୧୫ରେ ଅକ୍ଷୟ ତୃତୀୟା, ଆଜିଠୁ ସମସ୍ତ ସେବାୟତଙ୍କ କୋଭିଡ ଟେଷ୍ଟ

ଆସନ୍ତା ୧୫ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା। ଏହି ଦିନ ଠାରୁ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ସହ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ ଅନୁକୂଳ ହେବ। ଚନ୍ଦନଯାତ୍ରା ଓ ରଥନିର୍ମାଣରେ ଜଡିତ ସେବାୟତଙ୍କ ଆଜିଠାରୁ ଆରଟିପିସିଆର ଟେଷ୍ଟ ଆରମ୍ଭ ହୋଇଛି।

ଖବର ଅନୁଯାୟୀ, ଜିଲ୍ଲାପାଳ ସମର୍ଥ ବର୍ମା ଓ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ଉତ୍କକ ହିନ୍ଦୀ ଵିଦ୍ୟାପୀଠକୁ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି। ପ୍ରତିଦିନ ୨୦୦ ଜଣ ସେବାୟତଙ୍କ ଟେଷ୍ଟ କରାଯିବ। ଚନ୍ଦନଯାତ୍ରାରେ ୧୨୦ ସେବାୟତଙ୍କ କୋଭିଡ ଟେଷ୍ଟ କରାଯିବ। ଭୋଇ ସେବକଙ୍କୁ ନୀଳାଚଳ ଭକ୍ତ ନିବାସ କୋଭିଡ କେୟାର ସେଣ୍ଟରରେ ଆଇସୋଲେସନରେ ରଖାଯିବ।

ତେବେ ରଥଯାତ୍ରା ପୂର୍ବରୁ ସମସ୍ତ ସେବାୟତଙ୍କ ଟିକାକରଣ ପାଇଁ ଗତକାଲି ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଅନେକ ସେବାୟତଙ୍କ ଦ୍ଵିତୀୟ ପର୍ଯ୍ୟାୟ ଟିକାକରଣ ସରିଛି। ରଥଯାତ୍ରା ପୂର୍ବରୁ ୧୮ ରୁ ୪୫ ବର୍ଷ ସମେତ ୪୫ ବର୍ଷ ଓ ୬୦ ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ସେବାୟତଙ୍କ ଟିକାକରଣ କରାଯିବ। ଏଥିପ୍ରତି ଶ୍ରୀମନ୍ଦିର ପଠାଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଏହା ଅତ୍ୟନ୍ତ ଖୁସିର କଥା ବୋଲି ଜିଲ୍ଲାପାଳ କହିଛନ୍ତି।

Spread the love