ସଂଗୀତ ନିର୍ଦ୍ଦେଶକ ବାସୁଦେବ ରଥ ଆଉ ନାହାନ୍ତି

ପ୍ରଖ୍ୟାତ ଓଡ଼ିଆ ଚଳଚ୍ଚିତ୍ରର ସଂଗୀତ ନିର୍ଦ୍ଦେଶକ ବାସୁଦେବ ରଥ ଆଉ ନାହାନ୍ତି। ରବିବାର ରାତି ୯ଟା ୧୫ ସମୟରେ କଟକ     ବଡ ମେଡିକାଲ ରେ  ପରଲୋକ ହୋଇଯାଇଛି। ସେ ପ୍ରାୟ ଏକ ମାସ ପର୍ଯ୍ୟନ୍ତ ଅସୁସ୍ଥ ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ମୃତ୍ୟୁ ବେଳକୁ ତାଙ୍କର ଏକ ମାତ୍ର କନ୍ୟା ଶଯ୍ୟା ନିକଟରେ ଉପସ୍ଥିତ ଥିଲେ।

ବାସୁଦେବ ରଥ ୧୯୭୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ‘ସାକ୍ଷୀଗୋପୀନାଥ’ରେ ପ୍ରଥମେ ସଂଗୀତ ନିର୍ଦ୍ଦେଶନା ଦେଇ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ସେ ‘ସଉତୁଣୀ’, ଆରତୀ, ଚିହ୍ନାଅଚିହ୍ନା, କାବେରୀ, ପକା କମ୍ବଳ ପୋତଛତା, ଅନ୍ୟାୟ ସହିବି ନାହିଁ, ଦେଖ ଖବର ରଖ ନଜର ଫିଲ୍ମରେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ।

ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ଭାବେ ସେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ। ତାଙ୍କର ସ୍ୱରାରୋପିତ କେତୋଟ ଲୋକପ୍ରିୟ ଗୀତ ହେଲା, ମା ତୁମେ ଜଗତର ସାହା ଭରସା (ଆରତୀ), ଝୁମକା ଟିକେ ତୁ ତ ହଲେଇ ଦେ (ଚିହ୍ନା ଅଚିହ୍ନା), ଆସିବ ବର ତୋର, ହୋଇବ ବାହାଘର (କାବେରୀ), ସତ କହି ପଛେ ପାଏ ଫାଶୀ… (ପକା କମ୍ବଳ ପୋତ ଛତା), ତୁମେ ମୋ ରାଧା ତୁମୋ ମୋ ସୀତା (ସାକ୍ଷୀ ଗୋପୀନାଥ)।

ତାଙ୍କ ବିୟୋଗରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳି ଯାଇଛି। ସ୍ୱର୍ଗତ ବାସୁଦେବ ରଥଙ୍କର ଅନ୍ତିମ ସଂସ୍କାର ସୋମବାର ହେବ।

Spread the love