ଆଇପିଏଲ୍‌ ମହାସଂଗ୍ରାମ: ଆଜି କିଙ୍ଗ୍ସ-ସୁପର୍‌ କିଙ୍ଗ୍ସ

ମୁମ୍ବାଇ : ୨୦୨୦ ଆଇପିଏଲ୍‌ରେ ଚେନ୍ନାଇ ସୁପର୍‌ କିଙ୍ଗ୍ସ ଦୁର୍ବଳ ପ୍ରଦର୍ଶନ କରି ନିରାଶ କରିଥିଲା। ପ୍ରଥମ ଥର ପାଇଁ ପ୍ଲେ ଅଫ୍‌ ଯୋଗ୍ୟତା ଅର୍ଜନ କରିପାରିନଥିଲା। ଏଥର ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ନିଜ ପ୍ରଥମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ନିକଟରୁ ହାରିଯାଇଛି। ଦଳ ୧୮୮ ରନ୍ ସ୍କୋର୍ କରିଥିଲେ ମଧ୍ୟ ଦିଲ୍ଲୀ ବ୍ୟାଟର୍‌ଙ୍କ ନିକଟରେ ଏହା ପଛରେ ପଡ଼ିଯାଇଥିଲା। ବିଶେଷ କରି ପୃଥ୍ବୀ ସ’ ଏବଂ ଶିଖର ଧାୱନଙ୍କ ପାଳି ଦିଲ୍ଲୀ କ୍ୟାପିଟାଲ୍ସକୁ ବିଜୟ ପ୍ରଦାନ କରିଥିଲା। ଶୁକ୍ରବାର ମୁମ୍ବାଇର ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ଚେନ୍ନାଇ ସୁପର୍‌ କିଙ୍ଗ୍ସ ନିଜ ଦ୍ବିତୀୟ ମ୍ୟାଚ୍‌ରେ ଭେଟିବ ପଞ୍ଜାବ କିଙ୍ଗ୍ସକୁ। ପଞ୍ଜାବ କିଙ୍ଗ୍ସ କିନ୍ତିୁ ନିଜ ପ୍ରଥମ ମ୍ୟାଚ୍‌କୁ ଜିତିଛି। କିନ୍ତୁ ୨୨୧ ରନ୍‌ ସ୍କୋର୍‌ କରିବା ପରେ ଦଳ ରାଜସ୍ଥାନ ରୟାଲ୍ସ ନିକଟରୁ ମାତ୍ର ୪ ରନ୍‌ରେ ଜିତିଥିଲା। ସଂଞ୍ଜୁ ସାମ୍‌ସନଙ୍କ ଲଢ଼ୁଆ ଶତକ ପଞ୍ଜାବକୁ ଏକ ପ୍ରକାର ପରାଜୟ ମୁହଁକୁ ଠେଲି ଦେଇଥିଲା। କିଙ୍ଗ୍ସ ବିପକ୍ଷରେ ସୁପର୍‌ କିଙ୍ଗ୍ସର ଅତୀତ ପ୍ରଦର୍ଶନ ମଧ୍ୟ ଭଲ ରହିଛି। ଧୋନିଙ୍କ ଦଳ ୧୫-୯ରେ ଆଗୁଆ ରହିଛି। ମୁମ୍ବାଇରେ ହୋଇଥିବା ଦୁଇଟି ମୁକାବିଲାରୁ ପଞ୍ଜାବ ୨୦୧୪ରେ ଥରେ ମାତ୍ର ଜିତିଥିଲା।

ପିଚ୍‌: ୱାଙ୍ଖଡେ ପିଚ୍‌ ଚଳିତ ବର୍ଷ ବ୍ୟାଟ୍ସମ୍ୟାନ୍‌ଙ୍କ ଭୂସ୍ବର୍ଗ ପାଲଟିଛି। ବୋଲରଙ୍କ ପାଇଁ ବିଶେଷ କିଛି ରହୁନାହିଁ। ପିଚ୍‌ର ଚରିତ୍ର ବି ଏବେ ଆଉ ବଦଳିବାର ସୁଯୋଗ ନାହିଁ। ଦ୍ବିତୀୟ ପାଳିରେ ପଶ୍ଚାତଧାବନ କରିବାକୁ ପ୍ରତିଟି ଦଳ ପସନ୍ଦ କରୁଛନ୍ତି। ୨୯ ଡିଗ୍ରି ସେଲସିୟସ୍‌ରେ ଖେଳିବା ମଧ୍ୟ କୌଣସି ଦଳକୁ ପ୍ରଭାବିତ କରିବା ଭଳି ପରିବେଶ ରଖିନାହିଁ।

ୱାଙ୍ଖ୍‌ଡେ‌ ଅତୀତ: ଏଠାରେ ପ୍ରଥମ ପାଳି ହାରାହାରି ସ୍କୋର୍‌ ହେଉଛି ୧୮୨ ରନ୍‌। ଏଠାକାର ଶେଷ ୯ଟି ଆଇପିଏଲ୍‌ ମ୍ୟାଚ୍ ଉପରେ ନଜର ପକାଇଲେ ପଶ୍ଚାତଧାବନ କରୁଥିବା ଦଳ ୫ଟିରେ ଜିତିଛନ୍ତି। ୩ ଥର ହାରିଛନ୍ତି ଏବଂ ଗୋଟିଏ ଟାଇ ରହିଛି।

ମୋଟ ମୁକାବିଲା: ଆଇପିଏଲ୍‌ ଇତିହ‌ାସରେ ଉଭୟ ‌ଦଳ ୨୪ ଥର ମୁହାଁମୁହିଁ ହୋଇଛନ୍ତି। ପଞ୍ଜାବ ୯ ଏବଂ ଚେନ୍ନାଇ ୧୫ ଜିତିଛନ୍ତି। ନିରପେକ୍ଷ ଭେନ୍ୟୁ ବେଳକୁ ମଧ୍ୟ ଚେନ୍ନାଇର ଦବ୍‌ଦବା ରହିଛି। ୧୨ ମୁକାବିଲାରୁ ୮-୪ରେ ଆଗୁଆ ରହିଛି ଧୋନିଙ୍କ ଦଳ।

ବ୍ୟକ୍ତିଗତ ପ୍ରଦର୍ଶନ: ପଞ୍ଜାବ ଅଧିନାୟକ କେଏଲ୍ ରାହୁଲ ଗତବର୍ଷ ଭଳି ଚମତ୍କାର ଫର୍ମ ଜାରି ରଖିଛନ୍ତି। କିନ୍ତୁ ଚେନ୍ନାଇ ବିପକ୍ଷରେ ସେ ସେତେଟା ପ୍ରଭାବ ବିସ୍ତାର କରିପାରନ୍ତିନାହିଁ। କିନ୍ତୁ ୱାଙ୍ଖ୍‌ଡେରେ ୧୦୩.୩୩ ହାରାହାରି ଏବଂ ବ୍ୟକ୍ତିଗତ ଶ୍ରେଷ୍ଠ ୧୦୦ ରନ୍‌ କରିଥିବାରୁ ରାହୁଲଙ୍କ ରାଜ ଶୁକ୍ରବାର ଦେଖିବାକୁ ମିଳିପାରେ। ଗତ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍‌ସ ବିପକ୍ଷରେ ସେ ଶତକରୁ ବଞ୍ଚିତ ହୋଇଥିଲେ ମଧ୍ୟ ଦଳ ବିଜୟୀ ହୋଇଥିଲା। ଡ୍ବାନ୍ ବ୍ରାଭୋଙ୍କ ଉପରେ ଚେନ୍ନାଇ ବୋଲିଂ ବିଭାଗ ନିର୍ଭର କରିବ।

ଚେନ୍ନାଇ ସୁପର୍‌ କିଙ୍ଗ୍ସ ଦଳ: ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ସୁରେଶ ରାଇନା, ଅମ୍ବାତି ରାୟୁଡୁ, କେଏମ୍ ଆସିଫ, ଦୀପକ ଚହର, ଡ୍ବେନ୍ ବ୍ରାଭୋ, ଫାଫ୍ ଡୁ’ପ୍ଲେସିସ୍, ଇମ୍ରାନ ତାହିର, ଏନ୍ ଜଗଦୀଶାନ, କର୍ଣ୍ଣ ଶର୍ମା, ଲୁଙ୍ଗି ଏନ୍‌ଗିଡ଼ି, ମିଚେଲ ସାଣ୍ଟନର, ରବୀନ୍ଦ୍ର ଜାଦେଜା, ଋତୁରାଜ ଗାଏକ୍ବାଡ୍, ଶାର୍ଦୁଳ ଠାକୁର, ସାମ୍ କରନ, ଆର ସାଇକିଶୋର, ମୋଇନ ଅଲ୍ଲୀ, କେ ଗୌତମ, ଚେତେଶ୍ବର ପୂଜାରା, ହରିଶଙ୍କର ରେଡ୍ଡୀ, ଭଗତ ବର୍ମା, ସି ହରି ନିଶାନ୍ତ।

ପଞ୍ଜାବ କିଙ୍ଗ୍ସ ଦଳ: କେଏଲ୍ ରାହୁଲ୍ (ଅଧିନାୟକ ଓ ୱିକେଟରକ୍ଷକ), ମୟଙ୍କ ଅଗ୍ରୱାଲ, କ୍ରିସ୍‌ ଗେଲ୍‌, ମନଦୀପ ସିଂହ, ପ୍ରବସିମ୍ରନ ସିଂହ, ନିକୋଲାସ୍‌ ପୂରନ (ୱିକେଟରକ୍ଷକ), ସର୍ଫରାଜ ଖାନ୍, ଦୀପକ ହୁଦା, ମୁରୁଗାନ ଅଶ୍ବିନ, ରବି ବିଷ୍ଣୋଇ, ହରପ୍ରୀତ୍ ବ୍ରାର୍‌, ମହମ୍ମଦ ସାମି, ଅର୍ଶଦୀପ ସିଂହ, ଇଶାନ ପୋରେଲ, ଦର୍ଶନ ନାଲକାଣ୍ଡେ, କ୍ରିସ୍‌ ଜୋର୍ଡାନ, ଦାୱିଦ ମଲାନ, ଝାଏ ରିଚାର୍ଡସନ୍‌, ଶହାରୁଖ୍‌ ଖାନ୍‌, ରିଲି ମେରେଡିଥ୍‌, ମୋଜେସ ହେନରିକ୍ସ, ଜଲଜ ସା‌କ୍ସେନା, ଉତ୍କର୍ଷ ସିଂହ, ଫାବିଏଁ ଆଲେନ,‌‌‌ ସୌରଭ କୁମାର।

Spread the love