ଜାଣିଛନ୍ତି କି ତରଭୂଜ ମଞ୍ଜି କେତେ ଉପକାରୀ

ତରଭୂଜ ଖାଇବା ସମୟରେ ଲୋକମାନେ ତାହାର ମଞ୍ଜିକୁ କାଢ଼ି ଫିଙ୍ଗି ଦେଇଥାନ୍ତି। କାରଣ ଏହାର ଉପକାରିତା ବିଷୟରେ ଲୋକମାନଙ୍କୁ ହୁଏତ ଜଣା ନ ଥାଏ। ସେଥିପାଇଁ ଏହାକୁ ଫିଙ୍ଗି ଦେଇଥାନ୍ତି। ତରଭୂଜ ମଞ୍ଜିର ଅନେକ ଉପକାରୀ ଗୁଣ ରହିଛି। ପୁଷ୍ଟିସାରରେ ଭରା ଏହି ମଞ୍ଜିକୁ ଖାଇବା ଦ୍ୱାରା ଆମକୁ ବିଭିନ୍ନ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ। ଏହା ସହିତ ଶରୀରକୁ ଅନେକ ସୁଫଳ ମିଳିପାରିଥାଏ। ତେଜରାତି ବା ରାସନ ଦୋକାନମାନଙ୍କରେ ଏହା (ଚାରୁ) ମଗଜ ଦାନା ଭାବେ ଚୋପାଛଡ଼ା ହୋଇ ବିକ୍ରି ହେଉଛି।

ଏହା ଏବେ ବଜାରରେ ରୋଷ୍ଟେଡ୍‌ ମେଲୋନ୍‌ ସିଡ୍‌ସ ନାଁରେ ମିଳୁଛି। ଆୟୁର୍ବେଦିକ ଔଷଧର ସବୁଠୁ ବଡ଼ ନିର୍ମାତା ପତଂଜଳି ଆୟୁର୍ବେଦ ମଧ୍ୟ ଏହାକୁ ପ୍ୟାକିଂ କରି ବିକ୍ରି କରିବା ଆରମ୍ଭ କଲାଣି। ଭାରତର ସବୁଠୁ ବଡ଼ ଅନ୍‌ଲାଇନ୍‌ ଷ୍ଟୋର ଆମାଜନ୍‌ରେ ମଧ୍ୟ ଏହା ଉପଲବ୍ଧ ହେଉଛି । ବିଦେଶରେ ଏହା ପ୍ରଚୁର ପରିମାଣରେ ବିକ୍ରି ହେଉଛି।
୧- ଶରୀରର ବିକାଶ ପାଇଁ ଏମିନୋ ଏସିଡ୍‌ର ଆବଶ୍ୟକତା ରହିଥାଏ। ଏହାର ଅଭବ ବହୁତ କମ୍‌ ଖାଦ୍ୟ ପୂରଣ କରିଥାନ୍ତି। ତାହା ମଧ୍ୟରୁ ତରଭୂଜ ମଞ୍ଜି ଅନ୍ୟତମ। ତରଭୂଜ ମଞ୍ଜିରେ ବହୁ ପରିମାଣରେ ଏମିନୋ ଏସିଡ୍‌ ଥାଏ। ଏମିନୋ ଏସିଡ୍ ଶରୀରର ଟିସୁ ନିର୍ମାଣ କରିବାରେ ସହାୟକ ହୋଇଥାଏ।

୨- ତରଭୂଜ ମଞ୍ଜିରେ ଲାଇକୋପିନ୍‌ ନାମକ ତତ୍ତ୍ୱ ରହିଥାଏ। ଯାହାକି କେଶ ଓ ଚେହେରାର ସୁନ୍ଦରତା ବଢ଼ାଇଥାଏ। ଏହାସହିତ ଲାଇକୋପିନ୍‌ ପୁରୁଷ ମାନଙ୍କ ଯୌନ କ୍ଷମତା ମଧ୍ୟ ବଢ଼ାଇଥାଏ।

୩- ତରଭୂଜ ମଞ୍ଜିରେ ମାଗ୍ନେସିୟମର ମାତ୍ରା ଅଧିକ ରହିଥାଏ। ୧୦୦ ଗ୍ରାମ ତରଭୂଜ ମଞ୍ଜି ଶରୀର ପ୍ରତିଦିନ ମାଗ୍ନେସିୟମର ଆବଶ୍ୟକତା ୧୩୯% ପୂରାକରିଥାଏ। ମାଗ୍ନେସିୟମ ବ୍ଲଡ୍‌ପ୍ରେସର୍‌ ନିୟନ୍ତ୍ରଣ ଓ ହଜମ ଶକ୍ତି ବୃଦ୍ଧି କରିବା ଦିଗରେ ସହାୟକ ହୋଇଥାଏ। ଏହି ସମସ୍ୟା ଦେଖାଦେଉଥିଲେ ପ୍ରତିଦିନ ଅଳ୍ପ ତରଭୂଜ ମଞ୍ଜି ଖାଆନ୍ତୁ। ଏହି ସମସ୍ୟା ଦୂର ହୋଇପାରିବ।

୪- ତରଭୂଜ ମଞ୍ଜି ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଏହା ସହିତ ରକ୍ତକୁ ସ୍ୱଚ୍ଛ ରଖିବାରେ ବେଶ୍‌ କାମ କରିଥାଏ। ପେଟ ଜନିତ ସମସ୍ୟା ଦେଖାଦେଉଥିଲେ ମଧ୍ୟ ଅଳ୍ପ କିଛି ତରଭୂଜ ମଞ୍ଜି ଚୋବାଇ ଖାଇଲେ ଏହା ତୁରନ୍ତ କାମ କରିଥାଏ।

୫- ଡାଏବେଟିସ୍‌ ରୋଗୀଙ୍କ ପାଇଁ ଏହା ବହୁତ ଉପକାରୀ ହୋଇଥାଏ। ୧ ମୁଠା ମଞ୍ଜିକୁ ୧ ଲିଟର ପାଣିରେ ୧୫ ମିନଟ୍‌ ପର୍ଯ୍ୟନ୍ତ ଫୁଟାନ୍ତୁ। ଏହି ଫୁଟାପାଣିକୁ ଚା’ ଭଳି ଡାଏବେଟିସ୍‌ ରୋଗୀମାନେ ପିଇଲେ ସୁଫଳ ମିଳିଥାଏ। ଏହା ଶର୍କରା ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।

୬- କୌଣସି ରୋଗରୁ ସୁସ୍ଥ ହେଲାପରେ ଶରୀର ଦୂର୍ବଳ ରହିଥାଏ। ଏହି ଫୁଟା ପାଣିକୁ ପିଇଲେ ଦେହ ଫୁର୍ତ୍ତି ଲାଗିବା ସହିତ ଶରୀରକୁ ଶକ୍ତି ମଳିଥାଏ।
୭- ଅନ୍ୟପଟେ ଏହା ସ୍ମରଣ ଶକ୍ତି ବଢ଼ାଇବାରେ ମଧ୍ୟ ସହାୟକ ହୋଇଥାଏ। ତେବେ ଏହାକୁ ଏକା ବେଳକେ ଅଧିକା ଖାଇବା ବଦଳରେ ଅଳ୍ପ ଅଳ୍ପ ଖାଇବା ଭଲ।

୮- ତରଭୂଜ ମଂଜିକୁ ଆପଣ ଗଜା କରି ଖାଇପାରିବେ। ତରଭୂଜ ମଂଜି ଗଜା ହୋଇଯିବା ପରେ ଏହାର ଉପକାରୀ ଗୁଣ ବଢ଼ିଯାଏ।

Spread the love