ନଳିନୀଙ୍କ ପ୍ରାର୍ଥୀପତ୍ର କାଏମ

ସମ୍ବଲପୁର ବିଜେପି ଲୋକସଭା ପ୍ରାର୍ଥୀ ନିତିଶ ଗଂଗଦେବ ନିଜ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନଙ୍କ ନାମରେ ନିର୍ବାଚନ ଅଧିକାରୀ ତଥା ସମ୍ବଲପୁର ଜିଲ୍ଲାପାଳଙ୍କ ନିକଟରେ କରିଥିବା ଅଭିଯୋଗ ଖାରଜ ହୋଇଛି । ନଳିନୀକାନ୍ତ ପ୍ରଧାନଙ୍କ ପ୍ରାର୍ଥୀପତ୍ର କାଏମ ନେଇ ସୂଚନା ଦେଲେ ସମ୍ବଲପୁର ଜିଲ୍ଲାପାଳ । ନଳିନୀଙ୍କ ସତ୍ୟପାଠକୁ ନେଇ ଚ୍ୟାଲେଂଜ କରିଥିଲେ ବିଜେପି ସମ୍ବଲପୁର ବିଜେପି ଲୋକସଭା ପ୍ରାର୍ଥୀ ନିତିଶ ଗଂଗଦେବ । ଶନିବାର ନିତିଶଙ୍କ ଅଭିଯୋଗର ଶୁଣାଣି କରି ସମ୍ବଲପୁର ଲୋକସଭାର ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସେନା ବିଜେଡି ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନଙ୍କ ପ୍ରାର୍ଥୀପତ୍ର କାଏମ୍ ରଖିଛନ୍ତି। ଗତକାଲି ପ୍ରତିପକ୍ଷଙ୍କ ଅଭିଯୋଗ ପରେ ନଳିନୀଙ୍କୁ ନୋଟିସ କରିଥିଲେ ରିଟର୍ଣ୍ଣିଂ ଅଫିସର। ଆଜି ସେ ନିଜର ପକ୍ଷ ରଖି ଶ୍ରୀ ପ୍ରଧାନ ୨ଟି ସରକାରୀ ଲାଭଦାୟକ ସଂସ୍ଥାର ଗୁରୁତ୍ବପୂର୍ଣ୍ଣ ପଦରୁ ଇସ୍ତଫା ଦେଇଥିବା ଜଣାଇଛନ୍ତି। ଏ ନେଇ ଆବଶ୍ୟକୀୟ ଦସ୍ତାବିଜ ସେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଦାଖଲ କରିଛନ୍ତି।

ବିଜେଡି ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ୨ଟି ସରକାରୀ ଲାଭଦାୟକ ସଂସ୍ଥାର ଗୁରୁତ୍ବପୂର୍ଣ୍ଣ ପଦରୁ ଇସ୍ତଫା ଦେଇ ନଥିବାରୁ ତାଙ୍କ ପ୍ରାର୍ଥିପତ୍ର ଖାରଜ କରିବାକୁ ଶ୍ରୀ ଗଂଗଦେବ ନିର୍ବାଚନ ଅଧିକାରୀଙ୍କ ନିକଟରେ ଗତକାଲି ଆବେଦନ କରିଥିଲେ । ଏହା ଉପରେ ବିଚାର କରି ସମ୍ବଲପୁର ଲୋକସଭାର ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସେନା ପ୍ରତିପକ୍ଷ ପ୍ରାର୍ଥୀ ଶ୍ରୀ ପ୍ରଧାନଙ୍କୁ ନୋଟିସ୍ କରି ଉତ୍ତର ରଖିବାକୁ କହିଥିଲେ। ଏହାର ଉତ୍ତର ରଖିବାକୁ ଶ୍ରୀ ପ୍ରଧାନଙ୍କ ପକ୍ଷରୁ କିଛି ସମୟ ମଗାଯାଇଥିଲା। ତାକୁ ଗ୍ରହଣ କରି ଜିଲ୍ଲାପାଳ ଶ୍ରୀ ପ୍ରଧାନଙ୍କୁ ୨୪ ଘଣ୍ଟା ସମୟ ଦେଇ ଶନିବାର ଦିନ ୧୦ଟା ୪୫ରେ ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରିଥିଲେ। ଆଜି ସମ୍ବଲପୁର ଲୋକସଭାର ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସେନାଙ୍କ ନିକଟରେ ହାଜର ହୋଇ ନିଜର ପକ୍ଷ ରଖି ସେ ଏହି ଦୁଇ ପଦବୀରୁ ଇସ୍ତଫା ଦେଇଥିବା ପ୍ରକାଶ କରିଥଲେ।

Spread the love