କରୋନା ଭୟ : ଏହି ଦେଶର ସରକାରଙ୍କ ମହିଳାଙ୍କୁ ନିବେଦନ, ଏବେ ଗର୍ଭବତୀ ହୁଅନାହିଁ

ନୂଆଦିଲ୍ଲୀ, ୨୪/୪: ସମଗ୍ର ବିଶ୍ୱରେ କରୋନା ସଂକ୍ରମଣର ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । କୋଭିଡ -୧୯ କାରଣରୁ ମୃତ୍ୟୁ ଦୃଷ୍ଟିରୁ ଆମେରିକା ପରେ ବ୍ରାଜିଲ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ । ଗତ ମଙ୍ଗଳବାର ଦିନ ବ୍ରାଜିଲରେ ୩,୨୫୧ ଜଣଙ୍କର ମୃତ୍ୟୁ ହୋଇଛି । ଜନ୍ସ ହପକିନ୍ସ ୟୁନିଭରସିଟି ସୂଚୀ ଅନୁଯାୟୀ ବ୍ରାଜିଲରେ ବର୍ତ୍ତମାନ ସୁଦ୍ଧା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୧୩.୮ ନିୟୁତ ଏବଂ ମୃତକଙ୍କ ସଂଖ୍ୟା ୩୬୮,୭୪୯ କୁ ବୃଦ୍ଧି ପାଇଛି । ଟୀକାକରଣ ପରେ ମଧ୍ୟ ବ୍ରାଜିଲରେ ସଂକ୍ରମଣର ଗତି ଚିନ୍ତା ବଢାଇ ଦେଇଛି ।

ବ୍ରାଜିଲର ସ୍ୱାସ୍ଥ୍ୟମନ୍ତ୍ରୀ ରାଫେଲ କାମରା କରୋନାରେ ମୃତ୍ୟୁ ହାରକୁ ଦୃଷ୍ଟିରେ ରଖି କୋଭିଡ ଶେଷ ନହେବା ପର୍ଯ୍ୟନ୍ତ ମହିଳାମାନଙ୍କୁ ଗର୍ଭବତୀ ନହେବାକୁ ନିବେଦନ କରିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ସମଗ୍ର ବିଶ୍ୱରେ କୋଭିଡର ଦ୍ୱିତୀୟ ଲହର ଝଡ ଭଳି ଫେରି ଆସିଛି । ତେଣୁ କରୋନାର ଦ୍ୱିତୀୟ ଲହର ଶେଷ ନହେବା ପର୍ଯ୍ୟନ୍ତ ସରକାର ମହିଳାମାନଙ୍କୁ ଗର୍ଭବତୀ ନହେବାକୁ ନିବେଦନ କରିଛନ୍ତି । ରାଫେଲ କାମରା କହିଛନ୍ତି ଯେ ଏଥର କୋଭିଡର ନୂତନ ଭ୍ୟାରିଏଣ୍ଟ ଅତ୍ୟନ୍ତ ବିପଜ୍ଜନକ । ଏହା ଗର୍ଭବତୀ ମହିଳାମାନଙ୍କୁ ଅଧିକ ପ୍ରଭାବିତ କରୁଛି । ତେଣୁ ଏଭଳି ପରିସ୍ଥିତିରେ ମହିଳାମାନେ ଏହି ସମୟରେ ଗର୍ଭବତୀ ହେବା ଠାରୁ ଦୂରେଇ ରହିବା ଉଚିତ୍ । ଯେତେବେଳେ କରୋନା ସ୍ଥିତି ଠିକ୍ ହୋଇଯିବ, ସେତେବେଳେ ଗର୍ଭବତୀ ହେବା ସୁରକ୍ଷିତ ହେବ ।

ଏଥି ସହିତ ବ୍ରାଜିଲର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଏହି ବୟାନକୁ ଡାକ୍ତରୀ ବିଶେଷଜ୍ଞମାନେ ମଧ୍ୟ ସମର୍ଥନ କରିଛନ୍ତି । ଡାକ୍ତରୀ ବିଶେଷଜ୍ଞମାନେ କହିଛନ୍ତି ଯେ କୋଭିଡର ଦ୍ୱିତୀୟ ଲହର ଗର୍ଭବତୀ ମହିଳାଙ୍କ ଉପରେ ଅଧିକ ପ୍ରଭାବ ପକାଉଛି । ସେମାନଙ୍କୁ ଭାଇରସ୍ ଅତି ସହଜରେ କବଳିତ କରୁଛି । ତେଣୁ ଏଭଳି ପରିସ୍ଥିତିରେ ମହିଳାମାନେ ନିଜ ଗର୍ଭଧାରଣରୁ ଦୂରେଇ ରହିବା ଉଚିତ୍ ।

Spread the love