ଏବେ ନିର୍ବାଚନରେ EVM ବ୍ୟବହାର କରିବ ପାକିସ୍ତାନ, ମିଳିଲା ରାଷ୍ଟ୍ରପତିଙ୍କ ଅନୁମତି

ପାକିସ୍ତାନ ଆଉ ପାରମ୍ପରିକ ବାଲଟ ପେପର ଓ ଭୋଟବାକ୍ସରେ ନିର୍ବାଚନ କରିବନି। ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ) ମାଧ୍ୟମରେ ସାଧାରଣ ନିର୍ବାଚନ ଆୟୋଜନ ଲାଗି ଅଧ୍ୟାଦେଶକୁ ରାଷ୍ଟ୍ରପତି ଆରିଫ ଅଲୱିଙ୍କ ସ୍ୱୀକୃତି ମିଳିଛି। ଏଥିପାଇଁ ନିର୍ବାଚନ ଅଧିନିୟମକୁ ଶଂସୋଧନ କରାଯାଇଥିବା ବେଳେ ଇଭିଏମ୍‌ କ୍ରୟ ଲାଗି ପାକିସ୍ତାନ ନିର୍ବାଚନ କମିଶନଙ୍କୁ ଅନୁମତି ମିଳିଛି।
ଶଂସୋଧିତ ଅଧିନିୟମରେ ବିଦେଶରେ ରହୁଥିବା ପାକିସ୍ତାନୀମାନଙ୍କୁ ଭବିଷ୍ୟତରେ ସାଧାରଣ ଓ ଉପ ନିର୍ବାଚନରେ ଭୋଟ ଦାନ ଲାଗି ଅନୁମତି ମଧ୍ୟ ପ୍ରଦାନ କରାଯାଇଛି। ଇମ୍ରାନଙ୍କ କ୍ୟାବିନେଟ୍‌ ଗତମାସରେ ଦରିଆପାର ପାକିସ୍ତାନୀଙ୍କ ମତଦାନ ଅଧିକାର ଓ ନିର୍ବାଚନରେ ଇଭିଏମ ଉପଯୋଗ ନିମନ୍ତେ ପ୍ରସ୍ତାବକୁ ମଞ୍ଜୁର କରିଥିଲା। ତେବେ ଦୀର୍ଘ ବର୍ଷ ହେଲା ପାକିସ୍ତାନ ସାଧାରଣ ନିର୍ବାଚନରେ ଭୋଟଗ୍ରହଣ ଲାଗି ବାଲଟ ପେପର ଓ ଭୋଟ ବାକ୍ସ ଉପଯୋଗ ହୋଇ ଆସୁଛି।
ପାରମ୍ପରିକ ନିର୍ବାଚନ ପଦ୍ଧତୀ ଲାଗି ଦେଶରେ ଏପର୍ଯ୍ୟନ୍ତ ନିର୍ବାଚନ ହେରଫେରର ଅଭିଯୋଗ ହୋଇ ଆସୁଥିଲା। ତେବେ ଆର୍ଥିକ ସଂକଟ ସତ୍ତ୍ୱେ ଇମ୍ରାନ ସରକାର ପ୍ରଥମଥର ନିର୍ବାଚନ ସଂସ୍କାର ଦିଗରେ ବୃହତ୍ତ ପଦକ୍ଷେପ ନେଇଛନ୍ତି। ଏଥିରେ ଇଭିଏମର ଉପ ଯୋଗ ସାଙ୍ଗକୁ ବିଦେଶରେ ରହୁଥିବା ପାକିସ୍ତାନ ନାଗରିକଙ୍କ ମତଦାନ ଅଧିକାର ସୁରକ୍ଷିତ ହୋଇ ପାରିବା ପାକ୍ ରାଜନୀତିରେ ନୂଆ ଅଧ୍ୟାୟ ସୃଷ୍ଟି କରିପାରିବ ବୋଲି ଆଶାକରାଯାଉଛି।

Spread the love