ଲକଡାଉନ୍ ଘୋଷଣା ପରେ ଦିଲ୍ଲୀରୁ ଶ୍ରମିକଙ୍କ ଘର ବାହୁଡ଼ା

ଭୁବନେଶ୍ୱର, ୨୧/୪: ଦିଲ୍ଲୀରେ ଲକଡାଉନ୍ ଘୋଷଣା ହେବା ପରେ ପୂର୍ବଥର ଭଳି ସେଠାରେ କାର୍ଯ୍ୟ କରୁଥିବା ଦାଦନ ଶ୍ରମିକମାନେ ଏବେ ଘରମୁହାଁ ହୋଇଛନ୍ତି। ଶହ ଶହ ସଂଖ୍ୟାରେ ଶ୍ରମିକ ଘରକୁ ଫେରିବା ପାଇଁ ଦିଲ୍ଲୀର ଆନନ୍ଦବିହାର ଆନ୍ତଃରାଜ୍ୟ ବସ୍ ଟର୍ମିନାଲ୍ ଓ ରେଳଷ୍ଟେସନରେ ନିଜର ପିଲାଛୁଆ ଓ ଆସବାବପତ୍ର ଧରି ଅଟକି ରହିଛନ୍ତି। ଉଲ୍ଲେଖଯୋଗ୍ୟ, ଗତବର୍ଷ ଏହି କରୋନା ସଂକ୍ରମଣ କାରଣରୁ ଲକଡାଉନ୍ ଘୋଷଣା ହେବା ପରେ ଶ୍ରମିକମାନେ କାମଧନ୍ଦା ହରାଇ ନିଜ ଭିଟାମାଟିକୁ ଫେରିବାକୁ ଏହିଭଳି ଅବସ୍ଥାର ସମ୍ମୁଖୀନ ହୋଇଥିଲେ। କିଛି ଶ୍ରମିକ ଯାନବାହନ ନପାଇ ଚାଲି ଚାଲି ଭୋକ ଉପାସରେ ଘରକୁ ଫେରିଥିଲେ। ଏଭଳି ସ୍ଥିତିରେ ଅନେକ ଶ୍ରମିକ ବିଭିନ୍ନ ପ୍ରକାର ଦୁର୍ଘଟଣାର ସମ୍ମୁଖୀନ ହୋଇ ପ୍ରାଣ ହରାଇଥିବାର ନଜିର୍ ରହିଛି। ଏବେ ସେଭଳି ଅବସ୍ଥା ଉପୁଜିଥିବାରୁ ଏହା ଉଦବେଗର କାରଣ ହୋଇଛି।

ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ୍ ଦାଦନ ଶ୍ରମିକଙ୍କୁ ଦିଲ୍ଲୀ ଛାଡ଼ି ନ ଯିବାକୁ ନିବେଦନ କରିଛନ୍ତି। ଶ୍ରମିକଙ୍କୁ ସବୁ ପ୍ରକାର ସହାୟତା ପ୍ରଦାନ କରାଯିବ ବୋଲି ସେ ଆଶ୍ୱସ୍ତିର ବାଣୀ ଶୁଣାଇଛନ୍ତି। ସେ ହିନ୍ଦୀରେ ଟ୍ୱିଟ୍ କରି କହିଛନ୍ତି, ‘ମେରି ଦିଲ୍ଲୀ କେ ସଭି ପ୍ରବାସୀ ନାଗରିକୋଁ ସେ ଅପିଲ୍ ହୈ କି ଆପ୍ ଘବରାହଟ୍ ମେଁ ଦିଲ୍ଲୀ ଛୋଡ଼କର ନ ଯାୟେଁ’। ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ୬ଦିନ ପାଇଁ ଦିଲ୍ଲୀରେ ଲକଡାଉନ୍ ଘୋଷଣା କରିବା ପରେ ଉପରାଜ୍ୟପାଳ ଏଭଳି ନିବେଦନ କରିଥିଲେ।
ଦିଲ୍ଲୀରେ ମୁଖ୍ୟତଃ ଉତ୍ତରପ୍ରଦେଶ, ବିହାର ଓ ଝାଡ଼ଖଣ୍ଡର ଶ୍ରମିକମାନେ ବିଭିନ୍ନ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେବା ସହ ଅନ୍ୟାନ୍ୟ କାମଧନ୍ଦା କରି ଗୁଜୁରାଣ ମେଣ୍ଟାଇଥାନ୍ତି। ଇତିମଧ୍ୟରେ ଲକଡାଉନ୍ ଘୋଷଣା ହେବାମାତ୍ରେ ଶତାଧିକ ସଂଖ୍ୟାରେ ଶ୍ରମିକ ଘରକୁ ଫେରିବା ପାଇଁ ଆନନ୍ଦବିହାର ଆନ୍ତଃରାଜ୍ୟ ବସ୍ ଟର୍ମିନାଲରେ ରୁଣ୍ଡ ହୋଇଛନ୍ତି। ଏ ସମ୍ପର୍କରେ କେତେକ ଶ୍ରମିକ ଗଣମାଧ୍ୟମକୁ କହିଛନ୍ତି, ଆମେ ଆଉ ପୂର୍ବଭଳି ଅଟକ ରହିବାକୁ ଚାହୁଁନାହୁଁ। ବସନ୍ତକୁଞ୍ଜରେ ନିର୍ମାଣ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଝାଡ଼ଖଣ୍ଡର ଧାନବାଦ ଅଞ୍ଚଳର ଜଣେ ଶ୍ରମିକ ମହମ୍ମଦ ମମତାଜ ଅନସାରୀ କୁହନ୍ତି ଲକଡାଉନ୍ ସମୟରେ ଆଉ କାମଧନ୍ଦା ମିଳିବ ନାହିଁ। ତେଣୁ ଘରକୁ ଫେରିବା ଛଡ଼ା ଆଉ ବାଟ ନାହିଁ। ସେ ଆହୁରି କହିଛନ୍ତି, ଗତବର୍ଷ ଜୁନ୍ ମାସରେ ସେ ଏହିଭଳି ଘରକୁ ଫେରିଲାବେଳେ ବହୁ ଅକଥନୀୟ କଷ୍ଟର ସମ୍ମୁଖୀନ ହୋଇଥିଲେ।

Spread the love