କଟକରୋଡ଼ରେ ଚାଲୁଛି ଡ୍ୟାନ୍ସବାର, ପୋଲିସ କହୁଛି କାଇଁ ନାଇଁ !

ଦ୍ବୀପ ତଳ ଅନ୍ଧାର” । ଏକଥା କହିବାର ତାତ୍ପର୍ଯ୍ୟ ହେଉଛି ରାଜ୍ୟ ସାରା ବଳବତ୍ତର ରହିଛି ଆଦର୍ଶ ଆଚରଣ ବିଧି । ଦିନ କେତେଟା ପରେ ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନ । ସୁରକ୍ଷା ବ୍ୟବସ୍ଥା ସାରା ରାଜ୍ୟରେ କଡାକଡି । ସବୁଠି ଚେକିଂ ଆଉ ବ୍ଲକିଙ୍ଗ । କିନ୍ତୁ ରାଜଧାନୀରେ ପରିସ୍ଥିତି ଅଲଗା । ଏଠି ଅପରାଧୀଙ୍କୁ ସାତ ଖୁନ ମାଫ । ଆଇନ ଉଲ୍ଲଂଘନକାରୀ ଏଠି ପୋଲିସର ଗେହ୍ଲାପୁଅ । କିଛି ଟଙ୍କା ପାଇଁ କିଭଳି ପୋଲିସ ପ୍ରଶାସନ ଆଖିରେ ଅନ୍ଧପୁଟୁଳି ବାନ୍ଧି ଗାନ୍ଧାରୀ ହେବାର ଅଭିନୟ କରୁଛି, ତାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କମିଶନରେଟ ପୋଲିସର ସମ୍ବେଦନଶୀଳ ଥାନା କୁହାଯାଉଥିବା ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ କଟକ ରୋଡ ଅଞ୍ଚଳରେ । ରାଜଧାନୀରେ କିଭଳି ଚାଲିଛି ଡ୍ୟାନ୍ସବାର ଜାଣିବା ପାଇଁ ଆମେ କରିଥିଲୁ ଅନୁସନ୍ଧାନ । ସୋମବାର ରାତି 12 ଟା । ଆମେ ପହଞ୍ଚିଥିଲୁ ଲକ୍ଷ୍ମୀସାଗର ଛକରେ ।  ଆମେ ପଶିଥିଲୁ ଅଶୋକା ବାର ଭିତରେ । ଆଗପଟ ହୋଟେଲରେ ଭିଡ଼ କମ ଥିବା ବେଳେ ପଛପଟେ ଥିବା ଡ୍ୟାନ୍ସବାରରେ ଥିଲା ଖଚାଖଚ ଭିଡ । ଭୁବନେଶ୍ୱର ସାରା ପାନ ଦୋକାନ ଟିଏ ଖୋଲା ନଥିବା ବେଳେ ଏଠି କିନ୍ତୁ ଥିଲା ମାଲେସିଆର ମାହୋଲ । ସବୁ ହୋଟେଲ, ଡ୍ୟାନ୍ସବାର ଖୋଲା । ଭିତରେ କଣ ଚାଲିଛି ଜାଣିବା ପାଇଁ ଆମେ ମଧ୍ୟ ଗରାଖ ହିସାବରେ ଭିତରକୁ ପଶିଥିଲୁ । ଭିତର ଉନ୍ମାଦନା ଦେଖି ଆମର ହୋସ ଉଡିଯାଇଥିଲା । ମଦ ସାଙ୍ଗକୁ 6ଜଣ ଝିଅଙ୍କ ଉଲଗ୍ନ ନୃତ୍ୟ । ତା ସାଙ୍ଗକୁ ଉଡୁଥିଲା ଲକ୍ଷ ଲକ୍ଷ ଟଙ୍କା । ରାତି ଯେତେ ବଢ଼ୁଥିଲା ତାତି ମଧ୍ୟ ସେତେ ବଢ଼ୁଥିଲା । ତେବେ 12.40 ବେଳେ ଆମେ ଅଶୋକା ଛାଡିଥିଲୁ । ନିକଟରେ ଥିବା ‘ଚିୟର୍ସ’ ବାର ର ସ୍ଥିତି ପରଖିଥିଲୁ । ସେଠି ଅବସ୍ଥା ଥିଲା ଆହୁରି ଭୟଙ୍କର । କିଛି ନିଶାସକ୍ତ ଯୁବକ ବାରଗାର୍ଲ ନାଚୁଥିବା ଷ୍ଟେଜରେ ଚଢି ନାଚିବା ସହ ବିଡା ବିଡା ଟଙ୍କା ଉଡାଉଥିଲେ । ଯୁବତୀଙ୍କୁ ଆଲିଙ୍ଗନ କରି ନାଚୁଥିଲେ । ସବୁଠାରୁ ବଡ଼ କଥା ନିକଟରେ ଛିଡା ହୋଇଥିବା ବାଉଁଶର ଏହାରି ମଧ୍ୟରେ ବାର ଡ୍ୟାନ୍ସରଙ୍କ ଦେହ ବେପାରର ଡିଲ କରୁଥିଲେ । 7 ହଜାରରୁ ଆରମ୍ଭ କରି ୩୦ ହଜାର ପର୍ଯ୍ୟନ୍ତ ଲାଗୁଥିଲା ଦେହର ବୋଲି । ଆଉ ଯିଏ ଅଧିକ ଦେଲା ସେ ହେଲା ଦେହର ସୌଦାଗର ।

ରାତି ବଢ଼ି ବଢି 1 ଟା 20 ହେଲା କିନ୍ତୁ ସେଯାଏଁ ବାର ବନ୍ଦ ନହେବାରୁ ଆମେ ବାହାରକୁ ଚାଲି ଆସିଥିଲୁ । ବାହାରେ ଆସି ଏକ ମଜାଦାର ଦୃଶ୍ୟ ଦେଖିଲୁ । ରାତି ଅଧ ଯାଏଁ ଖୋଲା ଥିବା ଏହି ବାର ସମ୍ମୁଖରେ ସୁରକ୍ଷା ଦେବା ପାଇଁ ଥିଲା ଏକ ପିସିଆର ଭ୍ୟାନ । କଥା ଆଳରେ ପିସିଆର କର୍ମଚାରୀଙ୍କୁ ଡ୍ୟାନ୍ସବାର ଏଯାଏଁ ଖୋଲାଥିବା କହିଥିଲୁ । କିନ୍ତୁ ତାଙ୍କ ପ୍ରତିକ୍ରିୟା ଆମ ମୁଣ୍ଡଟିଣ କରିଦେଇଥିଲା । କହୁ କହୁ କିଛି ଗହନ କଥା ସେ ଆମକୁ କହିଥିଲେ । “ଯାଉନ ଆମ ଆଇଆଇସି ଦୟା ନାୟକକୁ କହିବ । ବାର ବନ୍ଦ କରିବାକୁ ଆମେ କିଏ ? ମାସ ଆରମ୍ଭରୁ କଟକ ରୋଡର 12 ଟି ଡ୍ୟାନ୍ସବାର ରାତି ଅଧ ଯାଏଁ ଖୋଲିବାକୁ ମାସିକିଆ 12 ଲକ୍ଷ ଦେଉଛନ୍ତି । କେବଳ ଦୟା ସାର ନୁହେଁ, ବଡ଼ ବାବୁଙ୍କର ମଧ୍ୟ ସିଂହ ଭାଗ ଅଛି ।” ଏସବୁ ଶୁଣି ଆମେ କାନ ମୁଣ୍ଡା ଆଉଁସି ସେଠାରୁ ଚାଲି ଯାଇଥିଲୁ । ଏହାପରେ ଏସବୁ ଘଟଣାକ୍ରମକୁ ଲୋକଲୋଚନକୁ ଆଣିବା ପାଇଁ ଉଚ୍ଚିତ ଭାବିଥିଲୁ । କେବଳ ଚିୟର୍ସ ବାର, ଅଶୋକା ବାର ନୁହେଁ ପେଣ୍ଟଗନ, ମହାନ୍ତି ବାର, ଲିଭ ଇଟ ଅପ ଭଳି ଅନେକ ବାର ଏଠାରେ ପୋଲିସକୁ ମୋଟା ଅଙ୍କର ଅର୍ଥ ଦେଇ ଖୁଲମଖୁଲା ଆଇନ ଭାଙ୍ଗୁଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ରାତି ଅଧ ଯାଏଁ କାହା ଇସାରା ରେ କଟକ ରୋଡରେ ଡ୍ୟାନ୍ସବାର ଚାଲିଛି ? ପ୍ରତ୍ୟେକ ଡ୍ୟାନ୍ସବାର ରୁ କେତେ ଟଙ୍କା ପୋଲିସ ନେଉଛି ? ଥାନାଧିକାରୀ ମୋଟା ଅଙ୍କର ଅର୍ଥ ନେଉଥିବା ବେଳେ ଆଉ କେଉଁ ବଡ଼ ବାବୁ ଏଥିରେ ସମ୍ପୃକ୍ତ ଅଛନ୍ତି ? ଷ୍ଟେଜ ଉପରେ ଯୁବତୀଙ୍କୁ ଅର୍ଦ୍ଧ ନଗ୍ନ ଅବସ୍ଥାରେ ନଚାଇ ଦେହ ବେପାରରେ ଲିପ୍ତ କରାଉଥିବା ମାଷ୍ଟର ମାଇଣ୍ଡ ଜଣଙ୍କ କିଏ ? ଆଶା କରୁ ପୋଲିସ କମିଶନର ଘଟଣାର ତଦନ୍ତ କରି ଏ ଦିଗରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ଓ ନିର୍ବାଚନ ନିକଟରେ ଥିବାରୁ ନୂଆ ପୋଲିସ ଡିଜି ବି କେ ଶର୍ମା ଓ ନିର୍ବାଚନ କମିଶନର ଏ ଦିଗରେ ଦୃଷ୍ଟି ଦେବେ ।

Spread the love