ଫନି ବାତ୍ୟା ବିପନ୍ନଙ୍କ ପାଇଁ ଆସିଥିବା କେନ୍ଦୀୟ ସହାୟତା ଅର୍ଥ ଦୁର୍ନୀତିର ଶିକାର ହୋଇଛି: ମୋହନ ମାଝୀ

ଭୁବନେଶ୍ୱର / ପିପିଲି-ଡେଲାଙ୍ଗ, ୦୭/୦୪: ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀ ରାଜ୍ୟ ରାଜଧାନୀର ସନ୍ନିକଟରେ ଥିବା ସତ୍ୱେ
ଆଜି ମଧ୍ୟ ବିକାଶର ବହୁ ଦୂରରେ ରହିଯାଇଛି । ଫନି ବାତ୍ୟାରେ କ୍ଷତିଗସ୍ତ ଅଂଚଳ ଓ ଅଂଚଳବାସୀ ଆଜି ମଧ୍ୟ ନିରାଶରେ ବସବାସ କରୁଛନ୍ତି । ଫନି ବାତ୍ୟା ପୂର୍ବରୁ ଏବଂ ପରେ ମୋଦି ସରକାର କ୍ଷତିଗସ୍ତଙ୍କ ପାଇଁ ପ୍ରଚୁର ମାତ୍ରାରେ ଆର୍ଥୀକ ସହାୟତା ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ମଧ୍ୟ ଅର୍ଥ ପ୍ରଦାନ କରିଥିଲେ । ସେହିପରି ସ୍ୱଚ୍ଛଭାରତ ଅଭିଯାନ ଅନ୍ତର୍ଗତ ଶୈାଛାଳୟ ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିଥିଲେ । ମାତ୍ର ଏହି ସବୁ ଅର୍ଥ ଓ ସହାୟତାରେ ବ୍ୟାପକ ଦୁର୍ନୀତି କାରଣରୁ ଗରୀବ ଅଂଚଳବାସୀ ଏ ସମସ୍ତ ସହାୟତା ପାଇବାରୁ ବଂଚିତ ହୋଇଛନ୍ତି । ଗରୀବଙ୍କ ଉଦ୍ଦେଶ୍ୟରେ ଆସିଥିବା କେନ୍ଦ୍ରୀୟ ସହାୟତା ଅର୍ଥକୁ ହଡପ କରିଦେବା ଘଟଣା ମୋତେ ବହୁ ଆଚମ୍ବିତ କରିଛି ।
ଏଥି ପାଇଁ ଦୀର୍ଘ ଦିନ ଧରି ପ୍ରତିନିଧିତ୍ୱ କରୁଥିବା ଲୋକ ପ୍ରତିନିଧି ଏବଂ ଶାସକ ବିଜେଡି ସଂପୂର୍ଣ୍ଣ ଦାୟୀ ଏବଂ ଏହାକୁ ମୁଖ୍ୟମନ୍ତ୍ରୀ ସୁରକ୍ଷା ଦେବା ଆହୁରୀ ଅଧିକ ନିନ୍ଦନୀୟ ବୋଲି ପିପିଲି ଉପନିର୍ବାଚନ ପାଇଁ ପ୍ରଚାରରେ ଆସିଥିବା ବିରୋଧୀ ଦଳ ମୁଖ୍ୟ ସଚେତକ ବିଧାୟକ ଶ୍ରୀ ମୋହନ ମାଝୀ କହିଛନ୍ତି । ଶ୍ରୀ ମାଝୀ ଆଜି ପିପିଲି ନିର୍ବାଚନମଣ୍ଡଲୀ ଅନ୍ତର୍ଗତ ଗଡମୋଟରୀ, ସୁଜନପୁର ଓ ଚାଇପୁର ଗ୍ରାମ ପଂଚାୟତର ବିଭିନ୍ନ ଗ୍ରାମକୁ ଯାଇ ନିର୍ବାଚନ ପ୍ରଚାର କରି ଦଳୀୟ ପ୍ରାର୍ଥୀ ଶ୍ରୀ ଆଶ୍ରୀତ ପଟ୍ଟନାୟକଙ୍କୁ ବିପୁଳ ଭୋଟ ଦେଇ ଜୟଯୁକ୍ତ କରାଇବାକୁ ଅନୁରୋଧ କରିଥିଲେ । ସବ୍‌କା ସାଥ୍‌, ସବ୍‌କା ବିକାଶ ଓ ସବ୍‌କା ବିଶ୍ୱାସକୁ ଆଧାର କରି ଭାରତୀୟ ଜନତା ପାର୍ଟୀ ସାଧାରଣ ଜନତାଙ୍କ ହିତ ପାଇଁ ସମସ୍ତ ପ୍ରକାରର ବିକାଶମୂଳକ କାର୍ଯ୍ୟ କରୁଛି । କୃଷିଭିତିକ ପିପିଲି-ଡେଲାଙ୍ଗ ଅଂଚଳର ସାମୁହିକ ବିକାଶ ବିଜେପିର ପ୍ରାଥମିକତା ବୋଲି ପ୍ରଚାର ଅବସରରେ ଶ୍ରୀ ମାଝୀ କହିଛନ୍ତି । ଏହି ଅବସରରେ ବରିଷ୍ଠ ନେତା ରଂଜନ ପଟେଲ, ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ଦୀପକ ଗୋଚ୍ଚାୟତ, ବିଶ୍ୱଜିତ ଷଡଙ୍ଗୀ, ପୁରୀ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଜୟନ୍ତ ଦାସ, ସ୍ଥାନୀୟ ନେତା ହିମାଂଶୁ ରାଉତ ପ୍ରମୁଖ ପ୍ରଚାରରେ ଉପସ୍ଥିତ ଥିଲେ ।

Spread the love