କୋଭିଡ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଏକମାତ୍ର ବାଟ ହେଉଛି ଲକଡାଉନ; କେନ୍ଦ୍ରକୁ କହିଲା ସିଏଆଇଟି

ଦେଶରେ କୋଭିଡ ସ୍ଥିତି ଏବେ ଉଦବେଗଜନକ ରହିଛି। ବଢ଼ୁଥିବା ସଂକ୍ରମଣକୁ ରୋକିବା ପାଇଁ ଏବେ ଏକମାତ୍ର ମାତ୍ର ବାଟ ହେଉଛି ଲକଡାଉନ। ଭାରତ ସରକାରଙ୍କୁ ଏବେ ସାରା‌ ଦେଶକୁ ପୂର୍ବଭଳି ଲକଡାଉନ କରିବାକୁ ପଡ଼ିବ। ବର୍ତ୍ତମାନର ସ୍ଥିତି ପାଇଁ ଲକଡାଉନ ଜରୁରୀ ହୋଇପଡ଼ିଛି ବୋଲି କହିଛି କନଫେଡେରେସନ୍ ଅଫ୍ ଅଲ ଇଣ୍ଡିଆ ଟ୍ରେଡର୍ସ(ସିଏଆଇଟି)।

ଦ୍ୱିତୀୟ କୋଭିଡ-୧୯ ଲହର ସମୟରେ ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବା ପାଇଁ ସିଏଆଇଟିର ଜାତୀୟ ସଭାପତି ତଥା ସେକ୍ରେଟେରୀ ଜେନେରାଲ ପ୍ରବୀଣ ଖଣ୍ଡେଲୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୁରନ୍ତ ଦେଶବ୍ୟାପୀ ଲକଡାଉନ କରିବାକୁ ଅନୁରୋଧ କରିଛନ୍ତି। ଯେଉଁଠାରେ କୋଭିଡ-୧୯ ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଛି, ସେହି ରାଜ୍ୟଗୁଡିକରେ ସମ୍ପୂର୍ଣ୍ଣ ଲକଡାଉନ କରିବାକୁ ସିଏଆଇଟି କେନ୍ଦ୍ରକୁ କହିଛି। ଏହା ସହ ସିଏଆଇଟି ସୂଚନା ଦେଇଛି ଯେ, ଜାତୀୟ ଲକଡାଉନ ହେଲେ ଦେଶର ବାଣିଜ୍ୟ ସମ୍ପ୍ରଦାୟ ଗତ ବର୍ଷ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ନିଶ୍ଚିତ କରିବ।ଖଣ୍ଡେଲୱାଲ କହିଛନ୍ତି ଯେ, କରାଯାଇଥିବା ସର୍ଭେରେ ସାରା ଦେଶର ୯,୦୦୦ରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ ଏବଂ ୭୮.୨ ପ୍ରତିଶତ ଲୋକ ସହମତ ହୋଇଛନ୍ତି ଯେ, କୋଭିଡ-୧୯ ଦ୍ୱିତୀୟ ଲହର ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ସେ ମଧ୍ୟରୁ ୬୭.୫ ପ୍ରତିଶତ ଲୋକ ଦେଶବ୍ୟାପୀ ଲକଡାଉନ କରିବାକୁ କହିଛନ୍ତି।

ସିଏଆଇଟିର ସଦସ୍ୟମାନେ କହିଛନ୍ତି ଯେ, ଦେଶବ୍ୟାପୀ ଲକଡାଉନ ହେଲେ ଦେଶର ବ୍ୟବସାୟୀମାନେ ଅଧିକ କ୍ଷତି ସହିବେ, କିନ୍ତୁ ଦ୍ରୁତ ଗତିରେ ବ୍ୟାପିଥିବା ଭୂତାଣୁକୁ ନିୟନ୍ତ୍ରଣ କରିବା ପାଇଁ ଲକଡାଉନର ଆବଶ୍ୟକତା ରହିଛି।

Spread the love