ଅସରପା ପାଇଁ ଭାଙ୍ଗିଲା ସଂସାର

ନୂଆଦିଲ୍ଲୀ, ୧୯/୪ : ଦୁନିଆରେ ଅନେକ ଚକିତ କଲା ଭଳି ଘଟଣା ଦେଖିବାକୁ ମିଳୁଛି। ଏମିତି ଏକ ଘଟଣା ଆଜି ଆମେ ଆପଣଙ୍କ ସାମ୍ନା ରେ ରଖୁଛୁ।  ଅସରପା ଭୟରେ ୧୮ ଥର ଘର ବଦଳାଇଲେ । ତଥାପି ମିଳିଲାନି ମୁକ୍ତି । ଶେଷରେ ପତ୍ନୀଙ୍କୁ ଛାଡପତ୍ର ଦେବାକୁ ଯୋଜନା କରୁଛନ୍ତି ସ୍ୱାମୀ । ଏପରି ଏକ ଅଜବ ଘଟଣା ଘଟିଛି ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ।

ସୂଚନାନୁସାରେ, ଭୋପାଳରେ ଜଣେ ଦମ୍ପତି ବିବାହର ୩ ବର୍ଷ ମଧ୍ୟରେ ୧୮ ଥର ଘର ବଦଳାଇଛନ୍ତି । ଏହାର କାରଣ ଅସରପା ପ୍ରତି ପତ୍ନୀଙ୍କ ଭୟ । ମହିଳାଙ୍କ ସ୍ୱାମୀ ଜଣେ ସଫ୍ଟୱେର ଇଞ୍ଜିନିୟର । ପତ୍ନୀଙ୍କର ଏହି ଫୋବିୟା ପାଇଁ ଅନ୍ୟମାନଙ୍କ ଆଗରେ ସେ ବାରମ୍ବାର ଲଜ୍ଜିତ ହେଉଛନ୍ତି । ସେଥିପାଇଁ ପତ୍ନୀଙ୍କୁ ଛାଡ଼ପତ୍ର ଦେବାକୁ ଯୋଜନା କରୁଛନ୍ତି ।

୨୦୧୭ରେ ବିବାହ ପରେ ପରେ ଅସରପା ପ୍ରତି ପତ୍ନୀଙ୍କ ଭୟ ବିଷୟରେ ସେ ଜାଣିପାରିଲେ । ପତ୍ନୀ ଦିନେ ରୋଷେଇ ଘରେ ଅସରପା ଦେଖି ଏତେ ଜୋର୍‌ରେ ଚିତ୍କାର କଲେ ଯେ ଘରର ସମସ୍ତେ ଭୟଭୀତ ହୋଇଗଲେ । ଏହା ପରେ ସେ ଆଉ ରୋଷେଇ ଘରକୁ ଗଲେ ନାହିଁ ଏବଂ ସେ ଘର ଛାଡ଼ି ନୂଆ ଘର ନେବାକୁ ବାରମ୍ବାର କହିଲେ । ପତ୍ନୀଙ୍କ ଅସରପା ଫୋବିୟା ପାଇଁ ୨୦୧୮ ମସିହାରେ ଦମ୍ପତି ପ୍ରଥମେ ଘର ବଦଳାଇଲେ । ତାହା ଆରମ୍ଭ ମାତ୍ର ଥିଲା । ନୂଆ ଘରେ ମଧ୍ୟ ସମାନ ଘଟଣା ଘଟିଲା ।

ଏହିଭଳି ଭାବେ ଦମ୍ପତି ଏପର୍ଯ୍ୟନ୍ତ ୧୮ ଥର ଘର ବଦଳାଇ ସାରିଲେଣି । ବ୍ୟକ୍ତି ଜଣକ ପତ୍ନୀଙ୍କୁ ଅନେକ ଥର ମନସ୍ତତ୍ତ୍ୱବିତ୍‌ଙ୍କ ନିକଟକୁ ନେଇଛନ୍ତି । କିନ୍ତୁ ଡାକ୍ତର ଦେଇଥିବା ଔଷଧ ତାଙ୍କ ପତ୍ନୀ ଖାଇଲେ ନାହିଁ । ଅନ୍ୟପକ୍ଷେ, ସେ ଅଭିଯୋଗ କଲେ ଯେ ସ୍ୱାମୀ ତାଙ୍କ ସମସ୍ୟା ବୁଝୁନାହାନ୍ତି । ସେ ତାଙ୍କୁ ମାନସିକ ଅସୁସ୍ଥ ଘୋଷଣା କରିବାକୁ ଚାହୁଁଛନ୍ତି । ବୈବାହିକ ସମ୍ପର୍କ ବଜାୟ ରଖିବାରେ ସାହାଯ୍ୟ କରୁଥିବା ଏକ ସଂସ୍ଥାକୁ ମଧ୍ୟ ପତିପତ୍ନୀ ଯାଇଥିଲେ । କିନ୍ତୁ ଏହା ଦ୍ୱାରା ସେମାନଙ୍କର କୌଣସି ଲାଭ ହେଲା ନାହିଁ । ବ୍ୟକ୍ତିଙ୍କ କହିବା ଅନୁସାରେ, ତାଙ୍କ ପତ୍ନୀ ଯେତେବେଳେ ଅସରପା ଦେଖନ୍ତି³ ଖୁବ୍‌ ଜୋର୍‌ରେ ଚିତ୍କାର କରନ୍ତି ଏବଂ ରାସ୍ତାକୁ ଘରର ଜିନିଷପତ୍ର ଫିଙ୍ଗିବା ଆରମ୍ଭ କରିଦିଅନ୍ତି । ତାଙ୍କର ଏଭଳି କାର୍ଯ୍ୟକଳାପରେ ବିରକ୍ତ ହୋଇ ବ୍ୟକ୍ତି ଜଣକ ତାଙ୍କଠାରୁ ଛାଡ଼ପତ୍ର ଚାହିଁଛନ୍ତି ।

Spread the love