ବିଜେପିର ‘ସଙ୍କଳ୍ପ ପତ୍ର’ ଉନ୍ମୋଚିତ: କୃଷକଙ୍କୁ ବିନା ସୁଧରେ ଋଣ ମିଳିବ

2019 ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ପକ୍ଷରୁ ସୋମବାର ନୂଆଦିଲ୍ଲୀଠାରେ ସଙ୍କଳ୍ପ ପତ୍ର ଉନ୍ମୋଚନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କ ଉପସ୍ଥିତିରେ ଏହାକୁ ଉନ୍ମୋଚନ କରାଯାଇଥିଲା। କାର୍ଯ୍ୟକ୍ରମରେ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କ ସମେତ ଅନ୍ୟାନ୍ୟ କେନ୍ଦ୍ରମନ୍ତ୍ରୀ ଏବଂ ବିଜେପିର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।

ଏହି ଅବସରରେ ବିଜେପି କ୍ଷମତାକୁ ଆସିଲେ ଆତଙ୍କବାଦ ପାଇଁ ଜିରୋ ଟଲେରାନ୍ସ ନୀତି ଗ୍ରହଣ କରିବ। ଆତଙ୍କବାଦ ଶେଷ ପାଇଁ ପଦକ୍ଷେପ ନେବ। ସେହିପରି ବାବ୍ରି ମସଜିଦ-ରାମ ଜନ୍ମଭୂମି ବିଦାଦୀୟ ସ୍ଥଳରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ରାମ ମନ୍ଦିର ନିର୍ମାଣ କରାଯିବ। ସେହିଭଳି ଗ୍ରାମୀଣ ବିକାଶ ପାଇଁ ଦୃଢ଼ ପଦକ୍ଷେପ ନିଆଯିବ। ଦେଶବାସୀଙ୍କ ପାଇଁ ଏଭଳି ଅନେକ ବଡ଼ ବଡ଼ ପ୍ରତିଶ୍ରୁତି ରଖିଛି ବିଜେପି। ଇସ୍ତାହାର ପ୍ରସ୍ତୁତି କମିଟି ଅଧ୍ୟକ୍ଷ ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ଦେଶବାସୀଙ୍କ ମତାମତକୁ ବିଚାର କରି ଇସ୍ତାହାର ପ୍ରସ୍ତୁତ ହୋଇଛି। ସୋସିଆଲ ମିଡିଆ ଜରିଆରେ ଲୋକଙ୍କ ମନକଥା ଜାରିବାକୁ ଚେଷ୍ଟା କରାଯାଇଛି। ଏହି ସଙ୍କଳ୍ପ ପତ୍ର 130 କୋଟି ଦେଶବାସୀଙ୍କ ଆକାଂକ୍ଷା ପୂରଣ କରିବ ବୋଲି ରାଜନାଥ କହିଛନ୍ତି।

ବିଜେପି ଇସ୍ତାହାରରେ ପ୍ରମୁଖ ଘୋଷଣା:-

– ଆତଙ୍କବାଦ ପ୍ରତି ଜିରୋ ଟଲେରାନ୍ସ ନୀତି ଅପଣାଯିବ

– ଭାରତକୁ ଅନୁପ୍ରବେଶରେ ସମ୍ପୂର୍ଣ୍ଣ ରୋକ୍‌ ଲାଗିବ

– ସିଟିଜେନ୍‌ଶିପ ବିଲ୍‌ ପାସ୍‌ କରାଯାଇ ଲାଗୁ କରାଯିବ, ଦେଶର ସୁରକ୍ଷା ପ୍ରତି କୌଣସି ପରିସ୍ଥିତିରେ ସାଲିସ କରାଯିବ ନାହିଁ

– ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ଶୀଘ୍ର ରାମମନ୍ଦିର ନିର୍ମାଣ ପାଇଁ ଉଦ୍ୟମ କରାଯିବ

– 2022 ସୁଦ୍ଧା କୃଷକଙ୍କ ଆୟ ଦୁଇଗୁଣା କରାଯିବ

– ଗ୍ରାମୀଣ ବିକାଶ ପାଇଁ 5 ବର୍ଷରେ 25 ଲକ୍ଷ କୋଟି ଖର୍ଚ୍ଚ ହେବ

– କୃଷକଙ୍କୁ ପିଏମ୍‌ କିଷାନ ନିଧି ସହାୟତା ଚାଲୁ ରହିବ

– ସବୁ ଚାଷୀଙ୍କୁ କୃଷକ ସମ୍ମାନ ନିଧି ସହାୟତା ମିଳିବ

– କ୍ଷୁଦ୍ର ଚାଷୀଙ୍କୁ ପେନସନ୍‌ ସୁବିଧା ଦିଆଯିବ

– ଉଦ୍ୟୋଗୀଙ୍କ ପାଇଁ ରାଷ୍ଟ୍ରୀୟ ବ୍ୟାପାର ଆୟୋଗ କରାଯିବ

– ଦେଶର ଛୋଟ ଦୋକାନୀଙ୍କୁ ପେନସନ ସୁବିଧା

– ଦେଶର ସବୁ ନିର୍ବାଚନ ଏକାସାଙ୍ଗରେ କରାଯିବ

– କେନ୍ଦ୍ର-ରାଜ୍ୟ ସମ୍ପର୍କ ଅଧିକ ମଜଭୁତ କରାଯିବ

– ଲ୍ୟାଣ୍ଡ ରେକର୍ଡର ଡିଜିଟାଇଜେଶନ କରାଯିବ

– ବିନା ସୁଧରେ ଚାଷୀଙ୍କୁ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ

– ସବୁ ଗରିବ ପରିବାରକୁ ମାଗଣା ଏଲପିଜି ସଂଯୋଗ

– ଜାତୀୟ ରାଜପଥ ଦୈର୍ଘ୍ୟ ଦୁଇଗୁଣା କରାଯିବ

Spread the love