତିଶତ କହିଛନ୍ତି, ଶୋଇବା ସମୟରେ ସେମାନଙ୍କ ଫୋନ୍ଠାରୁ ଦୂରରେ ରହୁଥିବାରୁ କଷ୍ଟ ଭୋଗୁଛନ୍ତି। ସର୍ଭେରେ ସାମିଲ ହୋଇଥିବା ୬୦ ପ୍ରତିଶତ ଭାରତୀୟ କହିଛନ୍ତି, ଶୋଇବାପାଇଁ ସେମାନଙ୍କୁ କୌଣସି ମନୋରଞ୍ଜନ ମାଧ୍ୟମର ସହଯୋଗ ନେବାକୁ ପଡ଼ୁଛି। ୩୨ ପ୍ରତିଶତ ଭାରତୀୟ କହିଛନ୍ତି, ରାତି ଅଧରେ ମେସେଜ୍ ଏବଂ ଫୋନ୍ ପାଇଁ ସେମାନଙ୍କ ନିଦ ଭାଙ୍ଗି ଯାଉଛି। କେବଳ ୮ ପ୍ରତିଶତ ଭାରତୀୟ ଶୋଇବା ସମୟରେ ଫୋନ୍ ବ୍ୟବହାର କରୁନଥିବା କହିଛନ୍ତି। ନିଦ୍ରାରେ ସମସ୍ୟା ପାଇଁ ୪୪ ପ୍ରତିଶତ ଭାରତୀୟ ସ୍ଲିପ୍ ଟ୍ରାକର୍ ବ୍ୟବହାର କରୁଛନ୍ତି। ଅନେକ ନିଦ ବିଶେଷଜ୍ଞଙ୍କର ସହଯୋଗ ନେଇଛନ୍ତି।