ଇରାକ : କୋଭିଡ୍ ହସ୍ପିଟାଲରେ ନିଆଁ ଲାଗି ୮୨ ମୃତ

ନୂଆଦିଲ୍ଲୀ: ଇରାକର ରାଜଧାନୀ ବାଗଦାଦ ସହରରେ ଥିବା ଏକ କୋଭିଡ୍ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟି ୮୨ ଜଣ ପ୍ରାଣ ହରାଇଥିବାବେଳେ ୧୧୦ ଜଣ ଆହତ ହୋଇଛନ୍ତି। ଏହାବ୍ୟତୀତ ୨୦୦ରୁ ଊଦ୍ଧ୍ୱର୍ କୋଭିଡ୍ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ରବିବାର ସକାଳେ ଇବନ୍-ଅଲ୍-ଖାତିବ୍ କୋଭିଡ୍ ହସ୍ପିଟାଲର ତୃତୀୟ ମହଲାରେ ହଠାତ୍ ନିଆଁ ଲାଗିଥିଲା। ହସ୍ପିଟାଲରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନଥିବାରୁ କ୍ଷୀପ୍ରଗତିରେ ନିଆଁ ଅନ୍ୟ ମହଲାକୁ ବ୍ୟାପିଯାଇଥିଲା। ହସ୍ପିଟାଲରେ ଗଚ୍ଛିତ ଥିବା ଅକ୍ସିଜେନ ସିଲିଣ୍ଡରରେ ବିସ୍ଫୋରଣ ଘଟି ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଦୁର୍ଘଟଣା ସମୟରେ ରୋଗୀଙ୍କ ବ୍ୟତୀତ ସେମାନଙ୍କର ସମ୍ପର୍କୀୟମାନେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ନିଆଁ ଲାଗିବାମାତ୍ରେ ସେମାନେ ପ୍ରାଣ ବଞ୍ଚାଇବାକୁ ଉଦ୍ୟମ କରୁଥିବା ଭିଡିଓ ଫୁଟେଜରୁ ପରିଲକ୍ଷିତ ହୋଇଛି। ମୃତକଙ୍କ ମଧ୍ୟରୁ ଅଧିକାଂଶ ଅଶନିଶ୍ୱାସୀ ହୋଇ ପ୍ରାଣ ହରାଇଛନ୍ତି। ଏହି ଘଟଣାରେ ଉକ୍ତ ହସ୍ପିଟାଲର ଏକାଧିକ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିବାବେଳେ ପ୍ରଧାନମନ୍ତ୍ରୀ ମୁସ୍ତଫା ଅଲ୍-କାଧେମି ଏହାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Spread the love