ବାହାଘର ଦିନ କରୋନାରେ କନିଆଁଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବିବାହ ପୂର୍ବରୁ ବରର ଜୀବନ ଯାଉଛି ତ ଆଉ କେଉଁଠି ବେଦୀରେ ବସିବା ପୂର୍ବରୁ ପ୍ରାଣ ହରାଉଛି କନିଆଁ । ଉତ୍ତରପ୍ରଦେଶର ଜୌନପୁରରେ ଘଟିଛି ଏଭଳି ଏକ ହୃଦୟବିଦାରକ ଘଟଣା। ବିବାହ ଦିନ କରୋନାରେ ପ୍ରାଣ ହରାଇଛନ୍ତି କନିଆଁ।

ଶୁକ୍ରବାର ଦିନ ବାହା ଘର ଥିବା ବେଳେ ବେଦୀକୁ ଯିବା ପୂର୍ବରୁ କନିଆଁଙ୍କ ଜୀବନ ନେଇଛି କରୋନା। ମିଳିଥିବା ସୂଚନା ଅନୁସାରେ ଯୁବତୀଜଣଙ୍କ କିଛି ଦିନ ପୂର୍ବରୁ ପଞ୍ଚାୟତ ନିର୍ବାଚନ ଡ୍ୟୁଟିରେ ଯାଇଥିଲେ । ଡ୍ୟୁଟିରେ ଥିବା ବେଳେ ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡ଼ିଥିଲା। ଜିଲ୍ଲାର ମୋହଲ୍ଲା ଗୁଡହାଇ ନିବାସୀ ସନ୍ତୋଷ ମୋଦନଓ୍ବାଲଙ୍କ ଝିଅ ଜ୍ୟୋତିଙ୍କ ବିବାହ ୩୦ ଏପ୍ରିଲ୍‌ ଅର୍ଥାତ ଆଜି ହେବାର ଥିଲା। ଜ୍ୟୋତି ପ୍ରାଥମିକ ସ୍କୁଲ ଶିକ୍ଷୟିତ୍ରୀ ଥିଲେ। ମେରଠ ଜିଲ୍ଲାରେ ସେ ଚାକିରୀ କରିଥିବା ବେଳେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ତାଙ୍କର ଡ୍ୟୁଟି ପଡ଼ିଥିଲା।

ଡ୍ୟୁଟି ସମୟରେ ସେ ଅସୁସ୍ଥ ହୋଇପଡ଼ିଥିଲେ । ଫେରିବା ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଆହୁରି ଖରାପ ହୋଇପଡ଼ିଥିଲା। ମେରଠରେ କରୋନା ଟେଷ୍ଟ କରାଇଥିଲେ ଏବଂ ରିପୋର୍ଟ ପଜିଟିଭ୍‌ ଆସିଥିଲା। ପରେ ତାଙ୍କୁ ୨୮ ଏପ୍ରିଲ୍‌ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରିବାର ଲୋକଙ୍କ ଏନେଇ ଖବର ମିଳିବା ପରେ ବିବାହ ପ୍ରସ୍ତୁତି ଛାଡ଼ି ସେମାନେ ମେରଠ ଦୌଡ଼ିଲେ ।

ସେଠାରେ ଶୁକ୍ରବାର ଜ୍ୟୋତିଙ୍କ ମୃତ୍ୟୁ ହୋଇଯାଇଛି। ସଂକ୍ରମିତ ଥିବାରୁ ତାଙ୍କ ମୃତଦେହ ପରିବାରକୁ ମିଳିପାରିନାହିଁ। ଦୁଇ ଭଉଣୀଙ୍କ ମଧ୍ୟରେ ଜ୍ୟୋତି ବଡ଼ ଥିଲେ। ତାଙ୍କର ଜଣେ ବଡ଼ ଭାଇ ବି ଅଛନ୍ତି। ପରିବାର ପ୍ରତିପୋଷଣ ଦାୟିତ୍ବ ଜ୍ୟୋତିଙ୍କ ଉପରେ ଥିଲା। ଜ୍ୟୋତିଙ୍କ ବିବାହ ରିମ୍ବା ବାସିନ୍ଦା  ଜଣେ ଅଧ୍ୟାପକଙ୍କ ସହିତ ଠିକ୍‌ ହୋଇଥିଲା। ସବୁଠୁ ଦୁଃଖର ବିଷୟ ମୃତ୍ୟୁ ପରେ ବି ପରିବାର ଲୋକେ ଜ୍ୟୋତିଙ୍କ ମୁହଁ ଦେଖିପାରିଲେ ନାହିଁ।

Spread the love