ହୃଦୟ ବିଦାରକ: ବାଲିରେ ପୋତା ଯାଇଛି କୋଢ଼ କୋଢ ଶବ

ନୂଆଦିଲ୍ଲୀ: ନଦୀରେ  ଶବ ଭାସିବାର ହୃଦୟ ବିଦାରକ ଦୃଶ୍ୟ ପରେ ଉତ୍ତର ପ୍ରଦେଶର ଉନ୍ନାଓରୁ ମଧ୍ୟ ଭୟାବହ ଏବଂ ବିଚଳିତ କରିବା ଭଳି ଚିତ୍ର ସାମ୍ନାକୁ ଆସିଛି। ଏଠାରେ ଗଙ୍ଗା ନଦୀ କୂଳରେ ଲୋକଙ୍କ ଶବ ବାଲିରେ ପୋତା ଯାଇଥିବା ଦେଖିବାକୁ ମିଳିଛି। ଶୁକ୍ଳାଗଞ୍ଜ ହାଜିପୁରର ରୌତାପୁର ଗଙ୍ଗା ଘାଟର ବାଲିରେ କବରକୁ ଦେଖୁଥିବା ବ୍ୟକ୍ତି ହତବାକ୍‌ ହୋଇ ପଡୁଛନ୍ତି।

କୁହାଯାଉଛି ଶ୍ମଶାନ ଘାଟରେ କାଠ ଅଭାବ ଓ ମହଙ୍ଗା କାରଣରୁ ଲୋକେ ହିନ୍ଦୁ ରୀତିନୀତିକୁ ଛାଡି ଶବକୁ ପୋତିବା ଆରମ୍ଭ କରି ଦେଇଛନ୍ତି। ରୌତାପୁର ଘାଟରେ ଗତ ୧୦ ଦିନରେ ଏମିତି ବିଚଳିତ କରିବା ଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ଦୂରଦୂରାନ୍ତରୁ ଆସୁଥିବା ଲୋକେ ଶବକୁ ବାଲିରେ ପୋତି ଚାଲି ଯାଉଛନ୍ତି। ବୁଧବାର ଏଠାରେ ୧୬ ଶବ ମଧ୍ୟରୁ ୧୩ ଶବକୁ ବାଲିରେ ପୋତା ଯାଇଛି।

କରୋନା ମହାମାରୀ ବ୍ୟତୀତ ଅନେକ ରୋଗରେ ମଧ୍ୟ ଲୋକଙ୍କ ମୃତ୍ୟୁ ଘଟୁଛି। ପ୍ରଶାସନ କାଗଜକଲମ କାମରେ ବ୍ୟସ୍ତ। ଗଙ୍ଗାର ସମସ୍ତ ଘାଟରେ ଯେଉଁଠିକୁ ଲୋକ ବୁଡ ପକାଇବାକୁ କିମ୍ବା ବୁଲିବାକୁ ଯାଆନ୍ତି ଆଜି ସେଠାରେ ଅନ୍ତିମ ସଂସ୍କାର ପାଇଁ ଲୋକଙ୍କ ଲମ୍ବା ଲାଇନ୍ ଲାଗୁଛି। ଏ ପର୍ଯ୍ୟନ୍ତ ହାଜିପୁର ଥାନା ଅନ୍ତର୍ଗତ ରୌତାପୁର ଘାଟରେ ୪୦୦ରୁ ଅଧିକ ଶବର ଅନ୍ତିମ ସଂସ୍କାର କରାଯାଇଛି। ଏଥିରୁ ଅଧିକାଂଶ ଶବକୁ ପୋତା ଯାଇଛି। ପ୍ରତିଦିନ ୧୨ରୁ ଅଧିକ ଲୋକଙ୍କ ଅନ୍ତିମ ସଂସ୍କାର କରାଯାଉଛି।

ସ୍ଥାନୀୟ ଲୋକେ କହିଛନ୍ତି, ଘାଟରେ କାଠ ଅଭାବ କାରଣରୁ ଏମିତି ଭୟାବହ ସ୍ଥିତି ଉପୁଜିଛି। ଯିଏ କାଠ ଧରି ପୂରା ପ୍ରସ୍ତୁତି ସହ ଆସୁଛନ୍ତି ସେମାନଙ୍କର ଚିତା ଜଳାଯାଉଛି, ନଚେତ୍ ଅଧିକାଂଶ ଶବକୁ ବାଲିରେ ପୋତି ଦିଆଯାଉଛି। ଅବସ୍ଥା ଏମିତି ଯେ, ଘାଟରେ ବର୍ତ୍ତମାନ ଶବ ପୋତିବାକୁ ଜାଗା ନାହିଁ। ଏଥିରେ ଅନ୍ତିମ ସଂସ୍କାର ପାଇଁ ଆସୁଥିବା ଲୋକଙ୍କୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ସେମାନଙ୍କୁ ନା କାଠ ମିଳୁଛି ନା ଜାଗା।

ବୁଧବାର ଘାଟକୁ ୧୬ ଶବର ଅନ୍ତିମ ସଂସ୍କାର ପାଇଁ ପହଞ୍ଚିଥିଲା। ହେଲେ ବହୁ ପାଖାପାଖି ସବୁ ଶବକୁ ପୋତି ଦିଆଯାଇଛି। ଲୋକଙ୍କ ମତରେ ବନ୍ୟା ଦିନରେ ଶବ ଭାସି ଗାଁ ଆଖପାଖ ଅଞ୍ଚଳରେ ପହଞ୍ଚିବ। ଏଥିରେ ରୋଗ ବ୍ୟାପିବ। ଏହା ବାଦ୍ ଗଙ୍ଗା ଜଳ ପ୍ରଦୂଷିତ ହେବ।

Spread the love