ଆସନ୍ତାକାଲିଠୁ ସରକାରୀ ସ୍କୁଲରେ ନାମ ଲେଖା ଆରମ୍ଭ, ଗାଇଡ୍‌ଲାଇନ୍‌ ଜାରି କଲା ଶିକ୍ଷା ବିଭାଗ

ବଢୁଥିବା  କରୋନା ସଂକ୍ରମଣ ମଧ୍ୟରେ କାଲିଠୁ ସରକାରୀ ସ୍କୁଲରେ ନାମ ଲେଖା ଆରମ୍ଭ ହେବାକୁ ଯାଉଛି। ଆସନ୍ତାକାଲି ରାଜ୍ୟର ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ନାମଲେଖା ଆରମ୍ଭ ହେବ। ଏନେଇ ସୋମବାର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ), ବ୍ଲକ ଶିକ୍ଷା ଅଧିକାରୀ(ବିଇଓ), ପ୍ରକଳ୍ପ ସଂଯୋଜକ  (ଡିପିସି)ଙ୍କୁ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଚିଠି ଲେଖିଛନ୍ତି। ମେ ୩୧ ସୁଦ୍ଧା ସମସ୍ତ ସ୍କୁଲରେ ନାମଲେଖା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଗାଇଡ୍‌ଲାଇନ୍‌ ମଧ୍ୟ ଜାରି ହୋଇଛି।

ଅତିରିକ୍ତ ସଚିବ ଚିଠିରେ ଲେଖିଛନ୍ତି ଯେ, ସମସ୍ତ ଡିଇଓ, ବିଇଓ  ଓ ଡିପିସି ମେ ୩୧ ସୁଦ୍ଧା ସମସ୍ତ ସ୍କୁଲରେ ନାମଲେଖା କାର୍ଯ୍ୟ ସାରିବେ। ସବୁ କାର୍ଯ୍ୟ ଦିବସରେ ସକାଳ ୭ଟାରୁ ୯ଟା ୩୦ ପର୍ଯ୍ୟନ୍ତ ନାମଲେଖା ଚାଲିବ।  ପୂର୍ବ ଶ୍ରେଣୀର ପିଲାଙ୍କୁ ପରବର୍ତ୍ତୀ ଶ୍ରେଣୀରେ ନାମ ଲେଖା ହେବ । କୌଣସି ଛାତ୍ର ବା ଅଭିଭାବକଙ୍କୁ ନାମଲେଖା ପାଇଁ ସ୍କୁଲକୁ ଡକାଯିବ ନାହିଁ। ସ୍କୁଲ ବଦଳିଲେ ଟେଲିଫୋନ୍‌ରେ ଅନୁମତି ନେଇ ନାମଲେଖା ହେବ। ଆବଶ୍ୟକ ସ୍ଥଳେ ଟିସି ନେଇ ଅନ୍ୟ ସ୍କୁଲକୁ ଯାଇପାରିବେ ଛାତ୍ରଛାତ୍ରୀ।

ଆବଶ୍ୟକସ୍ଥଳେ ଏକକାଳୀନ ୫ ଜଣରୁ ଅଧିକ ଅଭିଭାବକଙ୍କୁ ସ୍କୁଲରେ ପ୍ରବେଶ ଅନୁମତି ଦିଆଯିବ ନାହିଁ। କୋଭିଡ୍ ଗାଇଡ୍‌ଲାଇନ୍ ମାନି ନାମଲେଖା ପ୍ରକ୍ରିୟା କରିବାକୁ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଶିକ୍ଷା ସଂଯୋଗ ହ୍ଵାଟ୍ସଆପ୍‌ ଗ୍ରୁପ୍ ଜରିଆରେ ଅଭିଭାବକଙ୍କୁ ଏ ସଂପର୍କରେ ସୂଚିତ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

Spread the love