‌ଜେଇଇ ମେନ୍‌-2 ଆରମ୍ଭ

ଇଞ୍ଜିନିୟରି˚ ଓ ଆର୍କିଟେକ୍ଟ ପାଠ୍ୟକ୍ରମରେ ନାମଲେଖା ପାଇଁ ସର୍ବଭାରତୀୟସ୍ତରରେ ଅନୁଷ୍ଠିତ ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ) ମେନ୍‌-2 ଆଜିଠାରୁ ଆରମ୍ଭ ହୋଇଛି। ଆସନ୍ତା 12 ତାରିଖ ପର୍ଯ୍ୟନ୍ତ ଏହା ଚାଲିବ। ପେପର୍‌-2(ବିଆର୍କ/ବି ପ୍ଲାନିଂ) ପରୀକ୍ଷା ଆଜି ହୋଇଥିଲା। ପେପର୍‌-1(ବିଇ/ ବି ଟେକ୍‌) ପରୀକ୍ଷା ସୋମବାରଠାରୁ ଆରମ୍ଭ ହେବ। ପେପର-1(ମ୍ୟାଥମେଟିକ୍ସ, ଫିଜିକ୍ସ ଓ କେମେଷ୍ଟ୍ରି) ପରୀକ୍ଷା ଏପ୍ରିଲ 8,9,10 ଓ 12 ତାରିଖରେ ଦୁଇଟି ସିଫ୍ଟ (ସକାଳ 9ଟା 30ରୁ 12ଟା 30 ଓ ଅପରାହ୍‌ଣ 2ଟା 30 ରୁ 5ଟ 30)ରେ ଅନୁଷ୍ଠିତ ହେବ। ଏଥର ସାରା ଦେଶରୁ 9 ଲକ୍ଷ 34ହଜାର ଛାତ୍ରଛାତ୍ରୀ ଜେଇଇ ମେନ୍‌ ପାଇଁ ପଞ୍ଜୀକରଣ କରିଥିବା ବେଳେ ଓଡ଼ିଶାରୁ ପ୍ରାୟ ୩୩ ହଜାର ଛାତ୍ରଛାତ୍ରୀ ରହିଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ସୂଚନା ମିଳିଛି।

ଗତ ଜାନୁଆରି 8 ରୁ 12 ମଧ୍ୟରେ ଏହି ପରୀକ୍ଷାର ପ୍ରଥମ ପର୍ଯ୍ୟାୟ ହୋଇଥିଲା। ସେଥିରେ ଯେଉଁ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ, ସେମାନଙ୍କ ମଧ୍ୟରୁ 70 ପ୍ରତିଶତ ଛାତ୍ରଛାତ୍ରୀ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା ‌ଦେବା ପାଇଁ ନାମ ପଞ୍ଜୀକରଣ କରିଛନ୍ତି। ଦୁଇଟି ପରୀକ୍ଷାରୁ ଶ୍ରେଷ୍ଠ ପ୍ରଦର୍ଶନକୁ ଆଧାର କରି ରୢାଙ୍କ ପ୍ରସ୍ତୁତ କରାଯିବ। ତେଣୁ ଯେଉଁ ଛାତ୍ରଛାତ୍ରୀ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଦେଇଥିଲେ ସେମାନେ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷାରେ ଭଲ କରିବା ଆଶାରେ ଏଥର ବି ନାମ ପଞ୍ଜୀକରଣ କରିଛନ୍ତି। ଦୁଇଟି ପର୍ଯ୍ୟାୟ ଜେଇଇ ମେନ୍‌ ମଧ୍ୟରୁ ଶ୍ରେଷ୍ଠତ୍ବ ପ୍ରଦର୍ଶନ କରିଥିବା 2 ଲକ୍ଷ 40ହଜାର ଛାତ୍ରଛାତ୍ରୀ ଆଇଆଇଟି ଓ ଏନ୍‌ଆଇଟି ଭଳି ଜାତୀୟସ୍ତରୀୟ ବୈଷୟିକ ଶିକ୍ଷାନୁଷ୍ଠାନଗୁଡିକରେ ପଢ଼ିବା ପାଇଁ ସୁଯୋଗ ପାଇବେ।

Spread the love