ଗୋଟାଏ ସୁଦ୍ଧା 41% ମତଦାନ

ଓଡ଼ିଶାର 4 ଟି ଲୋକସଭା ଓ 28 ଟି ବିଧାନସଭା ଆସନ ପାଇଁ ଆଜି  ଭୋଟ୍ ଗ୍ରହଣ ଚାଲିଛି।  ଅପରାହ୍ଣ ଗୋଟିଏ ସୁଦ୍ଧା 41 ପ୍ରତିଶତ ଭୋଟ୍ ଗ୍ରହଣ ହୋଇଥିବା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି। ସେ କହିଛନ୍ତି,“କିଛି ଜାଗାରେ ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ଖବର ଆସିଥିଲା। ଆବଶ୍ୟକ ମରାମତି ପରେ 30/40 ମିନିଟ୍‌ ବିଳମ୍ବରେ ଭୋଟିଂ ଆରମ୍ଭ ହୋଇଥିଲା। ବିଳମ୍ବରେ ଆରମ୍ଭ ହୋଇଥିବା ଜାଗାରେ ଭୋଟିଂ ଅବଧି ବଢ଼ିବ ନାହିଁ। ତେବେ ନିର୍ଦ୍ଧାରିତ ସମୟରେ ଧାଡ଼ିରେ ଥିବା ଭୋଟର ଭୋଟ୍‌ ଦେଇପାରିବେ।”

ମିଳିଥିବା ସୂଚନା ଅନୁଯାୟୀ, ଦିନ 11ଟା ସୁଦ୍ଧା ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ 25 ପ୍ରତିଶତ ମତଦାନ ହୋଇଥିବା ବେଳେ ନବରଙ୍ଗପୁରରେ 21, କଳାହାଣ୍ଡିରେ 23 ଓ କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀରେ 23 ପ୍ରତିଶତ ମତଦାନ ହୋଇଥିଲା।  ଦିନ ଗୋଟାଏ ସୁଦ୍ଧା ବ୍ରହ୍ମପୁରରେ 43 ପ୍ରତିଶତ ମତଦାନ ହୋଇଥିବା ବେଳେ ନବରଙ୍ଗପୁରରେ 45%, କଳାହାଣ୍ଡିରେ 39 % ଓ କୋରାପୁଟରେ 42% ମତଦାନ ହୋଇଛି। ଭୋଟ୍ ଗ୍ରହଣ ପ୍ରାରମ୍ଭରେ ଆଜି ଅନେକ ବୁଥ୍‌ରେ ଇଭିଏମ୍‌ରେ ତ୍ରୁଟି ଦେଖାଯାଇଥିଲା। ଏଣୁ ଭୋଟ୍ ଗ୍ରହଣରେ ବିଳମ୍ବ ହୋଇଥିଲା। କୋରାପୁଟ ଜିଲ୍ଲା ଜୟପୁରର ପାରାବେଡ଼ା ହାଇସ୍କୁଲର162 ନମ୍ବର ବୁଥ୍‌, ଲମତାପୁଟ ବ୍ଳକ୍‌ର 68,69 ଓ 77 ନମ୍ବର ବୁଥ୍‌ରେ ମତଦାନ ବିଳମ୍ବ ହୋଇଥିଲା।

ସେହିପରି ମାଲକାନଗିରି ଜିଲ୍ଲାର 10 ଟି ବୁଥ୍‌ରେ ମଧ୍ୟ ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଭୋଟ୍‌ ଗ୍ରହଣରେ ବିଳମ୍ବ ହୋଇଥିଲା। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍‌ର 2 ଟି ବୁଥ୍‌ ଓ ରାଇଘର ବ୍ଲକ୍‌ର ଗୋଟିଏ ବୁଥ୍‌ରେ ଇଭିଏମ୍‌ ଅଚଳ ହୋଇଯିବାରୁ ମତଦାନ ଆରମ୍ଭ ହେବାରେ ବିଳମ୍ବ ହୋଇଥିଲା।ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍‌ର ଗୋଡ଼ିବାଲି ୟୁପି ସ୍କୁଲ ମତଦାନ କେନ୍ଦ୍ରରେ ଇଭିଏମ୍‌ ଅଚଳ ହୋଇଯାଇଥିଲା। ଏହାକୁ ସଜାଡ଼ିବାରେ ବିଳମ୍ବ ହେବା ଯୋଗୁ ଭୋଟ୍‌ ନ ଦେଇ ଭୋଟର୍‌ମାନେ ଫେରି ଯାଇଥିଲେ ବୋଲି ସୂଚନା ମିଳିଛି। କୋରାପୁଟ ଜିଲ୍ଲା ଲମତାପୁଟର ବାଜିଗଡ଼ ଆଶ୍ରମ ସ୍କୁଲ୍‌ର 65ନମ୍ବର ବୁଥ୍‌ ଓ ଖର୍ସପଡ଼ା ୟୁପି ସ୍କୁଲର 71 ନମ୍ବର ବୁଥ୍‌ରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ମୋହନା, ଗୁଣପୁର, ବିଷମକଟକ, ରାୟଗଡ଼ା, ଲକ୍ଷ୍ମୀପୁର, କୋରାପୁଟ, ପଟାଙ୍ଗୀ, ଜୟପୁର, ଉମରକୋଟ, ଝରିଗାଁ, ଡାବୁଗାଁ, କୋଟପାଡ଼, ମାଲକାନଗିରି, ଚିତ୍ରକୋଣ୍ଡା, କଳାହାଣ୍ଡି, ନୂଆପଡ଼ା,ଖରିଆର, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା ଓ ନର୍ଲା ଆଦି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅପରାହ୍ଣ 4 ଟା ପର୍ଯ୍ୟନ୍ତ ମତଦାନ ହେବ।

Spread the love